ପୃଷ୍ଠା:Bikalpa Biswa.pdf/୨୯୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଏକ ନିଷ୍ଠୁର ବିଦୃପ

ପୃଥିବୀରେ ଦେଖା ଦେଇଥିବା ଖାଦ୍ୟ ସଙ୍କଟ ସକାଶେ ଯେତେ ସବୁ କାରଣ ରହିଛି, ତା ଭିତରୁ ଭାରତ ଓ ଚୀନ୍‌ର କ୍ରମବର୍ଦ୍ଧିଷ୍ଣୁ ମଧ୍ୟବିତ୍ତ ସମାଜର ଅଧିକ ଓ ଉତ୍ତମ ଖାଦ୍ୟ ଅଭ୍ୟାସ ଅନ୍ୟତମ ବୋଲି କହି ରାଷ୍ଟ୍ରପତି ଜର୍ଜ ବୁଶ୍ ନିଜ ଦେଶର ଅସନ୍ତୁଷ୍ଟ ନାଗରିକମାନଙ୍କୁ ବୁଝାଉଛନ୍ତି । ଏହା ପୂର୍ବରୁ ସେ ଆମେରିକା ସ୍କୁଲପିଲାଙ୍କୁ କହୁଥିଲେ ଅଙ୍କ ଓ ବିଜ୍ଞାନ ଭଲ କରି ପଢ଼, ନହେଲେ ଇଣ୍ଡିଆ ଓ ଚୀନ୍ ପିଲାମାନେ ଚାକିରି ଛଡ଼ାଇନେବେ । କିନ୍ତୁ ସୁଖର କଥା ଯେ ଓବାମା ଏପରି ଭାବୁନାହାନ୍ତି । ଏବେ ୟୁରୋପିଆନ୍ ୟୁନିଅନ୍‌ର ମୁଖ୍ୟ ଖାଦ୍ୟ କମିସନର କହୁଛନ୍ତି ଜନବହୁଳ ଭାରତୀୟ ଓ ଚାଇନିଜ୍ ବଡ ହାତୀ ଦୁଇଟି ସବୁ ଖାଦ୍ୟ ଖାଇଯିବେ, ଏମାନଙ୍କୁ ସାବଧାନ ! ପ୍ରଥମେ ଚୀନ୍ ଓ ପନ୍ଦର ବର୍ଷ ପରେ ଭାରତର ଅର୍ଥନୈତିକ ଉନ୍ନତି ଦେଖି ଅନେକ ଧନୀ ଦେଶ ଛାନିଆ ହେଲେଣି । ଜଗତୀକରଣ, ଉଦାରୀକରଣ ଓ ବଜାରୀକରଣର ଲାଭ ଉଠାଇ ବିକାଶଶୀଳ ଦେଶମାନେ ଏବେ ବିକଶିତ ଦେଶମାନଙ୍କ ବଜାରରେ ପଶିଲେଣି । ସେ ଦେଶର କଳ, କାରଖାନା, ହୋଟେଲ, ଦୋକାନ କିଣିଲେଣି । ଏକଥା ସହଜରେ ହଜମ ହେଉନାହିଁ, କାରଣ ନିଜ ଦେଶର ଜିନିଷ ବିକିବାପାଇଁ ଗରିବ ଦେଶର ମାର୍କେଟ ମିଳିବା ଏଣିକି କଷ୍ଟକର ହେବ ।

ପଲିଟିକାଲ୍ ଇକୋନମିଷ୍ଟ ଗୁନ୍ନାର ମିର୍ଦାଲଙ୍କ ମତରେ ଗୋଟିଏ ଅଞ୍ଚଳର ସମୃଦ୍ଧିର ପ୍ରତିକୂଳ ପ୍ରଭାବ ଅନ୍ୟ ଅଞ୍ଚଳରେ ପଡ଼ିଥାଏ - ‘ବ୍ୟାକ୍‌ଲାଶ୍ ଏଫେକ୍ଟ’ । କିନ୍ତୁ ମଧ୍ୟବିତ୍ତ ଭାରତୀୟମାନଙ୍କ ଖାଦ୍ୟପେୟ ଶୈଳୀ ବିଶ୍ୱ ବଜାରରେ ଖାଦ୍ୟର ମୁଲ୍ୟବୃଦ୍ଧି ପାଇଁ ସତରେ ଦାୟୀ କି ନୁହେଁ, ଖାଦ୍ୟ ଅଭ୍ୟାସ ପ୍ରକୃତରେ ପରିବର୍ତ୍ତନ ହୋଇଛି କି ନାହିଁ ସେ ସମ୍ପର୍କରେ ଆଲୋଚନା ଆବଶ୍ୟକ । ପୃଥିବିରେ ଯେଉଁ ଅଶୀକୋଟି ଲୋକ ଏବେ ଭୋକ ଉପାସରେ ରହୁଛନ୍ତି, ସେମାନେ ଦୁଇଓଳା ଖାଇବାକୁ ପାଇଲେ ବିଶ୍ୱବଜାରରେ ଖାଦ୍ୟ

୨୯୮ ବିକଳ୍ପ ବିଶ୍ୱ