ପୃଷ୍ଠା:Bikalpa Biswa.pdf/୨୯୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହିସାବ ନାହିଁ । ଲାଭର ବେସରକାରୀ ହିସାବ ବହୁ ଅଧିକ । ଏହି ଲାଭରୁ ଭାଗଚାଷୀ ହିସାବରେ ଅନ୍ତତଃ ଅଧାଲାଭ ଟଙ୍କା ଯଦି ଓଡ଼ିଶାକୁ ମିଳିଥାନ୍ତା ତେବେ ଓଡ଼ିଶାର ୪୯ ଲକ୍ଷ ଯୁବକ-ଯୁବତୀ ମାସିକ ଦୁଇ ହଜାର ଟଙ୍କା ଦରମାରେ ନିଯୁକ୍ତି ପାଇଥାନ୍ତେ । ଯେଉଁ ୩୭ ଲକ୍ଷ ଗରିବ ପରିବାର ଅଛନ୍ତି, ପ୍ରତ୍ୟେକ ପରିବାରରୁ ଜଣକୁ ନିଯୁକ୍ତି ମିଳିଥାନ୍ତା ଓ ପାଞ୍ଚବର୍ଷରେ ଓଡ଼ିଶାର ସବୁ ପରିବାର ଦାରିଦ୍ର୍ୟ ସୀମାରେଖା ଡେଇଁ ଯାଇଥାନ୍ତେ । ଆମଦାନୀ ନ ବଢ଼ାଇ ଓଭରଡ୍ରାଫ୍ଟଦ୍ୱାରା ଋଣ ପରିଶୋଧରେ ବଜେଟ୍‌ର ଅଧାରୁ ଅଧିକ ପଇସା ଚାଳିଗଲେ ଦାରିଦ୍ର୍ୟ ହଟିବ ନାହିଁ । ହିନ୍ଦୀରେ ଏକ ଉକ୍ତି ଅଛି - ‘ଆମଦାନୀ ଆଠନୀ ଖର୍ଚ୍ଚା ରୂପେୟା, ନତିଜା ଠନ୍ ଠନ୍ ଗୋପାଲ୍’ ।

ଏହି ଦୁର୍ଭାଗ୍ୟଜନକ ପରିସ୍ଥିତିରୁ ଉଦ୍ଧାରପାଇଁ ଏକ ଯୋଜନାବଦ୍ଧ ପ୍ରଗତିକୈନ୍ଦ୍ରିକ ଅର୍ଥନୈତକ ସଂଗ୍ରାମ ଆବଶ୍ୟକ । ନୂଆ ନୂଆ ଜ୍ଞାନ ଓ କୌଶଳର ପ୍ରୟୋଗ ଆବଶ୍ୟକ । ପ୍ରତ୍ୟେକ ଜମିକୁ ପାଣି ଓ ହାତକୁ କାମ ଯୋଗାଇ ଦେବାପାଇଁ ଯାହା ଯାହା ଦରକାର ସେସବୁକୁ ଅଗ୍ରାଧିକାର ଦେବାବୋକୁ ପଡ଼ିବ । କୃଷି ଉତ୍ପାଦନ ବୃଦ୍ଧି ହାର ଶତକଡ଼ା ୩.୮ ରୁ ୨.୬ କୁ କମିଗଲାଣି । ବର୍ଷକୁ ଶତକଡ଼ା ଦୁଇଭାଗରୁ ଅଧିକ ଜମିକୁ ଜଳସେଚନ ବ୍ୟବସ୍ଥା କରିହେଉନାହିଁ । ଏଭଳି ସ୍ଥଳେ ଉତ୍ପାଦନ ବଢ଼ିବ କେମିତି ? ରାଜ୍ୟର ୬୫ ହଜାର ଲିଫ୍ଟ ଇରିଗେସନ୍ ପ୍ରେଜେକ୍ଟ ୧୩୮ଟି ଜଳଭଣ୍ଡାର, ୬୩ ହଜାର ପଞ୍ଚାୟତ ପୋଖରୀ କ୍ରମେ ପୋତି ହୋଇ ଯାଉଛନ୍ତି । ତେଣୁ ଆମର ଉତ୍ପାଦନ, ଅର୍ଜନ, ବଣ୍ଟନ ଓ ସାମାଜିକ ନ୍ୟାୟ ବ୍ୟବସ୍ଥାକୁ ପୁଣିଥରେ ପର୍ଯ୍ୟବେକ୍ଷଣ କରିବାକୁ ହେବ ।

ରାଜ୍ୟର ସାମଗ୍ରିକ ଆୟରୁ କୃଷିଭିତ୍ତିକ ଆୟ ପାଞ୍ଚଭାଗରୁ ଭାଗେ, କିନ୍ତୁ ଲୋକସଂଖ୍ୟାର ୫ ଭାଗରୁ ୪ ଭାଗ କୃଷି ଉପରେ ନିର୍ଭରଶୀଳ ରହିଛନ୍ତି । ଦାରିଦ୍ର୍ୟ ବୃଦ୍ଧିର ଏହା ଏକ ମୁଖ୍ୟ କାରଣ । ଆମେରିକାରେ ମାତ୍ର ଅଡ଼େଇ ଭାଗ ଲୋକ କୃଷି ଉପରେ ନିର୍ଭର କରନ୍ତି । ସିଙ୍ଗାପୁରରେ ଚାଷ ଜମି ନାହିଁ, ତେଣୁ ସେଠାରେ କେହି କୃଷି କରନ୍ତି ନାହିଁ । ଜଣ ପିଛା ବାର୍ଷିକ ଆୟ ବାରଲକ୍ଷ ଟଙ୍କା । ତେଣୁ ଯେଉଁ ରାଜ୍ୟ ବା ଦେଶ ଅନୁନ୍ନତ ଅବସ୍ଥାରୁ ଉଠି ଏବେ ଉନ୍ନତ ରାଜ୍ୟ ବା ଦେଶ ଭାବରେ ଗଣା ହେଉଛନ୍ତି, ସେମାନଙ୍କଠାରୁ ଶିଖିବାକୁ ହେବ । ବ୍ୟକ୍ତିଗତ ଭାବେ ଆମର ପ୍ରକୃତି ଓ ପ୍ରବୃତ୍ତି ସବୁକୁ ସମୀକ୍ଷା କରିବାକୁ ପଡିବ । ମହିଳା ଓ ଯୁବବର୍ଗଙ୍କୁ ପ୍ରଗତିର ଆଗଧାଡ଼ିରେ ଠିଆ ହେବାକୁ ସୁଯୋଗ ସୃଷ୍ଟି କରିବାକୁ ହେବ । ଆମର ‘ଧନ, ଜନ ଲୋଡ଼ା ନାହିଁ’ କି ଲୋଡ଼ା ସ୍ଥିର କରିବାକୁ ହେବ । ‘ଶରଧା ବାଲିରୁ ହାତେ’ରେ ସତରେ ପେଟ ପୂରିବ କି ନାହିଁ ଭାବିବାକୁ ପଡ଼ିବ । ଆଜି ସମୟ ଆସିଛି, ନିଜକୁ ପଚାରିବାକୁ, ଶାସନ ଓ

୨୯୨ ବିକଳ୍ପ ବିଶ୍ୱ