ପୃଷ୍ଠା:Bikalpa Biswa.pdf/୩୦୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି

କରିବାପାଇଁ ତୀବ୍ର ପ୍ରତିଯୋଗିତା କରିବାକୁ ପଡ଼ୁଛି । ବିଶ୍ୱ ଦରବାରରେ ଏକ ମର୍ଯ୍ୟାଦାପୂର୍ଣ୍ଣ ସ୍ଥାନ ଅଧିକାର କଲାଣି ଏଇ ଦେଶ ।

ଭାରତୀୟ ଭୋଟରମାନଙ୍କ ପରିପକ୍ୱତା, ବିଚାରଶକ୍ତି, ବିଜ୍ଞତା, ଧର୍ମନିରପେକ୍ଷତା ଓ ଉଦାରତାକୁ ପ୍ରଶଂସା କରିଛନ୍ତି ନ୍ୟୁୟର୍କ ଟାଇମ୍ସ ପତ୍ରିକା । ଏହାର ସମର୍ଥନରେ କେତେକ ସଦସ୍ୟ ଉଦାହରଣ ଦେଇଛନ୍ତି । ଶତକଡା ପଞ୍ଚାଅଶୀ ଭାଗ ହିନ୍ଦୁ ବସବାସ କରୁଥିବା ଏ ଦେଶ ଥରେ ନୁହେଁ, ତିନି ତିନି ଥର ମୁସଲମାନଧର୍ମୀ ବ୍ୟକ୍ତିଙ୍କୁ ଦେଶର ରାଷ୍ଟ୍ରପତି ଭାବରେ ନିର୍ବାଚିତ କରିଛି । ଏବଂ ରକେଟ୍ ବିଜ୍ଞାନୀ ତୃତୀୟ ମୁସଲିମ୍ ରାଷ୍ଟ୍ରପତିଙ୍କୁ ଭାରତୀୟ ଯୁବ ବର୍ଗ ରାଷ୍ଟ୍ରୀୟ ଆଦର୍ଶ ପୁରୁଷ ବା ରୋଲ୍ ମଡେଲ୍ ଭାବେ ଶ୍ରଦ୍ଧା ଓ ସମ୍ମାନ କରନ୍ତି । ସେହିପରି ବିଦେଶରେ ଜନ୍ମିତ ଜଣେ ଶ୍ୱେତାଙ୍ଗିନୀ କାଥଲିକ ମହିଳା ଏବେ ଦେଶର ସବୁଠୁ ବଡ ରାଜନୈତିକ ଦଳର ସଭାନେତ୍ରୀ ଏବଂ ଭାରତୀୟ ଭୋଟରମାନେ ତାଙ୍କୁ ବିପୁଳ ସଂଖ୍ୟାରେ ବାରମ୍ବାର ଜିତାଉଛନ୍ତି । ବାହାର ଦେଶମାନଙ୍କ ପାଇଁ ଆଉ ଏକ ଆଶ୍ଚର୍ଯ୍ୟର କଥା ଯେ ଏହି ଦେଶର ସଂଖ୍ୟା ଲଘୁ ଶିଖ୍ ସମ୍ପ୍ରଦାୟର ଜଣେ ବ୍ୟକ୍ତି ଏବେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଭାରତରେ ଏହି ସଂଖ୍ୟାଲଘୁ ସମ୍ପ୍ରଦାୟର ସଂଖ୍ୟା ସମଗ୍ର ଜନସଂଖ୍ୟାର ଦୁଇ ପ୍ରତିଶତରୁ ସାମାନ୍ୟ ଅଧିକ । ଏବଂ ତାଙ୍କୁ ଯେ ଶପଥ ପାଠ କରାଇଲେ ସେ ହେଉଛନ୍ତି ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ।

ଅବଶେଷରେ ନୁ୍ୟୟର୍କ ଟାଇମ୍ସର ବରିଷ୍ଠ ସାମ୍ବାଦିକ ମିଚେଲ୍ ଲେଖିଛନ୍ତି, ଯେଉଁ ଦେଶରେ ଏହିଭଳି ଉତ୍ସାହଜନକ ଘଟଣାମାନ ଘଟୁଛି ସେଇ ଦେଶର ନାଁ ହେଲା ‘ଇଣ୍ଡିଆ’ । ଏହା ସମଗ୍ର ମାନବଜାତିପାଇଁ ଏକ ପ୍ରେରଣାର ସ୍ରୋତ । ମିଚେଲ୍‌ଙ୍କ ରିପୋର୍ଟଟି ଥିଲା ତଥ୍ୟଭିତ୍ତିକ , ତେଣୁ ତାତ୍ପର୍ଯ୍ୟପୂର୍ଣ୍ଣ । ଏଥିରେ କୌଣସି ଫମ୍ପା ପ୍ରଶଂସା ନଥିଲା । ସେ ନିର୍ବାଚନ ବେଳେ ଯଦି ଭାରତରେ ଥାଆନ୍ତେ, ହୁଏତ ଆମ ନିର୍ବାଚନର ଦୋଷ ଦୁର୍ବଳତାକୁ ମଧ୍ୟ ଦର୍ଶାଇଥାନ୍ତେ । ପାର୍ଲାମେଣ୍ଟାରି ଡେମୋକ୍ରାସି ପ୍ରୟୋଗରେ ଆମେ ଅନେକ ମୂଲ୍ୟବୋଧ ହରାଇଛେ, କିନ୍ତୁ ମିଚେଲ୍‌ଙ୍କ ସମୀକ୍ଷାରେ ଆମେ କ’ଣ ସବୁ ପାଇଛେ ତା’ରି ଉପରେ ଗୁରୁତ୍ୱ ଥିଲା । ଏହା ଭାରତୀୟ ଭୋଟରଙ୍କ ଆତ୍ମ ବିଶ୍ୱାସକୁ ଶକ୍ତି ଯୋଗାଇବ ଏବଂ ଆନ୍ତର୍ଜାତିକ କ୍ଷେତ୍ରରେ ଭାରତର ଛବି ଓ ପରିଚୟକୁ ନୂଆ ରୂପ ଦେବ । ଜୟ ହୋ ।

୬ ଅଗଷ୍ଟ, ୨୦୦୯

ବିକଳ୍ପ ବିଶ୍ୱ ୩୦୫