ପୃଷ୍ଠା:Bikalpa Biswa.pdf/୨୯୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପଡ଼ିଲା । ତେବେ, କାହିଁକି ଏହି ମହାନ୍ ମାନବୀୟ ଦର୍ଶନ ଅଚଳ ହୋଇଗଲା ସେ ସମ୍ପର୍କରେ ବିଭିନ୍ନ ମତ ରହିଛି ।

ଆମେ ବୁଖାରୀ ଷ୍ଟାଡିଅମ୍‌ରେ ପହଞ୍ଚିଲା ମାତ୍ରେ ସେଠାକାର ମେୟର ପାଛୋଟି ନେଲେ ଓ ଋଷୀୟ ଭାଷାରେ ଏକ ଲମ୍ବା ଭାଷଣ ଦେଇ ଉଜ୍‌ବେକିସ୍ତାନ ଓ ହିନ୍ଦୁସ୍ଥାନ ମଧ୍ୟରେ ଯୁଗ ଯୁଗ ଧରି ରହିଥିବା ‘ଦୋସ୍ତି’ ବିଷୟରେ ବିଭିନ୍ନ ଉଦାହରଣ ଦେଇ ଚାଲିଲେ । ଭାରତୀୟ କଳାକାର ଦଳ ପକ୍ଷରୁ ଉତ୍ତରରେ ମୁଁ ଯାହା ସବୁ କହିଲି ସେଥିରୁ ତିନିଟି କଥା ଲୋକଙ୍କର ପସନ୍ଦ ହୋଇଥିଲା ଓ କରତାଳି ମାଧ୍ୟମରେ ସମର୍ଥନ ମିଳିଥିଲା । ମୁଁ କହିଥିଲି ଯେ ମହାକାବ୍ୟ ମହାଭାରତର ସବୁଠାରୁ ସମ୍ମାନିତ ମହିଳା ଓ ଜନନୀ ଗାନ୍ଧାରୀ (କାନ୍ଦାହାରୀ) ଥିଲେ ‘ମଧ୍ୟ ଏସିଆ’ର କନ୍ୟା । ବାବର ଥିଲେ ପ୍ରଥମ ଆକ୍ରମଣକାରୀ ଯେ ଲୁଣ୍ଠନ ନ କରି ଭାରତକୁ ନିଜର କର୍ମଭୂମି କରିଥିଲେ । ଉଜ୍‌ବେକିସ୍ତାନରୁ ଭାରତକୁ ଯାହା ଆସିଛି ସେ ସବୁଠୁ ମିଠା ହେଲା ମିରଟିମୁର ମେଲନ୍ ବା ତରଭୁଜ । ଆମ ଦୁଇ ଦେଶରେ ଗୋଟିଏ ପଦ ଭାରି ପପୁଲାର - ତା’ର ନାଁଟି ହେଲା ‘ମୁହବତ୍’ । ଏହା ଉଜ୍‌ବେକୀ ଭାଷାରୁ ଆସିଛି । ସେହିପରି ଭାରତରେ ଯାହାଙ୍କୁ କୁହାଯାଏ ‘ବ୍ରାହ୍ମନ୍’, ସେଥିରୁ ‘ବ’ ଫଳା ଲୁପ୍ତ ହୋଇଯାଇଛି ଉଚ୍ଚାରଣରେ । ଆପଣମାନଙ୍କ ଦେଶରେ ସେମାନଙ୍କ ନାମ “ରହମନ୍” । ତେଣୁ ଆମ ଦୁଇ ଦେଶର ସମ୍ପର୍କ ‘ମେଲନ୍’ ଓ ‘ମୁହବତ୍’ ଭଳି ମଧୁର ହେଉ । ହିନ୍ଦୁସ୍ତାନ ଓ ଉଜ୍‌ବେକିସ୍ତାନ ମଧ୍ୟରେ ହଜାର ବର୍ଷ ଧରି ଯେଉଁ ଐତିହାସିକ ସମ୍ପର୍କ ଗଢ଼ି ଉଠିଛି ତାହା ଆହୁରି ବଳବତ୍ତର ହେଉ । ଉପସ୍ଥିତ ଶ୍ରୋତାମାନେ ବିପୁଳ କରତାଳି ଦେଇ ଏହାକୁ ସ୍ୱାଗତ କରିଥିଲେ । ଫେରିଲା ବାଟରେ ଅନୁବାଦକ ଖୁବ୍ ଖୁସି ଜଣାପଡୁଥିଲେ । କହିଲେ ଆମ ଦୁଇ ଦେଶ ମଧ୍ୟରେ ଏପରି ମଧୁର ସମ୍ପର୍କର ଇତିହାସ ମତେ ଜଣା ନଥିଲା ।

୧୭ ଏପ୍ରିଲ୍, ୨୦୦୮

ବିକଳ୍ପ ବିଶ୍ୱ ୨୯୭