ପୃଷ୍ଠା:Bikalpa Biswa.pdf/୩୦୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେମିତି ଆଉ ଗୋଟିଏ ଅନୁଭୂତି ସେଇ କଳାହାଣ୍ଡିରେ ଥିଲାବେଳେ । ଜଣେ ଜଣାଶୁଣା ବ୍ୟବସାୟୀଙ୍କ ପୁଅ ଥରେ ମୋ ସ୍କୁଟରଟି ନେଇ ହସ୍ପିଟାଲ୍ ସାମନାରେ ଜଣେ ରୋଗୀଙ୍କ ଉପରେ ଲଗେଇ ଦେଲେ ଓ ପୁଲିସ୍ ତାଙ୍କୁ ଧରି ହାଜତକୁ ନେଇଗଲା । ପୁଅକୁ ହାଜତରୁ ମୁକୁଳାଇ ଆଣିବାପାଇଁ ବାପା ତିନିିଦିନ କାଳ ଦଉଡ଼ି ଦଉଡ଼ି ପାରିଲେ ନାହିଁ । ଶେଷରେ ତାଙ୍କ ସ୍ତ୍ରୀ ବ୍ୟସ୍ତ ହୋଇ ମତେ ଡକାଇ ସାହାଯ୍ୟ ପାଇଁ ଅନୁରୋଧ କରୁଥିଲାବେଳେ ତାଙ୍କର ନବେ ବର୍ଷୀୟ ଶଯ୍ୟାଶାୟୀ ଶ୍ୱଶୁର ପାଟି କରି କହିଲେ ‘ଆରେ, ବେଟା କାହିଁକି ଏମିତି ଧାଁ ଧପଡ଼ ଅନୁନୟ ବିନୟ କରୁଛ, ମେରେ ବାତ୍ ମାନୋ, ‘କୁତା କୋ ଦୋ ଟୁକଡ଼େ ରୋଟି ଫେକ୍ ଦୋ’ । ମୁଁ ହଠାତ୍ ଏହାର ଅର୍ଥ ବୁଝିପାରିଲି ନାହିଁ । ସେଇଦିନ ସନ୍ଧ୍ୟାରେ ତାଙ୍କ ନାତି ହାଜତରୁ ମୁକୁଳି ଆସିଲେ । ତା ଆରିନ ତାଙ୍କୁ ପଚାରିଲି ‘କୁତା କୋ ଦୋ ଟୁକଡ଼େ ରୋଟି ଫେକ୍ ଦୋ’ ର ମାନେ କ’ଣ । ହସି କହିଲେ ‘ଦୋ ଟୁକଡ଼େ ରୋଟି’ ମାନେ ଦୁଇ ଶହ ଟଙ୍କା ଓ ‘କୁତ୍ତା’ ମାନେ ଯେଉଁ ମଣିଷରୂପୀ କୁକୁରଙ୍କୁ ଏହି ଟଙ୍କା ଲାଞ୍ଚ ଦିଆଗଲା । ଆମେ କାମପାଇଁ ଯାହାଙ୍କୁ ଲାଞ୍ଚ ଦେଉ ସେମାନଙ୍କପାଇଁ ଏକ ଅଲଗା ଖାତା ଥାଏ ଓ ସେ ଖାତାଟିର ନାଁ ‘କୁତ୍ତା ଖାତା’ । ସବୁ ବ୍ୟବସାୟୀ ଓ କମ୍ପାନିମାନେ ଏମିତି କୁତ୍ତା ଖାତା ରଖିଥାନ୍ତି ଯେଉଁଥିରେ ‘ଲାଞ୍ଚଖିଆ କୁତ୍ତା’ମାନଙ୍କର ନାମ, ଠିକଣା, ଲାଞ୍ଚ ପରିମାଣ ଉଲ୍ଲେଖ ଥାଏ ।

ଏପରି କୁତ୍ତାମାନଙ୍କୁ ପୁଣି ଦୁଇ ଭାଗରେ ବିଭକ୍ତ କରାଯାଇଥାଏ - ସାନ କୁତ୍ତା ଓ ବଡ଼ କୁତ୍ତା, ଦେଶୀ କୁତ୍ତା ଓ ବିଦେଶୀ କୁତ୍ତା, ସରକାରୀ କୁତ୍ତା ଓ ବେସରକାରୀ କୁତ୍ତା ଇତ୍ୟାଦି । ଯେଉଁ କୁତ୍ତାମାନେ ଲାଞ୍ଚ ଖାଇ ବି କାମ କରନ୍ତି ନାହିଁ ସେମାନଙ୍କ ନାଁ ହେଲା ‘କମିନେ କୁତ୍ତା’, ଦୁର୍ନୀତି ବିରୋଧରେ ତଦନ୍ତକୁ ବିଭ୍ରାଟ ଓ ଦିଗଭ୍ରଷ୍ଟ କରିବାପାଇଁ ସବୁଠୁ ବେଶୀ ଲାଞ୍ଚ ଦିଆଯାଏ । ଭିଜିଲାନ୍ସର ପଦସ୍ଥ ଅଫିସରମାନେ ବି ଏପରି ପ୍ରଲୋଭନରୁ ମୁକ୍ତ ନୁହନ୍ତି । ଖୋଜିଲେ କୁତ୍ତା ଖାତାରେ ଏମାନଙ୍କ ନାମ ଓ କୀର୍ତ୍ତି ମିଳିବ । ଆଜି ପଶ୍ଚିମ ଓଡ଼ିଶା ଓ କେବିକେ ଜିଲ୍ଲା ଗୁଡିକରେ ଉନ୍ନୟନପାଇଁ ଦଶ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇ ସାରିଲା ପରେ ମଧ୍ୟ କୌଣସି ଆଖିଦୃଶିଆ ପରିବର୍ତ୍ତନ ନ ହୋଇଥିବାର କାରଣ ହେଲା ଏପରି ‘କୁତ୍ତା’ ଓ ସେମାନଙ୍କ ମାଲିକମାନେ । ଏବଂ କୁତ୍ତା ଖାତାଗୁଡକି ର ପୃଷ୍ଠା ଲେଉଟାଇଲେ ଏମାନଙ୍କର ନାଁ, ଗାଁ ଠିକଣା ଜଣାପଡିଯିବ । ଏଇମାନଙ୍କ ଆଚରଣରୁ କେବିକେ ଏବେ ବି ବିଶ୍ୱର ଦାରିଦ୍ର୍ୟ ଓ ଶୋଷଣର ଉପତ୍ୟକା ହୋଇ ରହିଛି । ତେଣୁ କୁତ୍ତାଙ୍କ କବଳରୁ କେବିକେ କେମିତି ରକ୍ଷା ପାଇବ, ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବ ଅଧିକ ଚିନ୍ତା କରି ପଦକ୍ଷେପ ନିଅନ୍ତୁ । ଲୋକେ କୁତ୍ତାମାନଙ୍କୁ ଠାବ କରି ଧରନ୍ତୁ ।

ବିକଳ୍ପ ବିଶ୍ୱ ୩୦୭