ପୃଷ୍ଠା:Bikalpa Biswa.pdf/୨୮୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

କିନ୍ତୁ କ୍ଷମତା ହସ୍ତାନ୍ତରପାଇଁ ପ୍ରସ୍ତୁତ ନୁହଁନ୍ତି । ତେଣୁ ନିଜ ସାନଭାଇଙ୍କୁ ସବୁ କ୍ଷମତା ଦେଇ ପରୋକ୍ଷରେ ଶାସନ ଉପରେ ନିୟନ୍ତ୍ରଣ ରଖିଛନ୍ତି । ଅତୀତରେ ଫିଲିପାଇନ୍ସର ମାର୍କସ ପରିବାର ଓ ଏବେ ଉତ୍ତର କୋରିଆର କିମ୍ ପରିବାର ବି ସେଇ ବାଟରେ ଅଛନ୍ତି । ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ସୁହାର୍ତୋ ଅତ୍ୟନ୍ତ ଅପତ୍ୟ ସ୍ନେହ ଓ ଏକଛତ୍ର ଶାସନଯୋଗୁଁ ଗାଦିଚ୍ୟୁତ ହୋଇଥିଲେ ।

ରାଜନୀତି କ୍ଷେତ୍ର ପରେ ସିନେମା, ସ୍ୱେଚ୍ଛାସେବୀ ସଂଗଠନ ଓ ବ୍ୟବସାୟ କ୍ଷେତ୍ରରେ ପରିବାର ଓ ପୁତ୍ର-ପୁତ୍ରୀ ସ୍ନେହର ତାଗଡା ପ୍ରଭାବ ରହିଛି । ବଲିଉଡ୍‌ରେ ନୂଆ କଳାକାରମାନେ ପଶି ପାରୁନାହାନ୍ତି କାରଣ ଅଭିନେତା ପିତା-ମାତା ନିଜ ପୁତ୍ର-କନ୍ୟାଙ୍କୁ ହିରୋ ହିରୋଇନ୍ କରି ନବାଗତଙ୍କ ରାସ୍ତା ରୋକିଦେଲେଣି । ଯେଉଁମାନେ ଅନ୍ୟମାନଙ୍କ ସାହାଯ୍ୟରେ ବଡ଼ ଅଭିନେତା ହୋଇଛନ୍ତି ସେମାନେ ଏବେ ନିଜ ପିଲାଙ୍କୁ ପ୍ରମୋଟ୍ କରିବାରେ ବ୍ୟସ୍ତ ଅଛନ୍ତି । କର୍ପୋରେଟ୍ ଜଗତରେ ବି ସେଇ ଅବସ୍ଥା । ଆନ୍ତର୍ଜାତିକ ରେଟିଂ ଏଜେନ୍ସି ‘ମୁଡି’ଙ୍କ ସର୍ଭେ ଅନୁସାରେ ଭାରତର ଅଧିକାଂଶ ବଡ଼ ବଡ଼ କମ୍ପାନୀ ଟାଟା, ବିରଳା, ଅମ୍ବାନି, ଗଡରେଜ୍, ବେଦାନ୍ତ, ୱିପ୍ରୋ, ଇସାର, ଭାରତୀ, ଟିଭିଏସ୍, ମିତ୍ତଲ, ମୁରୁଗାପା ଗ୍ରୁପ୍ ଆଦି ପରିବାରର ନିୟନ୍ତ୍ରଣରେ ଅଛନ୍ତି । ଷ୍ଟକ୍ ମାର୍କେଟ୍‌ର ୫୫ ପ୍ରତିଶତ ଏମାନଙ୍କ ଅକ୍ତିଆରରେ ଅଛି । ଫଳରେ ଏହିସବୁ କମ୍ପାନିରେ ଶାସନ ଓ ପରିଚାଳନା ବ୍ୟବସ୍ଥାରେ ସ୍ୱଚ୍ଛତା ଓ ନିରପେକ୍ଷତା ରହୁନାହିଁ । କମ୍ପାନି ଅପେକ୍ଷା ବ୍ୟକ୍ତିଙ୍କ ପ୍ରାଧାନ୍ୟ ବଢ଼ିଯାଉଛି । ସମ୍ପତ୍ତି ବଢ଼ୁଛି, କିନ୍ତୁ ସମୂହ ଦାୟିତ୍ୱ କମୁଛି । ସାମାଜିକ କର୍ତ୍ତବ୍ୟବୋଧ ଦୁର୍ବଳ ରହୁଛି । ଉତ୍ତରାଧିକାରପାଇଁ ପାରିବାରିକ ବିବାଦ କୋର୍ଟରେ ଫଇସଲା ହେଉଛି ।

ଏକ ଗଣତାନ୍ତ୍ରିକ ଦେଶରେ, ଗାଣତାନ୍ତ୍ରିକ ପଦ୍ଧତିରେ ନେତାଙ୍କ ପିଲାଏ ନେତା ହେବାରେ କୌଣସି ଅସୁବିଧା ନାହିଁ । ଅତୀତରେ ଏମାନଙ୍କ ମଧ୍ୟରୁ ଅନେକ ନିଜ ନିଜର ଯୋଗ୍ୟତା ବି ପ୍ରମାଣ କରିସାରିଛନ୍ତି । ଉାହରଣସ୍ୱରୂପ ରାଜୀବ ଗାନ୍ଧୀ ଜଣେ ଅତି ଜନପ୍ରିୟ ଓ ସଫଳ ପ୍ରଧାନମନ୍ତ୍ରୀ ଭାବରେ ଭାରତରେ ସୂଚନା ବିପ୍ଳବ ଆଣିଥିଲେ, ଯାହା ଫଳରେ ଆଜି ଭାରତ ବିଶ୍ୱର ଆଇଟି ନେତା ଭାବରେ ଉଭା ହୋଇଛି , ପ୍ରତିବର୍ଷ ୫୦ ହଜାର କୋଟି ଟଙ୍କାର ସଫ୍ଟୱେର ରପ୍ତାନି କରୁଛି । ହିଲାରି ରୋଧାମ୍ କ୍ଲିଣ୍ଟନ୍ (ବିଲ୍ କ୍ଲିଣ୍ଟନ୍‌ଙ୍କ ପତ୍ନୀ) ରାଷ୍ଟ୍ରପତି ନିର୍ବାଚନରେ ଜିତିଥିଲେ ଯୁକ୍ତରାଷ୍ଟ୍ର ଆମେରିକାରେ ବୁଶ୍ ଓ କ୍ଲିଣ୍ଟନ ପରିବାର ରାଜତ୍ୱ କରିଥାନ୍ତେ ୨୮ ବର୍ଷ । ସେହିପରି ଆମେରିକାରେ ରବର୍ଟ କେନେଡ଼ି, ଜନ୍ ଏଫ୍ କେନେଡ଼ି ଓ ଏଡ୍‌ୱାର୍ଡ କେନେଡ଼ି ଅତ୍ୟନ୍ତ ଯୋଗ୍ୟ ଓ ଜନପ୍ରିୟ

ବିକଳ୍ପ ବିଶ୍ୱ ୨୮୭