ପୃଷ୍ଠା:Bikalpa Biswa.pdf/୩୦୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଭାରତର ‘ପାର୍ଲାମେଣ୍ଟାରୀ ଡେମୋକ୍ରାସି’କୁ ଏକ ନୂତନ ଦୃଷ୍ଟିରେ ପେସ୍ କରିଥିଲେ ବିଶ୍ୱ ସମାଜ ଆଗରେ । ପାଶ୍ଚାତ୍ୟ ଗଣମାଧ୍ୟମଗୁଡିକ ସଦାବେଳେ ଭାରତର ନକାରାତ୍ମକ ଚିତ୍ରଣ କରୁଥିବା ବେଳେ ମିଚେଲ୍‌ଙ୍କ ରିପୋର୍ଟରେ ଥିଲା ଏକ ଭିନ୍ନ ସ୍ୱାଦ । କାରଣ ୧୯୫୨ ମସିହାରେ ଯେତେବେଳେ ପ୍ରଥମଥରପାଇଁ ସ୍ୱାଧୀନ ଭାରତରେ ସାଧାରଣ ନିର୍ବାଚନ ହେଲା ଅନେକ ବିଦେଶୀ ସମୀକ୍ଷକ ଏହାକୁ ବିଶ୍ୱର ସବୁଠୁ ବଡ଼ ଜୁଆଖେଳ (ଗାମ୍ବଲ) ବୋଲି କହୁଥିଲେ । ୭୦ ଭାଗ ନିରକ୍ଷର ଭୋଟରଙ୍କ ହାତରେ ଦେଶର ଭବିଷ୍ୟତ ଓ ଭାଗ୍ୟ ନିର୍ଦ୍ଧାରଣ ବା ନିଷ୍ପତ୍ତି ଛାଡ଼ିଦେବା ସମ୍ପର୍କରେ ଦେଶ ବାହାରେ ଭିତରେ ପ୍ରଶ୍ନ ଉଠିଥିଲା ।

୧୯୬୩ ମସିହାର ସାଧାରଣ ନିର୍ବାଚନକୁ ପାଶ୍ଚାତ୍ୟ ଗଣମାଧ୍ୟମ ଭାରତର ଶେଷ ନିର୍ବାଚନ ବୋଲି କହୁଥିଲେ ଓ ଏହା ପରେ ଭାରତରେ ଏକଛତ୍ର ଶାସନ ଚାଲିବ ବୋଲି ଭାବୁଥିଲେ । କିନ୍ତୁ ମିଚେଲ୍‌ଙ୍କ ଦୃଷ୍ଟିରେ ୨୦୦୯ ମସିହା ନିର୍ବାଚନ ଥିଲା ପୃଥିବୀର ସବୁଠାରୁ ଚିତ୍ତାକର୍ଷକ ପ୍ରଦର୍ଶନୀ । ଏଥିରେ ଭିନ୍ନ ଭିନ୍ନ ଆଦର୍ଶ ଓ ଆଦର୍ଶ ବିହୀନ ୩୦୦ରୁ ଅଧିକ ରାଜନୈତିକ ଦଳ ଇସ୍ତାହାର, ବାଜା, ବାଣ, ପତାକା, ପୋଷ୍ଟର, ସ୍ଲୋଗାନ୍ ନେଇ ଲୋକଙ୍କ ପାଖକୁ ଆସିଥିଲେ । ମନେ ହେଉଥିଲା ବିବିଧତା, ବିଭିନ୍ନତା ପରିପୂର୍ଣ୍ଣ ଭାରତୀୟ ଗଣତାନ୍ତ୍ରିକ ଭାବଧାରାର ଏହା ଏକ ମହାସଙ୍ଗୀତ । ଏବଂ ଏହି ମହାନାଟକରେ ଯୋଗ ଦେବାକୁ ଅଛନ୍ତି ୭୦ କୋଟି ଭୋଟର ମତଦାତା । ପୃଥିବୀର କୌଣସି ଦେଶରେ ଏତେ ଭୋଟର ନାହାନ୍ତି । ଏମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ନିରକ୍ଷର । ଅନେକ ଦେଶରେ ଲୋକଙ୍କର ଭୋଟ ଅଧିକାର ନାହିଁ । କିନ୍ତୁ ଏହି ବିଶାଳ ଭାରତୀୟ ମତଦାତାମାନେ ପୃଥିବୀର ପ୍ରାଚୀନତମ ଜୀବନ୍ତ ସଭ୍ୟତାକୁ ଏକ ନବଦିଗନ୍ତ ଓ ଦିଗ୍‌ଦର୍ଶନ ଦେଲେ ମେ ମାସ ୨୦୦୯ରେ ।

ସବୁଠାରୁ ପ୍ରଶଂସାର କଥା, ଏ ଦେଶ ଚାରିପଟେ ଘେରି ରହିଥିବା ପଡ଼ୋଶୀ ଦେଶ ପାକିସ୍ଥାନ, ବାଂଲାଦେଶ, ଶ୍ରୀଲଙ୍କା, ନେପାଳ, ବର୍ମା ଓ ଚୀନ୍ ଆତଙ୍କବାଦ ବା ଏକଛତ୍ରବାଦ‌ଦ୍ୱାରା ପ୍ରଭାବିତ ଥିବା ସତ୍ତ୍ୱେ ଭାରତୀୟମାନେ ଗଣତନ୍ତ୍ରକୁ ବଞ୍ଚାଇ ରଖିଛନ୍ତି । ଏବଂ ଏକାଧିକ ପଡ଼ୋଶୀ ଦେଶରେ ସଂଖ୍ୟାଗରିଷ୍ଠଙ୍କ ଧର୍ମକୁ ରାଷ୍ଟ୍ରଧର୍ମର ସ୍ୱୀକୃତି ଥିବା ବେଳେ ଭାରତ ଧର୍ମ-ନିରପେକ୍ଷ ରାଷ୍ଟ୍ର ହୋଇ ରହିଛି । ଏହାଠାରୁ ଆହୁରି ଆଶ୍ଚର୍ଯ୍ୟର କଥା ଯେ ୨୦ଟି ଭାଷା ଓ ଦୁଇ ହଜାର ଉପଭାଷା ଏବଂ ବିଭିନ୍ନ ଧର୍ମ, ଜାତି, ସମ୍ପ୍ରାୟରେ ବିଭକ୍ତ ଏବଂ ଦୀର୍ଘ ଦିନ ଧରି ଆତଙ୍କବାଦ ବିରୋଧରେ ଲଢ଼ୁଥିବା ଏ ଦେଶ ଏବେ ବି ଏକ ହୋଇ ରହିଛି ଏବଂ ପ୍ରଗତି ପଥରେ

ବିକଳ୍ପ ବିଶ୍ୱ ୩୦୩