ପୃଷ୍ଠା:Bikalpa Biswa.pdf/୩୦୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆଗେଇ ଚାଲିଛି । ପୃଥିବୀର ୭ଟି ବଡ଼ ବଡ଼ ଧର୍ମ ମଧ୍ୟରୁ ଭାରତରେ ଜନ୍ମ ନେଇଛନ୍ତି ୪ଟି ଧର୍ମ - ହିନ୍ଦୁ, ଜୈନ, ବୌଦ୍ଧ ଓ ଶିଖ୍ । ଏବଂ ଭାରତ ହେଉଛି ପୃଥିବୀର ଦ୍ୱିତୀୟ ବୃହତ୍ତମ ମୁସଲିମ୍ ଦେଶ ମଧ୍ୟ, କାରଣ ଇଣ୍ଡୋନେସିଆ ପରେ ଭାରତରେ ହିଁ ସବୁଠାରୁ ବେଶୀ ମୁସଲମାନ ବାସ କରନ୍ତି । ଏଠି ଖ୍ରୀଷ୍ଟିୟାନ୍‌ମାନେ ବି ଗତ ଦୁଇହଜାର ବର୍ଷ ହେଲା ବାସ କରି ଆସୁଛନ୍ତି ।

ଏହି ଧର୍ମ ଆଗ ଆସିଛି ଭାରତକୁ ଓ ପରେ ୟୁରୋପ, ଆଫ୍ରିକା । ଓ ଏସିଆର ଅନ୍ୟ ଦେଶକୁ ଯାଇଛି । ସେହିପରି ରୋମାନ୍‌ମାନେ ତାଙ୍କ ପ୍ରାର୍ଥନା ମନ୍ଦିର ଭାଙ୍ଗି ଦେଲା ପରେ ଇହୁଦୀମାନେ ପ୍ରାୟ ଅଢ଼େଇ ହଜାର ବର୍ଷ ହେଲା ଭାରତକୁ ପଳାଇ ଆସି ବସବାସ କରୁଛନ୍ତି । ଠିକ୍ ସେମିତି, ଭୟଭୀତ ପାର୍ସିମାନେ ବି ଇରାନ୍ ଛାଡ଼ି ଭାରତକୁ ପଳାଇ ଆସିଲେଣି ପ୍ରାୟ ହଜାରେ ବର୍ଷ ହେଲା । ଏବେ ପ୍ରାୟ ପଚାଶ ବର୍ଷ ହେଲା ତିବ୍ଦତୀୟ ବୌଦ୍ଧ ଧର୍ମଗୁରୁ ନିଜ ଦେଶ ଛାଡ଼ି ଭାରତରେ ଆଶ୍ରୟ ନେଇଛନ୍ତି ନିଜର ଲକ୍ଷାଧିକ ଅନୁଗାମୀଙ୍କ ସହ । ଏହାଛଡା ଉଜ୍‌ବେକୀ, ଆଫଗାନୀ, ଆର୍ମେନୀୟ, ସିରୀୟ, ଲେବାନନ୍ ଅଧିବାସୀ ଆରବ ତଥା ମଧ୍ୟ ଓ କେନ୍ଦ୍ର ଏସିଆର ଅନେକ ଲୋକ ବିଭିନ୍ନ ସମୟରେ ନିଜ ଦେଶ ଛାଡ଼ି ଭାରତରେ ଆସି ରହୁଛନ୍ତି । ଏମାନେ ସମସ୍ତେ ମିଳିମିଶି ପୁରାତନ ଭାରତକୁ ନୂଆ ରୂପ, ରଙ୍ଗ ଦେଉଛନ୍ତି ।

ନ୍ୟୁୟର୍କ ଟାଇମ୍‌ସ ଆହୁରି ବି କହିଛି ଯେ ବିଗତ ଦୁଇ ହଜାର ବର୍ଷ ମଧ୍ୟରୁ ଦେଢ଼ ହଜାର ବର୍ଷ କାଳ ଭାରତ ପୃଥିବୀର ସବୁଠାରୁ ବଡ଼ ଅର୍ଥନୀତି ଓ ସମୃଦ୍ଧିଶାଳୀ ଦେଶ ଥିଲା । ଏବଂ ଏବେ ବି ଏ ଦେଶର ସ୍ୱଚ୍ଛଳ ମଧ୍ୟବିତ୍ତ ବର୍ଗଙ୍କ ସଂଖ୍ୟା ଆମେରିକାର ସମଗ୍ର ଜନସଂଖ୍ୟାଠାରୁ ଅଧିକ । ଇଏ ହେଉଛି ସେଇ ଦେଶ ଯେଉଁଠି ପ୍ରତିବର୍ଷ ଚାରି କୋଟିରୁ ଅଧିକ ଲୋକ ଦାରିଦ୍ର୍ୟ ସୀମାରେଖା ଡେଇଁ ଉପରକୁ ଉଠୁଛନ୍ତି । ଷାଠିଏ ବର୍ଷରେ ପନ୍ଦର ଥର ସୁରୁଖୁରୁରେ ନିର୍ବାଚନ ସମ୍ପାଦନ କରିଥିବା ଏ ଦେଶର କଳା, ଭାସ୍କର୍ଯ୍ୟ, ସଂସ୍କୃତି, ସଙ୍ଗୀତ, ନୃତ୍ୟ, ନାଟକ, ସିନେମା, ସାରା ପୃଥିବୀକୁ ପ୍ରଭାବିତ କଲାଣି । ଭାରତୀୟ ଭାଷାର ସହସ୍ରାଧିକ ଶବ୍ଦ ଏବେ ଇଂରାଜୀ ଭାଷାର ଅଙ୍ଗ ଏବଂ ଏବେ ଯେଉଁ ଅର୍ଦ୍ଧ ବାକ୍ୟଟି ବିଦେଶୀ ଶବ୍ଦ କୋଷରେ ଯୋଡ଼ି ହୋଇଗଲା ସେଇଟି ସ୍ମଲ୍‌ଡଗ୍ ମିଲିଏନିଅର୍ ଫିଲ୍ମର ‘ଜୟ ହୋ’ । ଏଇ ଦେଶର ସଭ୍ୟତା ସଂସ୍କୃତିରେ ସଜୀବତା, ଉତ୍ଫୁଲ୍ଲତା ଓ ସଦା ଆଶାବାଦୀ ସ୍ପନ୍ଦନ ଭରି ହୋଇ ରହିଚି । ତଳେ ପଡ଼ିଥିବା ଏହାର ଅର୍ଥନୀତି ଏବେ ପୁଣି ଉଠି ଠିଆ ହେଲାଣି ବିଶ୍ୱର ତୃତୀୟ ବୃହତ୍ତମ ଶକ୍ତି ଭାବରେ । ଏବଂ ଏବେ ବିଭନ୍ନ ଶକ୍ତିଶାଳୀ ଦେଶଙ୍କୁ ଭାରତର ବଜାରରେ ପ୍ରବେଶ

୩୦୪ ବିକଳ୍ପ ବିଶ୍ୱ