ପୃଷ୍ଠା:Bikalpa Biswa.pdf/୨୭୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଜାଣିବାପାଇଁ ଜନସାଧାରଣଙ୍କର ପୂର୍ଣ୍ଣ ଅଧିକାର ରହିଛି ଏବଂ ଜଣାଇବା ସରକାରଙ୍କ ପୂର୍ଣ୍ଣ ଦାୟିତ୍ୱ । ନିଜ ହକ୍ ପାଇବା ପାଇଁ କାହିଁକି ବିଳମ୍ବ ହେଉଛି ତା’ର କାରଣ ବତାଇବାପାଇଁ ମଧ୍ୟ ସରକାର ବାଧ୍ୟ । ତିରିଶ ଦିନ ଭିତରେ ଆବେଦନ ସବୁର ଉତ୍ତର ଦେବାକୁ ହେବ । ନ ହେଲେ ଦଣ୍ଡ ।

ଆଜିକୁ ୧୫ ବର୍ଷ ତଳେ ୧୯୯୨ ମସିହାରେ ଭାରତୀୟ ସମ୍ବିଧାନରେ ୭୩ ଓ ୭୪ତମ ସଂଶୋଧନ କରାଯାଇ ପଞ୍ଚାୟତ ଓ ସ୍ୱାୟତ୍ତ ଶାସନ ସଂସ୍ଥା ମାଧ୍ୟମରେ ଲୋକଙ୍କୁ ତୃଣମୂଳ ସରକାର ଗଢ଼ିବାପାଇଁ କ୍ଷମତା ବିକେନ୍ଦ୍ରୀକରଣର ଐତିହାସିକ ନିଷ୍ପତ୍ତି ପରେ ସୂଚନା ଅଧିକାର ଆଇନ ଥିଲା ଦ୍ୱିତୀୟ ବୈପ୍ଳବିକ ସିଦ୍ଧାନ୍ତ । ଏଥିପାଇଁ ଭାରତୀୟ ପାର୍ଲିଆମେଣ୍ଟ ଧନ୍ୟବାଦର ପାତ୍ର । ସୂଚନାର ଅନ୍ୟ ନାମ ହେଲା କ୍ଷମତା । ଇଂରାଜୀରେ କହନ୍ତି ‘ଇନ୍‌ଫରମେସନ୍ ଇଜ୍ ପାୱାର’ । ଗତ ଦୁଇ ଦଶନ୍ଧି ହେଲା ସମଗ୍ର ପୃଥିବୀ ସୂଚନା ବିପ୍ଳବଦ୍ୱାରା ପ୍ରଭାବିତ । ଜ୍ଞାନ, ନୂତନତ୍ୱ ବା ଇନୋଭେସନ୍ ଓ ସୂଚନାକୁ ଏବେ ପ୍ରଗତିର ଅସରନ୍ତି, ନୂଆ କଞ୍ଚାମାଲ ବୋଲି କୁହାଯାଉଛି । ଯାହାଙ୍କ ପାଖରେ ସୂଚନା ନାହିଁ - ସେମାନଙ୍କୁ କୁହାଯାଉଛି “ସୂଚନା-ଦରିଦ୍ର” , ଯାହାଙ୍କ ପାଖରେ ସୂଚନା ଅଛି, ସେମାନେ “ସୂଚନା-ଧନୀ” ବା ଇନ୍‌ଫରମେସନ୍ ରିଚ୍ । କାରଣ ସୂଚନା ଜୀବନ ମରଣ ମଧ୍ୟରେ ଥିବା ସରୁ ସୂତାଖିଅ । ମହାବାତ୍ୟା, ବଢ଼ି, ସୁନାମି, ଭୂମିକମ୍ପର ସୂଚନା ଠିକ୍ ସମୟରେ ନ ମିଳିଲେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁ ମୁଖରେ ପଡ଼ନ୍ତି । ୧୯୪୫ ମସିହା ପରଠାରୁ ପ୍ରତିଦ୍ୱନ୍ଦ୍ୱୀ ଦେଶର ନେତାଙ୍କ ମଧ୍ୟରେ ହଟ୍ ଲାଇନ୍‌ଦ୍ୱାରା ସୂଚନା ଆଦାନ ପ୍ରଦାନ ଫଳରେ ଏପର୍ଯ୍ୟନ୍ତ ୬ ଥର ତୃତୀୟ ବିଶ୍ୱଯୁଦ୍ଧର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିଛି । କମ୍ପ୍ୟୁଟର, ଇଣ୍ଟରନେଟ୍, ସାଟେଲାଇଟ୍, ଟେଲିଭିଜନ୍, ରେଡିଓ , ସମ୍ବାଦପତ୍ର ଓ ମାସ୍ ମେଡିଆ ପୃଥିବୀରେ ସୃଷ୍ଟି କରିଛି ଏକ ଅଭୂତପୂର୍ବ ସୂଚନା ବିପ୍ଲବ । ଫଳରେ ‘ସରକାରୀ ଗୋପନୀୟତା’ ଏବେ ହୋଇଗଲାଣି ଅଥର୍ବ, ଅର୍ଥହୀନ, ଅଳିଆ ଗଦା । ସୂଚନା ଅଧିକାର ଆଇନ୍ ଫଳରେ ଲୋକଙ୍କର ଦୈନନ୍ଦିନ ଜୀବନକୁ ପ୍ରଭାବିତ କରୁଥିବା ସୂଚନା ଓ ନିଷ୍ପତ୍ତି ସବୁକୁ ଆଉ ସେମାନଙ୍କଠାରୁ ଲୁଚାଇ ରଖି ହେବ ନାହିଁ । ବ୍ଲକ୍, ତହସିଲ, ପି.ଡବ୍ଲ୍ୟୁ.ଡି ଅଫିସ୍‌ଠାରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ସବୁ କର୍ମଚାରୀ, ଅଧିକାରୀ ଓ ସଚିବମାନେ ଏ ବିଷୟରେ ଏବେ ଅଧିକ ସଚେତନ, ସତର୍କ ଓ ଉତ୍ତରଦାୟୀ ହେବାକୁ ପଡ଼ିବ । କାରଣ ଏମାନଙ୍କର ମୁଖ୍ୟ କାମ ହେଉଛି ସୂଚନା ଦେବା ଓ ନେବା ।

ଆମ ଦେଶରେ ଯେତେ ଚାକିରିଆ ଅଛନ୍ତି ସେମାନଙ୍କ ମଧ୍ୟରୁ ୭୦ ଭାଗରୁ ଅଧିକ କେବଳ ଫାଇଲ୍‌ରେ ସୂଚନା ଦିଅନ୍ତି, ମାଗନ୍ତି, ନିଅନ୍ତି । ସୂଚନା ପାଇବାକୁ, ଫାଇଲ

ବିକଳ୍ପ ବିଶ୍ୱ ୨୭୫