ପୃଷ୍ଠା:Bikalpa Biswa.pdf/୩୦୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏବେ ଓଡିଶା ଖଣି ବିଭାଗ ଦୁର୍ନୀତିର ପରିମାଣ ହଜାରେ କୋଟିରୁ ଲକ୍ଷେ କୋଟି ଟଙ୍କା ବୋଲି ଖବର ପ୍ରକାଶ ପାଇଛି । ଏତେ ପରିମାଣର ହେରଫେର ଭାରତରେ ଏପର୍ଯ୍ୟନ୍ତ ଘଟିଥିବା ସବୁ ଦୁର୍ନୀତିର ସୀମା ଟପିଯାଇଛି । ବୋଫର୍ସ, ଚାରା ଘୋଟାଲା, କଫିନ୍ ସ୍କାଣ୍ଡାଲ, ହର୍ଷଦ୍ ମେହେଟା ସିକ୍ୟୁରିଟି ସ୍କାମ୍, ହାୱାଲା, ଜେଏମ୍ଏମ୍ ବ୍ରାଇବେରି, ପ୍ରଶ୍ନପାଇଁ ପଇସା ଇତ୍ୟାଦି ସବୁ ବଡ଼ ବଡ଼ ଦୁର୍ନୀତିକୁ ଟପି ଗଲା ବୋଲି କୁହାଯାଉଚି । ଏହା ଆଗରୁ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ, ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଶିଳ୍ପ ଓ ନିର୍ମାଣ ବିଭାଗର ଦୁର୍ନୀତି ପଦାକୁ ଆସିଥିଲା । ୨୦୦୭ ମସିହାରେ ‘ସେଣ୍ଟର ଫର୍ ଏନ୍‌ଭିରନ୍‌ମେଣ୍ଟ ଆଣ୍ଡ ଫୁଡ୍ ସିକ୍ୟୁରଟି’ (ସେଫ୍‌ସ) ତରଫରୁ ‘ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା’ କାର୍ଯ୍ୟକାରୀ ହେଉଥିବା ଓଡିଶାର ଛ’ଟି ଜିଲ୍ଲାର ୧୦୦ ଟି ଗାଁରେ କରାଯାଇଥିବା ସର୍ବେକ୍ଷଣ ରିପୋର୍ଟ ଅନୁସାରେ ଏହି ଯୋଜନାର ୭୦ ଭାଗ ଅର୍ଥ ଖାଇ ଯାଇଛନ୍ତି ସରକାରୀ ବାବୁମାନେ । ଏହି ଜିଲ୍ଲାଗୁଡିକ ହେଲେ ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ରାୟଗଡା । ଏହି ଅଞ୍ଚଳର ୫୦୦୦ ଗାଁର ଗରିବଙ୍କପାଇଁ ଉଦ୍ଧିଷ୍ଟ ଯୋଜନାର ଲୁଟ ପରିମାଣ ୭୩୩ କୋଟି ଟଙ୍କା ବୋଲି ଆକଳନ କରାଯାଇଛି । ୨୦୦୭ ମସିହା ଅଗଷ୍ଟ ସତର ତାରିଖ ଦିନ ନୂଆଦିଲ୍ଲୀ ପ୍ରେସ୍ କ୍ଲବ୍‌ରେ ଉପସ୍ଥିତ ଶତାଧିକ ସାମ୍ବାଦିକ ଓ ଗଣମାଧ୍ୟମ ଆଗରେ ପ୍ରସିଦ୍ଧ ସମାଜ ଶାସ୍ତ୍ରୀ ପ୍ରଫେସର ଆଶିଷ ନନ୍ଦୀ ଏହି ସବୁ ତଥ୍ୟ ପ୍ରକାଶ କରି ସମସ୍ତଙ୍କୁ ଚକିତ ଓ ସ୍ତବ୍ଧ କରି ଦେଇଥିଲେ ।

ଏଥିରୁ ୫୦୦ କୋଟି ଟଙ୍କା ସରକାରୀ ବାବୁଙ୍କ ପକେଟକୁ ଯାଇଛି ବୋଲି ଜଣା ପଡ଼ିଛି । କାରଗିଲ୍ କଫିନ୍ ସ୍କାଣ୍ଡାଲ୍‌ରେ ସମ୍ପୃକ୍ତ ଦୁର୍ନୀତିଗ୍ରସ୍ତ ଅଫିସରମାନଙ୍କୁ ଗଣମାଧ୍ୟମ ‘ମୁର୍ଦାରଖିଆ’ ବୋଲି ଅଭିହତି କରିଥିଲେ । କେବିକେ ଜିଲ୍ଲା ଗରିବଙ୍କ ହକ୍ ଲୁଟୁଥିବା ସରକାରୀ ‘ବାବୁ’ମାନଙ୍କୁ କେଉଁ ସଂଜ୍ଞା ଦେବା ? ଚାଉଳ ଚୋର ନା ମାଟି ମଜୁରୀ ଚୋର ? ପୁଣି ଯେଉଁ ବଡ଼ବାବୁମାନେ ଖଣି ମାଲିକଙ୍କଠାରୁ ଗାଡ଼ି, କୋଠା ଓ ସସ୍ତ୍ରୀକ ବିଦେଶ ଯାତ୍ରା ଖର୍ଚ୍ଚ ପାଆନ୍ତି, ସେମାନଙ୍କୁ କେଉଁ ସଜ୍ଞା ଦେବା ? ଯେଉଁ ରାଜନେତା ମାନେ ଉନ୍ନୟନପାଇଁ ହାତପାଣ୍ଠିକୁ ନିଜେ ଖାଇଯାଆନ୍ତି ଓ ଯେଉଁ ରାଜନୀତିକ ଦଳମାନେ ଶିଳ୍ପପତିମାନଙ୍କଠାରୁ ବିପୁଳ ଅର୍ଥ ନେଇ ଭୋଟରକୁ କିଣନ୍ତି ଓ ହିସାବ ଦିଅନ୍ତି ନାହିଁ- ସେମାନଙ୍କ ଆଚରଣକୁ କେଉଁ ଓ କିପରି ଭାଷାରେ ବର୍ଣ୍ଣନା କରିବା ? ବଢ଼ି, ବାତ୍ୟା, ମରୁଡ଼ି ହେଲେ କେତେକ ନ୍ୟସ୍ତସ୍ୱାର୍ଥ ଲୋକ କେମିତି ଖୁସିରେ ନାଚନ୍ତି, ସେକଥା ପ୍ରାଞ୍ଜଳ ଭାବରେ ପି. ସାଇନାଥ ତାଙ୍କ ବହୁ ଚର୍ଚ୍ଚିତ ପୁସ୍ତକ ‘ଏଭ୍ରିୱାନ୍ ଲଭ୍‌ସ ଏ ଗୁଡ୍ ଡ୍ରାଉଟ୍’ ରେ ବର୍ଣ୍ଣନା କରିଛନ୍ତି ।

୩୦୮ ବିକଳ୍ପ ବିଶ୍ୱ