ପୃଷ୍ଠା:Bikalpa Biswa.pdf/୨୭୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ସୂଚନା : ଅଧିକାର, ବିବାଦ, ବିପଦ ଓ ବିପ୍ଳବ

୨୦୦୫ ମସିହା ଜୁନ୍ ୧୫ ତାରିଖ ଦିନନ ଲୋକସଭାରେ ‘ରାଇଟ୍ ଟୁ ଇନ୍‌ଫରମେସନ୍’ ବା ସୂଚନା ଅଧିକାର ଆଇନ (ନଂ.୨୨/୨୦୦୫) ପାସ୍ ହୋଇଗଲା ଏବଂ ସେହିବର୍ଷ ଅକ୍ଟୋବର ୧୩ ତାରିଖଠାରୁ ଏହି ଆଇନ ସାରା ଦେଶରେ ଲାଗୁ ହେଲା, କେବଳ ଜାମ୍ମୁ ଓ କାଶ୍ମୀରକୁ ଛାଡ଼ି । ଏହା ସହିତ ୧୯୨୩ ମସିହାରୁ ବ୍ରିଟିଶ୍ ଅମଳରୁ କାର୍ଯ୍ୟକାରୀ ହେଉଥିବା ୮୫ ବର୍ଷର ପୁରୁଣା ‘ଅଫିସିଆଲ୍ ସିକ୍ରେଟ୍ ଆକ୍ଟ’ ନିଜର ଗୁରୁତ୍ୱ ହରାଇଲା । ସୂଚନା ଅଧିକାରକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ରରେ ଓ ରାଜ୍ୟମାନଙ୍କରେ ସୂଚନା ଅଧିକାର କମିସନ ସବୁ ସ୍ଥାପିତ ହେଲା । କିନ୍ତୁ ଏହା ପୂର୍ବରୁ ଭାରତର ୯ଟି ରାଜ୍ୟ ସୂଚନା ଅଧିକାର ଆଇନ ପ୍ରଚଳନ କରି ସାରିଥିଲେ । ଏଥିରେ ସବୁଠାରୁ ଆଗୁଆ ଥିଲେ ତାମିଲନାଡୁ (୧୯୯୭) ଓ ଗୋଆ, ତା’ପଛକୁ ରାଜସ୍ଥାନ ଓ କର୍ଣ୍ଣାଟକ (୨୦୦୦), ଦିଲ୍ଲୀ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଆସାମ, ଜାମ୍ମୁ ଓ କାଶ୍ମୀର । ଓଡ଼ିଶାରେ ପ୍ରାୟ ଦୁଇ ବର୍ଷ ହେଲା ସ୍ୱେଚ୍ଛାସେବୀ ସଂଗଠନମାନେ ଦାବି କରିଆସୁଥିଲେ । କେଉଁ ସୂଚନାପାଇଁ ଲୋକେ ହକ୍‌ଦାର ସେ ବିଷୟରେ ମନ ସ୍ଥିର କରିବାକୁ ସରକାରଙ୍କୁ ଲାଗିଲା ୭ ବର୍ଷ । ଏଚ୍.ଡି. ସୌରୀଙ୍କ ‘ଫ୍ରିଡମ୍ ଅଫ୍ ଇନ୍‌ଫରମେସନ୍’ ରିପୋର୍ଟ ଉପରେ ବିତର୍କ ହେଲା ଦୁଇ ବର୍ଷ କାଳ । ଇନ୍‌ଫରମେସନ୍ ବା ସୂଚନା ସଂଜ୍ଞା ନିରୂପଣପାଇଁ ଲାଗିଲା ୬ ବର୍ଷ । ଶେଷରେ ଆଇନ୍‌ରେ କୁହାଗଲା ଯେ ସରକାରଙ୍କ ପାଖରେ ଥିବା ସବୁ ଖବର, ରେକର୍ଡ଼, ଦସ୍ତାବିଜ, ସର୍କୁଲାର, ଅଫିସ୍ ଅର୍ଡ଼ର, କଣ୍ଟ୍ରାକ୍ଟ, ଫାଇଲରେ ନିଆଯାଇଥିବା ନିଷ୍ପତ୍ତି, ନୋଟିଂ, ମେମୋ, ସୁପାରିଶ, ଏଗ୍ରିମେଣ୍ଟ ସମ୍ପର୍କରେ

୨୭୪ ବିକଳ୍ପ ବିଶ୍ୱ