ପୃଷ୍ଠା:Bikalpa Biswa.pdf/୩୦୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପିସି, ଗୋଡ଼ିଭୋଜି ଓ କୁତ୍ତା ଖାତା

“ବିଧାୟକମାନେ ‘ପିସି’ ବା ହାତପାଣ୍ଠିର ପରସେଣ୍ଟ୍ - ନେଉଛନ୍ତି ବୋଲି ଓଡ଼ିଶା ବିଧାନସଭାରେ ଅଭିଯୋଗ ହୋଇଛି” (ଇମିସ, ୨୯.୦୭.୨୦୦୯) । ଏହା ଛଡ଼ା କେବିକେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ କାମ ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତାଘାଟ ଓ ବିଭିନ୍ନ ଜନକଲ୍ୟାଣ ଯୋଜନା - ସବୁଥିରେ ‘ପିସି’ ବା ପର୍ସେଣ୍ଟ ଚାଲିଛି ବୋଲି ଓଡିଶାରେ ହୁରି ପଡ଼ିଛି । ଏ ସମ୍ପର୍କରେ ମନେ ପଡିଲା ଏକ ପୁରୁଣା ଅନୁଭୂତି । ୧୯୭୦ ଦଶକର କଥା । କଳହାଣ୍ଡିରେ କାମ କରୁଥାଏ । ଜଣେ ବନ୍ଧୁଙ୍କୁ ସନ୍ଧ୍ୟା ସାତଟାରେ ତରବର ହୋଇ ଯାଉଥିବା ଦେଖି ପଚାରିଲି- କାହିଁକି ଏତେ ବ୍ୟଗ୍ର ? କାନ ପାଖରେ ଚୁପ୍ କରି କହିଲେ ଆଜି ‘ଗୋଡ଼ି ଭୋଜି’ । ତମକୁ ଡାକି ନାହାନ୍ତି କି ? ମୁଁ ବୁଝିପାରିଲି ନାହିଁ । ତା ଆରଦିନ ଆଉ ଜଣଙ୍କୁ ପଚାରିଲି - ଗୋଡ଼ି ଭୋଜି ମାନେ କ’ଣ ? କହିଲେ କଣ୍ଟ୍ରାକ୍ଟର ରାସ୍ତାରେ ଗୋଡ଼ି ପକାଇବାପାଇଁ ଯୋଉ କାମ ପାଇଥିଲେ, ଗୋଡ଼ି ନ ପକାଇ ସେ ବିଲ୍ ପାସ୍ କରାଇ ନେଇଛନ୍ତି । ତେଣୁ ଖୁସିରେ ହାକିମମାନଙ୍କୁ ଯେଉଁ ଭୋଜି ଦୁଆଯାଏ ତା ନାଁ ‘ଗୋଡି ଭୋଜି’ ।

ଜଣେ ଅବସରପ୍ରାପ୍ତ ଚିଫ୍ ଇଞ୍ଜିନିଅରଙ୍କୁ ପଚାରିଲି, ଆପଣଙ୍କ ବିଭାଗରେ ଏ ‘ପିସି’ ବ୍ୟବସ୍ଥାଟି କ’ଣ । ଏଥିରେ ମନ୍ତ୍ରୀ, ସେକ୍ରେଟାରିଙ୍କ ଭାଗ ଥାଏ କି ? କହିଲେ ଅନେକ ବିଭାଗରେ ଏପରି ହୁଏ କିନ୍ତୁ ଏହା ସଦାବେଳେ ସତ ନୁହେଁ । କଣ୍ଟ୍ରାକ୍ଟରମାନଙ୍କୁ ସାଢେ ବାର ପର୍ସେଣ୍ଟ ‘ପିସି’ ଦିଆଯାଏ । ଅର୍ଥାତ୍ ଯେଉଁ ରାସ୍ତାପାଇଁ କୋଟିଏ ଟଙ୍କା ଏଷ୍ଟିମେଟ୍ ହୋଇଥାଏ, ସେଥିରେ ଆଉ ସାଢେ ବାର ଲକ୍ଷ ଟଙ୍କା କଣ୍ଟ୍ରାକ୍ଟରପାଇଁ ରଖାଯାଇଥାଏ । କିନ୍ତୁ ଏମାନେ ସେତିକରେ ସନ୍ତୁଷ୍ଟ ନ ହୋଇ ଇଟା, ଗୋଡି, ସିମେଣ୍ଟ, ଛଡ଼ ପରିମାଣ ହେରଫେର କରି, ତଳ ସ୍ତରରେ ଲାଞ୍ଚ ଦେଇ, ଖଇଚା କାମ କରି ବିଲ୍ ପାସ୍ କରାଇ ନିଅନ୍ତି । ଏଇ କାରଣରୁ ଆମ ରାଜ୍ୟର ରାସ୍ତାଘାଟ ଓ କୋଠାବାଡ଼ି ଅତ୍ୟନ୍ତ ନିମ୍ନମାନର । ‘ପିସି' ଲୋଭ ଏହାର ମୁଖ୍ୟ କାରଣ ।

୩୦୬ ବିକଳ୍ପ ବିଶ୍ୱ