ପୃଷ୍ଠା:Bikalpa Biswa.pdf/୨୮୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଆମେ କାହିଁକି ସବାତଳେ ?

ଭାରତ ଆବିଷ୍କାର ଯାତ୍ରାରେ ବାହାରିଥିବା ଜାତୀୟ କଂଗ୍ରେସର ଯୁବ ସାଧାରଣ ସମ୍ପାଦକ ରାହୁଲ ଗାନ୍ଧି ରାଉରକେଲାରେ ପହଞ୍ଚି କହିଛନ୍ତି ‘ଗରିବତମ ରାଜ୍ୟ ବୋଲି ଓଡ଼ିଶାରୁ ଭାରତ ଯାତ୍ରା ଆରମ୍ଭ କରିଛି’ । ଏହା ପୂର୍ବରୁ ତାଙ୍କର ସ୍ୱର୍ଗତ ପିତା ରାଜୀବ ଗାନ୍ଧି ଓ ଗୋସେଇଁ ମା ଇନ୍ଦିରା ଗାନ୍ଧି ଓଡ଼ିଶାର ଦାରିଦ୍ର୍ୟ ସ୍ୱକ୍ଷୁରେ ଦେଖି ଯାଇଥିଲେ । ମହାତ୍ମା ଗାନ୍ଧୀ ତ ଓଡ଼ିଶା ପଦଯାତ୍ରା ବେଳେ ଏଠାର ଦାରିଦ୍ର୍ୟ ଦେଖି ପିନ୍ଧା ଦୋଷଡ଼ାରୁ ଖଣ୍ଡିଏ ଛାଡି ଦେଇ ସାରା ଜୀବନ ଖଣ୍ଡିଏ ପିନ୍ଧିବାକୁ ନିଷ୍ପତ୍ତି ନେଇଥିଲେ । ଏହା ସତ୍ତ୍ୱେ ଓଡ଼ିଶା ସବୁଠାରୁ ପଛୁଆ ଓ ଦରିଦ୍ରତମ ରାଜ୍ୟ ହୋଇ ରହିଛି । ବଲାଙ୍ଗୀର, କଳାହାଣ୍ଡି, କୋରାପୁଟ ଦେଶର ସବୁଠୁ ଗରିବ ଅଞ୍ଚଳ । ଏବେ ପ୍ରଥମ ଥରପାଇଁ ଏକ ନୂଆ ରାଜନୈତିକ ଦଳ ‘ସମୃଦ୍ଧ ଓଡ଼ିଶା’ ଜନ୍ମଭୂମି ବିକାଶ ଯାତ୍ରା ଜରିଆରେ ପାଞ୍ଚବର୍ଷରେ ଓଡ଼ିଶାରୁ ଗରିବୀ ହଟାଇ ଦେବେ ବୋଲି ରଣହୁଙ୍କାର ଦେଇଛି ଏବଂ ଯଦି ଏହା ନ ହେବ, ତେବେ ପରବର୍ତ୍ତୀ ନିର୍ବାଚନ ଲଢ଼ିବ ନାହିଁ ବୋଲି ଘୋଷଣା କରିଛି । ଗତ ସାତ ବର୍ଷ ଭିତରେ ରାଜ୍ୟରେ ଥିବା ଗରିବଙ୍କ ସଂଖ୍ୟା ଚଉଦ ଲକ୍ଷ ବଢ଼ିଗଲାଣି । ୨୦୦୦ ମସିହାରେ ଏ ସଂଖ୍ୟା ଥିଲା ଏକ କୋଟି ସତୁରୀ ଲକ୍ଷ । ଏବେ ବଢ଼ି ହେଲାଣି ଏକ କୋଟି ଚଉରାଅଶୀ ଲକ୍ଷ । ଦେଶର ଅର୍ଥମନ୍ତ୍ରୀ ଚିଦାମ୍ବରମ୍ ଯେଉଁ ‘ଇକନମିକ୍ ସର୍ଭେ’ ଲୋକସଭାରେ ପେସ୍ କଲେ, ତା’ ଅନୁସାରେ କେବଳ କେବିକେ ନୁହେଁ, ସମଗ୍ର ଓଡ଼ିଶା । ହେଉଛି ଦେଶର ସବୁଠୁ ଦରିଦ୍ର ରାଜ୍ୟ ।

ଗତ ସାତ ବର୍ଷ ହେଲା ‘ଇଣ୍ଡିଆ ଟୁଡେ’ ଅଭିଜ୍ଞ ଅନୁଧ୍ୟାନକାରୀ ଗବେଷକ ଦଳକୁ ଦେଶର ବିଭିନ୍ନ ରାଜ୍ୟକୁ ପଠାଇ ରିପୋର୍ଟ ଦେଇ ଆସୁଛନ୍ତି । ପ୍ରଗତିର ବିଭିନ୍ନ ମାନ‌ଦଣ୍ଡ ପ୍ରୟୋଗ କରି ଏହି ଗବେଷକମାନେ କେଉଁ ରାଜ୍ୟ କେଉଁଠି ଓ କେଉଁ ଅବସ୍ଥାରେ ଅଛନ୍ତି ତା’ର ଏକ ତାଲିକା ପ୍ରସ୍ତୁତ କରନ୍ତି ଏବଂ ସେହି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଦିଲ୍ଲୀ

ବିକଳ୍ପ ବିଶ୍ୱ ୨୮୯