ପୃଷ୍ଠା:Bikalpa Biswa.pdf/୨୭୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ମାନ୍ୟବରଙ୍କ ଉପସ୍ଥାନ ଓ ଅନ୍ତର୍ଦ୍ଧାନ

ଏ ପର୍ଯ୍ୟନ୍ତ ଫ୍ରାନସ ଦେଶରେ ସବୁଠାରୁ ଦକ୍ଷ ଓ ଲୋକପ୍ରିୟ ଭାବରେ ପରିଗଣିତ ରାଷ୍ଟ୍ରପତି ଚାର୍ଲସ୍ ଡିଗଲ ଥରେ କହିଥିଲେ ମୁଁ ବହୁବାର ଭାବିଚିନ୍ତି ଏହି ସିଦ୍ଧାନ୍ତରେ ପହଞ୍ଚିଛି କି ‘ରାଜନୀତି’ ଭଳି ଏକ ଅତ୍ୟନ୍ତ ଗମ୍ଭୀର ବିଷୟ ‘ରାଜନେତାଙ୍କ ହାତରେ ପୂରାପୁରି ଛାଡ଼ି ଦେବା ଠିକ୍ ହେବ ନାହିଁ ।’ ଏବେ ଖବର ପ୍ରକାଶ ପାଇଛି ଯେ ୨୦୦୮ ମସିହାରେ ଦେଶର ସର୍ବୋଚ୍ଚ ରାଜନୈତିକ ଓ ନୀତି ନିୟାମକ ସଂସ୍ଥା ଇଣ୍ଡିଆନ୍ ପାର୍ଲିଆମେଣ୍ଟ ମାତ୍ର ୩୨ ଦିନପାଇଁ ବସିଥିଲା । ୧୯୫୧ ମସିହାରୁ ଆଜି ପର୍ଯ୍ୟନ୍ତ ଏହା ଥିଲା ଭାରତୀୟ ଲୋକସଭାରେ ନିମ୍ନତମ ରେକର୍ଡ । ଆଜିକୁ ୫୩ ବର୍ଷ ପୂର୍ବେ, ୧୯୫୬ ମସିହାରେ, ୧୫୧ ଦିନ କାଳ ବସି ଲୋକସଭା ଯେଉଁ ସର୍ବୋଚ୍ଚ ରେକର୍ଡ ଓ ପରମ୍ପରା ସୃଷ୍ଟି କରିଥିଲେ ତାହା ଏ ପର୍ଯ୍ୟନ୍ତ ଏକମାତ୍ର ଉଦାହରଣ ହୋଇ ରହିଛି । ସେହିିନଠାରୁ ମାନ୍ୟବର ସଭ୍ୟମାନଙ୍କ ଲୋକସଭା ଓ ରାଜ୍ୟସଭାରେ ଉପସ୍ଥିତ ଓ କାର୍ଯ୍ୟରତ ସମୟ କାଳ ଦୃତ ଗତିରେ କମିବାରେ ଲାଗିଛି ।

ଉଦାହରଣ ସ୍ୱରୂପ, ୧୯୬୩ ମସିହାରେ ଲୋକସଭା ବସିଥିଲା ୧୨୨ ଦିନ, ୧୯୮୫ରେ ୧୦୯ ଦିନ ଏବଂ ୧୯୭୬ ଓ ୧୯୯୨ ରେ ମାତ୍ର ୯୮ ଦିନ । ୨୦୦୩ ମସିହାରେ ଏହା କମି ଆସିଲା ୭୪ ଦିନକୁ । ୧୯୯୯ ମସିହାରେ ଲୋକସଭା କାମ କରିଥିଲା ମାତ୍ର ୫୧ ଦିନପାଇଁ । କେବଳ ପାର୍ଲିଆମେଣ୍ଟ ନୁହେଁ, ରାଜ୍ୟ ବିଧାନସଭାମାନଙ୍କର ମଧ୍ୟ ଊଣା ଅଧିକେ ସେଇ ଅବସ୍ଥା । ହରିଆନା, ଗୋଆ ଓ ଉତ୍ତର ପୂର୍ବ ରାଜ୍ୟର ବିଧାନସଭାଗୁଡ଼ିକ ମଧ୍ୟ ଏଇ ଅନୁପସ୍ଥିତି ବ୍ୟାଧିଗ୍ରସ୍ତ ହେଲେଣି । ଦେଶର ବୁଦ୍ଧିଜୀବୀ, ବିଶିଷ୍ଟ ନାଗରିକ, ଗଣମାଧ୍ୟମ, ବାଚସ୍ପତି ଓ ବରିଷ୍ଠ ଲୋକସଭା ସଦସ୍ୟମାନଙ୍କର ଚିନ୍ତା ଓ ଉଦ୍‌ବେଗକୁ ଧ୍ୟାନକୁ ନେଇ କିଛି ବର୍ଷ ପୂର୍ବେ ଜନପ୍ରତିନିଧିମାନେ ଅଣଆନୁଷ୍ଠାନିକ ଭାବରେ ବସି ଏକ ନିଷ୍ପତ୍ତି ନେଇଥିଲେ ଯେ

ବିକଳ୍ପ ବିଶ୍ୱ ୨୭୯