ପୃଷ୍ଠା:Bikalpa Biswa.pdf/୨୯୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମୂଲ୍ୟ ବୃଦ୍ଧି ହେବ ନା ଯେଉଁ ଦେଶର ଲୋକ ଅତିଭୋଜନ କରୁଛନ୍ତି ଓ ଖାଦ୍ୟ ଶସ୍ୟକୁ ପେଷିି ତା ତେଲରେ ଗାଡ଼ିମଟର ଚଳାଉଛନ୍ତି, ସେମାନଙ୍କ ଯୋଗୁଁ ଖାଦ୍ୟର ଦର ବୃଦ୍ଧି ହେଉଛି ? ବିଚାରିବା କଥା କିଏ କେତେ ଖାଦ୍ୟ ଖାଉଛି, କେତେ ତେଲ ପିଉଚି ଓ ତେଲପାଇଁ କେତେ ଖାଦ୍ୟ ପେଷୁଛି ?

ଗୋଟିଏ ଉଦାହରଣରୁ କଥାଟି ପରିଷ୍କାର ହୋଇଯିବ । ଏକଥା ପ୍ରାୟ ସମସ୍ତଙ୍କୁ ଜଣା ଯେ ଏକ କିଲୋ ମାଂସ ଉତ୍ପଦନପାଇଁ ପାୟ ୨୦ କିଲୋ ଖାଦ୍ୟଶସ୍ୟ ଦରକାର ହୋଇଥାଏ । ଜଣେ ଆମେରିକୀୟ ନାଗରିକ ବର୍ଷକୁ ୧୨୦ କିଲୋ ମାଂସ ଖାଆନ୍ତି । ଅର୍ଥାତ୍ ଜଣ ପିଛା ବର୍ଷକୁ ଏକ କୁଇଣ୍ଟାଲ୍ ଜାଗାରେ ୨୪ କୁଇଣ୍ଟାଲ ଶସ୍ୟ ଖର୍ଚ୍ଚ ହୁଏ । ଅନ୍ୟପକ୍ଷରେ ଭାରତରେ ଜଣ ପିଛା ବାର୍ଷିକ ମାଂସାହାର ୪ କିଲୋ ଯାହାକି ୮୦ କିଲୋ ଖାଦ୍ୟଶସ୍ୟ ସଙ୍ଗେ ସମାନ । ଏହି ହିସାବରେ ଜଣେ ଭାରତୀୟଙ୍କଠାରୁ ଜଣେ ଆମେରିକୀୟ ୩୦ ଗୁଣ ଅଧିକ ଖାଆନ୍ତି । ତେଣୁ କାହାଯୋଗୁଁ ବିଶ୍ୱ ବଜାରରେ ଖାଦ୍ୟଶସ୍ୟର ମୂଲ୍ୟବୃଦ୍ଧି ଘଟୁଛି ? କିଏ ଆଗ ଖାଦ୍ୟ କମାଇବା କଥା ? ଚାଲୁଣି ନା ଛୁଞ୍ଚି ?

ସେହିପରି ମାଛ, ମାଂସକୁ ଛାଡିଦେଲେ, ଜଣେ ଭାରତୀୟ ଚାଉଳ, ଗହମ, ପନିପରିବା, କ୍ଷୀର, ଫଳ, ତେଲ ଇତ୍ୟାଦିରେ ବର୍ଷକୁ ୧୭୮ କିଲୋ ଖାଉଥିଲା ବେଳେ, ଜଣେ ଆମେରିକୀୟ ନାଗରିକ ବର୍ଷକୁ ଏ ବାବରେ ୧୦୪୬ କିଲୋ ଖଆନ୍ତି । ଏହା ଜଣେ ୟୁରୋପୀୟଙ୍କ ଖାଦ୍ୟଠାରୁ ଦୁଇଗୁଣ, ଚୀନ୍ ନାଗରିକଙ୍କ ଖାଦ୍ୟଠାରୁ ୩ ଗୁଣ ଓ ଭାରତୀୟଙ୍କଠାରୁ ୫ ଗୁଣରୁ ଅଧିକ । ଏପରିକି ଦୁଗ୍ଧପ୍ରିୟ ଭାରତୀୟ ବର୍ଷକୁ ଜଣପିଛା ୩୬ ଲିଟର ଦୁଗ୍ଧ ବ୍ୟବହାର କରୁଥିଲା ବେଳେ ମାଂସପ୍ରିୟ ଜଣେ ଆମେରିକୀୟ ବର୍ଷକୁ ୭୮ ଲିଟର ଦୁଗ୍ଧ ବ୍ୟବହାର କରନ୍ତି । କିନ୍ତୁ ଚୀନ୍‌ରେ ଏହା ମୁଣ୍ଡ ପିଛା ୧୧ ଲିଟର ।

କେବଳ ସଉକପାଇଁ ଗୃହପାଳିତ ଜୀବଜନ୍ତୁଙ୍କ ପିଛା ଆମେରିକା ଓ ୟୁରୋପର ନାଗରିକମାନେ ବର୍ଷକୁ ପେଟ୍‌ଫୁଡ ବାବରେ ଖର୍ଚ୍ଚ କରନ୍ତି ୮୦ ହଜାର କୋଟି ଟଙ୍କା, ଏବଂ ତିନିଗୁଣ ଅଧିକ ଲୋକସଂଖ୍ୟା ଥିବା ଭାରତରେ ଏ ବାବଦରେ ବର୍ଷକୁ ଖର୍ଚ୍ଚ ହୁଏ ମାତ୍ର ୧୨୦ କୋଟି ଟଙ୍କା । ୨୦୦୭ ମସିହାରେ ପୋଷା ବିରାଡ଼ି, କୁକୁରଙ୍କୁ ଖୁଆଇବାରେ ଆମେରିକାର ଖର୍ଚ୍ଚ ହୋଇଛିି ୬୦ ହଜାର କୋଟିରୁ ଅଧିକ ଟଙ୍କା ! ବିକଶିତ ଦେଶ ମାନଙ୍କରେ ବସବାସ କରୁଥିବା ପୃଥିବୀର ୨୦ ଭାଗ ଲୋକ, ପ୍ରାୟ ୫୦ ଭାଗ ମାଛ, ମାଂସ ଖାଇଯାଆନ୍ତି, ୮୪ ଭାଗ କାଗଜ ଖର୍ଚ୍ଚ କରନ୍ତି, ୮୦ ଭାଗ

ବିକଳ୍ପ ବିଶ୍ୱ ୨୯୯