ପୃଷ୍ଠା:Bikalpa Biswa.pdf/୨୯୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗ୍ରହଣ କରିଥିଲେ ଓ ଶତାଧିକ କାରୁକାର୍ଯ୍ୟପୂର୍ଣ୍ଣ ମସଜିଦ୍ ଗଢ଼ି ଉଠିଥିଲା । ତେରଶହ ଶତାବ୍ଦୀ ଆଦ୍ୟ ଭାଗରେ ଚେଙ୍ଗିଜ୍ ଖାନ୍‌ଙ୍କ ଆକ୍ରମଣରେ ଏ ଅଞ୍ଚଳ ଛାରଖାର ହୋଇଯାଇଥିଲା । କିନ୍ତୁ ପରବର୍ତ୍ତୀ କାଳରେ ତାଙ୍କ ବଂଶଧର ତୈମୁରଲଙ୍ଗ ଯୁଦ୍ଧବେଳେ ବନ୍ଦୀ ହୋଇଥିବା କାରିଗରମାନଙ୍କୁ ଦାସ ଭାବରେ ଲଗାଇ ଧ୍ୱସ୍ତ ବିଧ୍ୱସ୍ତ ସହର ଓ ଧର୍ମସ୍ଥାନଗୁଡିକର ପୁନରୁଦ୍ଧାର କରିଥିଲେ । ତୈମୁରଲଙ୍ଗ ଇରାକ୍, ଇରାନ୍ ଜୟ କରି ଦିଲ୍ଲୀ ପର୍ଯ୍ୟନ୍ତ ଆସିଯାଇଥିଲେ ଓ ଭାରତ ଇତିହାସର ଏକ ଖଳନାୟକ ହୋଇ ଯାଇଥିଲେ । ଇରାକ୍, ଇରାନ୍‌ରେ ମଧ୍ୟ ତାଙ୍କ ଅତ୍ୟାଚାର କାହାଣୀ ଲୋକେ ଏପର୍ଯ୍ୟନ୍ତ ଭୁଲିନାହାନ୍ତି ।

ସମରକନ୍ଦରେ ପହଞ୍ଚି ଆମେ ଗଲୁ ଫରଘନା ଉପତ୍ୟକାରେ ଥିବା ଆଣ୍ଡିଜାନ ସହର - ବାବରଙ୍କ ପ୍ରକୃତ ଜନ୍ମସ୍ଥାନ । ଏଠାରେ ଥିବା ଅତି କାରୁକାର୍ଯ୍ୟ ପୂର୍ଣ୍ଣ ସୁନ୍ଦର ଜୁମା ମସ୍‌ଜିଦ୍‌କୁ ଦୃଢ଼ କରିବାକୁ ଭାରତରୁ ୯୮ଟି କାଠର ସ୍ତମ୍ଭ ଅଣାଯାଇ ବ୍ୟବହାର କରାଯାଇଥିଲା । ୧୫୦୧ ମସିହାରେ ବାବର ସମରକନ୍ଦ ଛାଡ଼ି ପଳାୟନ କରିଥିଲେ । ତାଙ୍କର ପ୍ରକୃତ ନାମ ଥିଲା ଜହିରୁଦ୍ଧିନ୍ ମହମ୍ମଦ (୧୪୮୩-୧୫୩୦) ଓ ଡାକ ନାଁ ଥିଲା ବାବର । ଆଣ୍ଡିଜାନ୍‌ର ଅଧିକାଂଶ ଲୋକ ତୁର୍କୀ । ଚାରିପଟେ ପାହାଡ଼ ଓ ମଝିରେ ଥିବା ଉପତ୍ୟକାରେ ପ୍ରଚୁର ଗହମ ଓ ଫଳ ହୁଏ । ଲେମ୍ବୁ ଆକାରର ବଡ଼ ବଡ଼ ମିଠା ଅଙ୍ଗୁର ଫଳେ । ଲୋକମାନେ ଦେଖିବାକୁ ଭାରି ସୁନ୍ଦର - ଶ୍ୱେତକାୟ, କୃଷ୍ଣକେଶ ଓ କକେସୀୟ ନାସା । ତରଭୁଜ ଖାଇବାକୁ ପସନ୍ଦ କରନ୍ତି ଏମାନେ । ଏଠାକାର ‘ମିର୍ ତିମୁରୀ ତରଭୁଜ’ ବିଶ୍ୱପ୍ରସିଦ୍ଧ । ବାବରଙ୍କ ରାଜତ୍ୱ ସମୟରେ ଏହି ମେଲନ୍ ବା ତରଭୁଜକୁ ଭାରତ ଅଣାଯାଇଥିଲା । ‘ମିର୍ ତିମୁରୀ’ ତରଭୁଜ ଖାଇବାକୁ ବାବର ଉତ୍ସୁକତାର ସହ ଅପେକ୍ଷା କରୁଥିଲେ । ସେତେବେଳେ ରାସ୍ତାଘାଟର ବିଶେଷ ସୁବିଧା ନଥିବାରୁ ଘୋଡ଼ାସବାର ମାନେ ତରଭୁଜକୁ ଅତି କଷ୍ଟରେ ଦିଲ୍ଲୀ ପର୍ଯ୍ୟନ୍ତ ବୋହି ଆଣୁଥିଲେ । ବାବରଙ୍କ ପରେ ‘ମିର୍ ତିମୁରୀ’ ଚାଷ ଭାରତରେ ଆରମ୍ଭ ହୋଇ ଏବେ ସାରା ଦେଶ ବ୍ୟାପି ଗଲାଣି । ମାନବ ସମାଜ ଇତିହାସ ଭଳି ଫଳ ଫୁଲଙ୍କ ଇତିହାସ ବେଶ୍ ଚିତ୍ତାକର୍ଷକ ।

ଫରଘନା ଓ ବୁଖାରାରେ ଭାରତୀୟ କଳାକାର ଦଳ ନିଜର କଳା ପ୍ରଦର୍ଶନ କରି ଦର୍ଶକମାନଙ୍କୁ ମୁଗ୍ଧ କରି ଦେଇଥିଲେ । ତା’ପରିନ ସମରକନ୍ଦ ସହରରେ ଷ୍ଟାଡିଅମ୍‌ରେ ପ୍ରାୟ ୩୦ ହଜାର ଲୋକ ଏକାଠି ହୋଇଥିଲେ ଏହି ଦଳକୁ ନାଗରିକ ସମ୍ବର୍ଦ୍ଧନା ଦେବାପାଇଁ । ଏଠାକାର ଲୋକେ ‘ଭାରତ’ ନାଁ ସହ ଅପରିଚିତ - ଭାରତକୁ

ବିକଳ୍ପ ବିଶ୍ୱ ୨୯୫