ପୃଷ୍ଠା:Bikalpa Biswa.pdf/୩୦୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଅନ୍ୟ ଦୃଷ୍ଟିରେ ଆମେ

ଆମ ଦେଶରେ ମାସାଧିକ କାଳ ଚାଲିଥିବା ମହାନିର୍ବାଚନ ସରିବା ପରେ କେନ୍ଦ୍ର ଓ ରାଜ୍ୟମାନଙ୍କରେ ନୂଆ ସରକାର (ସର୍ବକାର?) ଗଢ଼ା ହେବାର ଇତି ମଧ୍ୟରେ ତିନି ମାସ ପୂରିବାକୁ ବସିଛି । ପଞ୍ଚଦଶ ଲୋକସଭାର ମାନ୍ୟବର ସଭ୍ୟମାନେ କେବେଠୁ ଶପଥ ନେଇ ସାରିଲେଣି । ନିର୍ବାଚନରେ ଟଙ୍କାର ସୁଅ ଛୁଟିବା ଓ ଅତ୍ୟନ୍ତ ଲଜ୍ଜାହୀନ ଭାବରେ ଭୋଟ୍ କିଣାଯିବା ପ୍ରସଙ୍ଗ ଉପରେ ଦିସ୍ତା ଦିସ୍ତା ଲେଖା ସରିଗଲାଣି । ଏ ନିର୍ବାଚନରେ ଇଲେକ୍ଟ୍ରାନିକ୍ ଭୋଟିଂ ମେସିନ୍ ବା ଇଭିଏମ୍ ସନ୍ଦେହ ଘେରକୁ ଆସିଲା । ଅନେକ ଜନପ୍ରିୟ ଓ ଉତ୍ତମ ଛବି ଥିବା ପ୍ରାର୍ଥୀ ବହୁ ଭୋଟ୍‌ରେ ହାରି ଯାଇଥିବାରୁ ଏ ସନ୍ଦେହ ଜାତ ହେଲା । ଏବେ ଏକ ସ୍ୱେଚ୍ଛାସେବୀ ସଂସ୍ଥା ରାଜଧାନୀ ଭୁବନେଶ୍ୱରରେ ଗଣମାଧ୍ୟମ ଆଗରେ ପ୍ରମାଣ କରି ଦେଖେଇଲେ ଯେ ଭୋଟିଂ ମେସିନ୍ ନିର୍ଭରଯୋଗ୍ୟ ନୁହେଁ ।

ଆମ ଗଣତନ୍ତ୍ରର ଗତିବିଧି ଦେଖି କିଛି ସମୀକ୍ଷକ ଭବିଷ୍ୟବାଣୀ କଲେଣି ଯେ ଆସନ୍ତା ପଚିଶ ବର୍ଷ ମଧ୍ୟରେ ୫୦୦ଟି ରାଜନୈତିକ ପରିବାର ଦେଶର ଶାସନ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବେ । ପୁଣି ବିଡ଼ମ୍ବନା ହେଉଛି, ଭାରତର ପ୍ରଚଳିତ ଗଣତାନ୍ତ୍ରିକ ବ୍ୟବସ୍ଥାରେ କୌଣସି ଦଳ ପଚାଶ ପ୍ରତିଶତରୁ ଅଧିକ ଭୋଟ ନ ପାଇ ମଧ୍ୟ ସରକାର ଗଢ଼ି ପାରୁଥିବାରୁ ଏହା ସଂଖ୍ୟାଗରିଷ୍ଠ ନାଗରିକଙ୍କ ସରକାର ବୋଲି କୁହାଯାଇ ପାରିବ ନାହିଁ । ପୂର୍ବଭଳି, ଏଥର ମଧ୍ୟ ଅପରାଧ ଇତିହାସ ଥିବା ବହୁ ବ୍ୟକ୍ତି ବିଧାନସଭା ଓ ଲୋକସଭାକୁ ନିର୍ବାଚିତ ହୋଇ ଆସିଛନ୍ତି । ସେମାନେ ଭବିଷ୍ୟତରେ କ’ଣ କାଣ୍ଡ କରିବେ ଦେଖିବାକୁ ବାକି ରହିଲା ।

ଏସବୁ ଦୋଷ, ତ୍ରୁଟି, ଦୁର୍ବଳତା ସତ୍ତ୍ୱେ ଭାରତକୁ ପୃଥିବୀର ବୃହତ୍ତମ ଗଣତନ୍ତ୍ର ବୋଲି କୁହାଯାଉଛି । ନିର୍ବାଚନ ପୂର୍ବରୁ ବଡ଼ ବଡ଼ ସମ୍ବାଦପତ୍ରମାନେ ଏ ବିଷୟରେ ସମୀକ୍ଷାମାନ ଛାପିଥିଲେ । ସେ ମଧ୍ୟରେ ଥିଲେ ବିଶ୍ୱପ୍ରସିଦ୍ଧ ‘ନ୍ୟୟର୍କ ଟାଇମ୍‌ସ’ । ନିର୍ବାଚନର ଅବ୍ୟବହିତ ପୂର୍ବରୁ ‘ନ୍ୟୟର୍କ ଟାଇମ୍‌ସ’ର ଜନପ୍ରିୟ ସ୍ତମ୍ଭକାର ଭି. ମିଚେଲ୍

୩୦୨ ବିକଳ୍ପ ବିଶ୍ୱ