ପୃଷ୍ଠା:Bikalpa Biswa.pdf/୨୭୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଓ ତାପରେ ପରିବାର ନାଁ ପଟେଲ, ମେହେତା, ଯୋଶୀ, ଦେଶମୁଖ, ଶାହା ଲଗାନ୍ତି । ମହାରାଷ୍ଟ୍ରରେ ଲଗାନ୍ତି ‘କର୍’ - ତେଣ୍ଡୁଲକର୍, ସାଭରକର୍, ଚନ୍ଦ୍ରବରକର୍, ଗାଭାସ୍କର ଇତ୍ୟାଦି । ପୁଣି କେତେକ ଲୋକ ନିଜ ନାମ ସହ ନୂଆ ସାଙ୍ଗିଆ ଯୋଡନ୍ତି । ଯେପରିକି ରାଜେଶ ପାଇଲଟ୍, ଅସଗରା ଅଲ୍ଲୀ ଇଞ୍ଜିନିୟର୍ । ଶିଖ୍ ସଂପ୍ରଦାୟରେ ପୁରୁଷ ଓ ସ୍ତ୍ରୀ ପ୍ରାୟ ସମସ୍ତେ ସିଂ ଓ କୌର ସାଙ୍ଗିଆ ଲଗାନ୍ତି ।

ଉତ୍ତର ଭାରତରେ ବେଦୀ, ଦ୍ୱିବେଦୀ, ଚତୁର୍ବେଦୀ ସାଙ୍ଗିଆ ସବୁ ପ୍ରଥମେ ଉପାଧି ଥିଲା । ଯେ ଚାରିବେରେ ପାରଙ୍ଗମ ତାଙ୍କୁ ଚତୁର୍ବେଦୀ ଉପାଧି ମିଳୁଥିଲା, ଗୋଟିଏ ବେଦ ପାଇଁ ବେଦୀ, ଦୁଇଟି ବେଦ ପାଇଁ ଦ୍ୱିବେଦୀ । କାଳକ୍ରମେ ଦ୍ୱିବେଦୀଙ୍କ ପୁତ୍ର ମଧ୍ୟ ଲେଖିଲେ ଅମୁକ ଦ୍ୱିବେଦୀ । ବୈିଦିକ ପୌରାଣିକ, ପ୍ରାଚୀନ ଭାରତୀୟ ସମାଜରେ ସାଙ୍ଗିଆ ବା ସରନେମ୍ ପ୍ରଚଳନ ନଥିଲା । ତେଣୁ ରାମ, କୃଷ୍ଟ, ନାରଦ, ଯୁଧିଷ୍ଠିର, ଦୁର୍ଯ୍ୟୋଧନ, ରାବଣ, ଇନ୍ଦ୍ରଜିତ, କୁମ୍ଭକର୍ଣ୍ଣ, ଦେବକୀ, ବାସୁଦେବ, ସୀତା, ଲକ୍ଷ୍ମୀ, ପାର୍ବତୀ, ଦୁର୍ଗା , ସରସ୍ୱତୀ, ବ୍ରହ୍ମା , ବିଷ୍ଣୁ, ଜଗନ୍ନାଥ, ବଳଭଦ୍ର, ମହେଶ୍ୱର, ଜନକ, ଦଶରଥ, ଭରତ, ଗୌତମ, ବିଶ୍ୱାମିତ୍ର, ବଶିଷ୍ଠ - କାହାର ନା ପଛକୁ ସାଙ୍ଗିଆ ନଥିଲା । ବରଂ ସ୍ୱାମୀଙ୍କ ପରିଚୟ ମା ଓ ସ୍ତ୍ରୀଙ୍କ ନାଁରୁ ମିଳୁଥିଲା । ଯେପରିକି ‘ଜାନକୀବଲ୍ଲଭ’, ଅର୍ଥାତ୍ ଜାନକୀଙ୍କ ସ୍ୱାମୀ, କମଳାପତି, ଉମାପତି, ରମାକାନ୍ତ, ରାଧାକାନ୍ତ, ଲକ୍ଷ୍ମୀକାନ୍ତ, ବେକୀନନ୍ଦନ, ଯଶୋଦାନନ୍ଦନ, ଇତ୍ୟାଦି । ତେଣୁ ଜାତି ସୂଚକ ସାଙ୍ଗିଆ ଅପେକ୍ଷା ମା’ ଓ ପତ୍ନୀଙ୍କ ନାମରେ ପୁରୁଷର ପରିଚୟ ଓ ନାମକରଣ ଥିଲା ପ୍ରାଚୀନ ଭାରତୀୟ ପରମ୍ପରା । ପତି ପତ୍ନୀଙ୍କ ନାମ ବା ପତ୍ନୀ ପତିଙ୍କ ନାମ ଧରି ନ ଡାକି ପରସ୍ପରକୁ ସମ୍ବୋଧନ କରୁଥିଲେ ‘ଭଦ୍ରେ’ ଓ ‘ଆର୍ଯ୍ୟେ’ । କୌଣସି ଦେବଦେବୀ, କୌଣସି ଋଷି, ସାଧୁସନ୍ଥ, କୌଣସି ରାଜା ବା ପ୍ରଜା ସାଙ୍ଗିଆ ଧାରଣ କରୁନଥିଲେ ।

ତେଣୁ ସଞ୍ଜୟ ତାଙ୍କ ଭଉଣୀ ପ୍ରିୟା ବା ସ୍ତ୍ରୀ ମାନ୍ୟତା ‘ଦତ୍ତ’ ସାଙ୍ଗିଆ ରଖିବେ କି ନାହିଁ ଏପରି ବିବାଦ ନଥିଲା । ଭାରତରେ ଏବେ ଜାତି, କୁଳ, ଉପାଧିକୁ ବଂଶାନୁକ୍ରମିକ ସାଙ୍ଗିଆ ରୂପରେ ବ୍ୟବହାର ବନ୍ଦ ହେବା ଦରକାର । ପ୍ରଗତିବାଦୀ ଓ ଦେଶପ୍ରେମୀ ଯୁବ ବନ୍ଧୁମାନେ ନିଜ ନାଁରୁ ସାଙ୍ଗିଆ କାଟି ଆଉ ଥରେ ଜାତିମୁକ୍ତ ସମାଜ ଗଠନପାଇଁ ଆଗେଇ ଆସନ୍ତୁ । ମାନବିକତା ମଣିଷର ପ୍ରକୃତ ସଂଜ୍ଞା ଓ ପରିଚୟ ହେଉ ।

୨୬ ଫେବୃଆରୀ, ୨୦୦୯

ବିକଳ୍ପ ବିଶ୍ୱ ୨୭୩