ପୃଷ୍ଠା:Bikalpa Biswa.pdf/୨୮୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଥିଲେ । କିନ୍ତୁ ଧୃତରାଷ୍ଟ୍ରଙ୍କ ଭଳି ଜାଣି ଶୁଣି ଅନ୍ଧ ଅପତ୍ୟ ସ୍ନେହ ବଶରେ ନିଜର ଅଯୋଗ୍ୟ ସନ୍ତାନଙ୍କୁ କ୍ଷମତା ବଳରେ ନେତା ଓ ଉତ୍ତରାଧିକାରୀ କରି ଦେଶ ଓ ସମାଜ ଉପରେ ଲଦି ଦେବା ଅନ୍ୟାୟ । ସନ୍ତାନଙ୍କ ଦୁଷ୍କର୍ମକୁ ଘଣ୍ଟ ଘୋଡ଼ାଇବା, ଅନ୍ୟାୟକୁ ଉତ୍ସାହିତ କରିବା ଏକ ପୈତୃକ ଦୁର୍ବଳତା । ଲଙ୍କାର ବିଶ୍ରବା ଋଷିଙ୍କଠାରୁ ଆରମ୍ଭ କରି ଓଡ଼ିଶାରେ ବିଦ୍ୟାଭୂଷଣଙ୍କ ପର୍ଯ୍ୟନ୍ତ ବହୁ ପିତାମାତାଙ୍କ କ୍ଷମତା ଓ ପ୍ରଭାବର ଅପବ୍ୟବହାର କରି ସନ୍ତାନମାନେ ଉପରକୁ ଉଠି ପାରନ୍ତି, କିନ୍ତୁ ଏହା ଦ୍ୱାରା ପିତାମାତାଙ୍କ ମାନ ସମ୍ମାନ ତଳକୁ ଖସିଯାଏ । ଏବେ ଗୁରୁଗାଁଓର ଏକ ସ୍କୁଲରେ ଜଣେ ଛାତ୍ର ନିଜ ପିତାଙ୍କ ପିସ୍ତଲ ନେଇ ସେଇ ସ୍କୁଲର ନିଜ ସହପାଠୀକୁ ଗୁଳି କରି ମାରିଦେଲା ପରେ ତାଙ୍କ ପିତା କହିଲେ “ମୋ ପିଲା ନିର୍ଦ୍ଦୋଷ”, ସୁନା ପିଲା, ଅନ୍ୟ କିଏ ମାରିଥିବ । ଏମାନେ ଧୃତରାଷ୍ଟ୍ରବାର ପ୍ରକୃତ ଦାୟାଦ ।

ଧୃତରାଷ୍ଟ୍ର ଓ ଗାନ୍ଧାରୀ ଗୋଟିଏ ନୁହେଁ - ଦୁଇଟି ବିଚାର ଧାରାର ପ୍ରତୀକ । ଜଣେ ସନ୍ତାନ ମୋହରେ ଅନ୍ଧ - ଅନ୍ୟ ଜଣେ ସତ୍ୟ, ନ୍ୟାୟ, ଧର୍ମ ଓ ବିଚାରବତୀ । ଗାନ୍ଧାରୀ ସର୍ବଦା ନିଜ ପତି ଓ ସନ୍ତାନଙ୍କୁ ଠିକ୍ ବାଟରେ ଚାଲିବାକୁ ଉପଦେଶ ଦେଉଥିଲେ । ତେଣୁ ପଥଭ୍ରଷ୍ଟ ପିଲାମାନଙ୍କୁ ବିଜୟ ଆଶୀର୍ବା ଦେଇନଥିଲେ । ଶ୍ରୀମନ୍ଦିର ନିର୍ମାଣ ସରିଲା ପରେ ଓଡ଼ିଶାର ଠାକୁର ରାଜା ଜଗନ୍ନାଥଙ୍କୁ ବର ମାଗିଥିଲେ - ପ୍ରଭୁ ! ମତେ ନିର୍ବଂଶ କରି ଦିଅନ୍ତୁ - ନହେଲେ ମୋ ବଂଶଧରମାନେ ଦାବି କରି କହିବେ ଏ ମନ୍ଦିର ଆମର ପିତୃ ଅର୍ଜିତ ସମ୍ପତ୍ତି । ସମାଜକୁ ଯୋଗ୍ୟ, ଧାର୍ମିକ, ସତ୍ୟନିଷ୍ଠ ସନ୍ତାନସନ୍ତତି ଦାନ କରିବା ମାତା ପିତାଙ୍କ କର୍ତ୍ତବ୍ୟ ଓ ଧର୍ମ । ତେଣୁ ଧୃତରାଷ୍ଟ୍ରମାନଙ୍କର ସଂଖ୍ୟା ହ୍ରାସ ଓ ଗାନ୍ଧାରୀଙ୍କ ପରି ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ହେଲେ ଯାଇ ଦେଶରେ ପ୍ରଗତି, ନ୍ୟାୟ ଓ ଶାନ୍ତି ପ୍ରତିଷ୍ଠିତ ହେବ । ଏହା ଦେଶର ସବୁ ପିତାମାତାଙ୍କ ପ୍ରତି ଏକ ଆହ୍ୱାନ ।

୧୧ ଜାନୁଆରୀ, ୨୦୦୮

୨୮୮ ବିକଳ୍ପ ବିଶ୍ୱ