ପୃଷ୍ଠା:Bikalpa Biswa.pdf/୩୦୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗାଡ଼ିମଟର ବ୍ୟବହାର କରନ୍ତି, ୫୮ ଭାଗ ଜାଳେଣି ଖର୍ଚ୍ଚ କରନ୍ତି । ତେଣୁ କାହା ଯୋଗୁଁ ବୃଦ୍ଧି ଘଟୁଛି ?

କେବଳ ସେତିକି ନୁହେଁ । ପୃଥିବୀର ଉତ୍ତାପ ବୃଦ୍ଧି ଓ ବାୟୁମଣ୍ଡଳ ପ୍ରଦୂଷଣରେ ତଥାକଥିତ ବିକଶିତ ଦେଶମାନେ ବିଶେଷ ଭାବରେ ଦାୟୀ । ସଦ୍ୟ ହିସାବରୁ ଜଣାଯାଏ ବାୟୁମଣ୍ଡଳକୁ ପ୍ରତିବର୍ଷ ଯେତିକି ଅଙ୍ଗାରକାମ୍ଳ ଛଡ଼ା ଯାଉଛି, ତାହା ମୁଣ୍ଡପିଛା ଚାରି ଟନ୍ ପଡ଼ୁଛି । ଗ୍ଲୋବାଲ୍ ୱାର୍ମିଂର ଏହା ମୁଖ୍ୟତମ କାରଣ । ଏବେ ଏହି ପରିମାଣକୁ ୨୦୧୦ ସୁଦ୍ଧା ମୁଣ୍ଡ ପିଛା ୨ ଟନ୍ ଓ ୨୦୧୫ ସୁଦ୍ଧା ମୁଣ୍ଡ ପିଛା ଦେଢ଼ ଟନ୍ କମାଇବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଏହା ନ ହୋଇ ପାରିଲେ ୨୦୨୦ ମସିହାରୁ ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇ ପଡ଼ିବ । ଦଶବର୍ଷ ତଳର ହିସାବ ଅନୁସାରେ ଆମେରିକାରେ ମୁଣ୍ଡ ପିଛା କାର୍ବନ୍ ପ୍ରଦୂଷଣ ୨୧ ଟନ୍, କାନାଡ଼ାରେ ୧୫ ଟନ୍, ଜର୍ମାନୀରେ ୧୦ ଟନ୍, ଜାପାନରେ ୯ ଟନ୍, ଦକ୍ଷିଣ ଆଫ୍ରିକାରେ ୭.୪ ଟନ୍, ଚୀନ୍‌ରେ ୨.୭ ଟନ୍, ବ୍ରାଜିଲ୍‌ରେ ୧.୬ ଟନ୍ ଓ ଭାରତରେ ଜଣ ପିଛା ୧ ଟନ୍‌ରୁ କମ୍ । ସବୁଠାରୁ କମ୍ ପ୍ରଦୂଷଣ କରୁଥିବା ଭାରତ ଓ ଚୀନ୍‌କୁ ସବୁଠାରୁ ବେଶୀ ପ୍ରଦୂଷଣ କରୁଥିବା ଦେଶମାନେ ଉପଦେଶ ଦେବାକୁ ଆରମ୍ଭ କଲେଣି । ପରୋପଦେଶେ ପାଣ୍ଡିତ୍ୟମ୍ ।

ଏସବୁ କଥା ଲେଖିବାର ଅର୍ଥ ନୁହେଁ ଆମେ ନିରାପଦ ବଳୟରେ ଅଛେ । ଆମ ଦେଶରେ ପ୍ରଦୂଷଣ କିଛି କମ୍ ନୁହେଁ । ବିଶ୍ୱର ସବୁଠାରୁ ପ୍ରଦୂଷିତ ସ୍ଥାନ ସୁକିନ୍ଦା ଆମ ଓଡ଼ିଶାରେ । ଛ’ଶହ ଚାଳିଶ ହଜାର ବର୍ଷ ତଳେ ଆଣ୍ଟର୍କଟିକାର ବରଫ ଭିତରେ ବାନ୍ଧି ହୋଇଥିବା ଦଶ ଲକ୍ଷ ବାୟୁକଣା ବା ଏଆର ମଲେକ୍ୟୁଲ୍‌ରେ କାର୍ବନ୍ ମଲେକ୍ୟୁଲ ଥିଲା ମାତ୍ର ୨୩ଟି । ଏହି ପ୍ରାକୃତିକ ଭାରସାମ୍ୟ ଫେରାଇ ଆଣିବାକୁ ହେଲେ ଭାରତ ଚୀନ୍ ସମେତ ପ୍ରତ୍ୟେକ ଦେଶର ପ୍ରତ୍ୟେକ ନାଗରିକ, କିଛି ସ୍ୱାର୍ଥ ତ୍ୟାଗ ଓ ଦୈନନ୍ଦିନ ବ୍ୟବହାରରେ ପରିବର୍ତ୍ତନ କରିବା ଆବଶ୍ୟକ । ବ୍ୟକ୍ତି ପିଛା ବାର୍ଷିକ ଏକ ଟନ୍ ଅଙ୍ଗାରକାମ୍ଳ ବାୟୁମଣ୍ଡଳକୁ ଛାଡ଼ିବା ମଧ୍ୟ ଅତ୍ୟନ୍ତ କ୍ଷତିକାରକ । ଭାରତରେ ଯେଉଁ ୩୫୦ ମିଲିୟନ୍ ମଧ୍ୟବିତ୍ତ ସମାଜକୁ ଜର୍ଜ ବୁଶ୍ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ସେମାନଙ୍କର ମଧ୍ୟ ଏ ସମ୍ପର୍କରେ ଦାୟିତ୍ୱ ସବୁଠୁ ବେଶୀ । ସେମାନେ ନିଜର ଲାଇଫ୍ ଷ୍ଟାଇଲ୍ ଓ ଅଭ୍ୟାସ ନ ବଦଳାଇଲେ ଭାରତରେ ଖାଦ୍ୟାଭାବ ଲାଗି ରହିବ । ପୃଥିବୀରେ ଭୋକିଲା ଲୋକଙ୍କ ସଂଖ୍ୟା ବଢ଼ୁଛି । ଭାରତରେ କ୍ରମାଗତ ଭାବରେ କୃଷି ଉତ୍ପାଦନ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟର କୃଷକମାନେ ଫସଲ ଉଜୁଡ଼ି ଯିବା ଓ ଋଣ ଶୁଝି ନ ପାରିବା କାରଣରୁ ଆତ୍ମହତ୍ୟା କରୁଛନ୍ତି । ଶତକଡା ୪୨ ଭାଗ ଲୋକ ପୁଷ୍ଟିକର

୩୦୦ ବିକଳ୍ପ ବିଶ୍ୱ