ପୃଷ୍ଠା:Bikalpa Biswa.pdf/୩୦୯

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏବେ ସୁପ୍ରିମ୍ କୋର୍ଟ ଏ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଛନ୍ତି ଯେ ସରକାରୀ କଳକୁ ସ୍ୱଚ୍ଛ ଓ କ୍ରିୟାଶୀଳ କରିବାପାଇଁ ଏଥିରୁ ଅମନଯୋଗୀ, ନେତିବାଦୀ ଓ ଦୁର୍ନୀତିଗ୍ରସ୍ତ କର୍ମଚାରୀମାନଙ୍କୁ ବାଧ୍ୟତାମୁଳକ ଅବସର ଦେବା ନିଷ୍ପତ୍ତି ଆଇନସିଦ୍ଧ ଓ ଯଥାର୍ଥ । ଏବଂ କହିଛନ୍ତି ଏମାନଙ୍କ ସାମ୍ବିଧାନିକ ସୁରକ୍ଷା କବଚକୁ ତୁରନ୍ତ ହଟାଇ ଦେଇ ଦୁର୍ନୀତିଦ୍ୱାରା ଅର୍ଜିତ ସମ୍ପତ୍ତିକୁ ଜବତ୍ କରାଯାଉ । ବୃହତ୍ତର ଜନସ୍ୱାର୍ଥ ସୁରକ୍ଷା ପାଇଁ ଏଭଳି କର୍ମଚାରୀଙ୍କ କବଳରୁ ପରିଚାଳନା ବ୍ୟବସ୍ଥାକୁ ମୁକ୍ତ କରାଯିବା ଆବଶ୍ୟକ । ସମାଜ, ରାଜନୀତି, ଅମଲାତନ୍ତ୍ର, ପୋଲିସ୍, ଭିଜିଲାନ୍ସ ଓ ଶିଳ୍ପ ବାଣିଜ୍ୟ କ୍ଷେତ୍ରରେ ଏବେ ବି ଅନେକ ସକ୍ରିୟ, ସଚ୍ଚୋଟ ଲୋକ ଅଛନ୍ତି । ଏମାନଙ୍କୁ ସ୍ୱୀକୃତି, ସୁରକ୍ଷା ଓ ପ୍ରେରଣା ମିଳିଲେ ଦେଶ ଓ ରାଜ୍ୟର ଛବି ନିର୍ମଳ ଖୋଯାଆନ୍ତା ଓ କନିଷ୍ଠମାନେ ଏପରି ବରିଷ୍ଠଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତେ ।

ସ୍ୱାଧୀନତାର ୬୨ ବର୍ଷ ପରେ ମଧ୍ୟ ଯଦି ଆଜି ୧୧୦ କୋଟି ଲୋକଙ୍କ ଦେଶ ଭାରତ ବିଶ୍ୱ ମହାଶକ୍ତି ହୋଇ ପାରିନାହିଁ, ତା’ର ମୂଳରେ ରହିଛି ଆମର ଦୁର୍ନୀତିଗ୍ରସ୍ତ ଶାସନ ଓ ରାଜନୀତି । ଏବଂ ରାଜନୀତି ଦୁର୍ନୀତିମୁକ୍ତ ହେଲେ ପ୍ରଶାସନରୁ ଦୁର୍ନୀତି ଦୂର କରିବା ସହଜ ହେବ । ଗଙ୍ଗୋତ୍ରୀ ପ୍ରଦୂଷିତ ହେଲେ ଗଙ୍ଗା ପବିତ୍ର ହୋଇ ରହିପାରିବ ନାହିଁ । ବଡ଼ବଡ଼ ନେତା ଓ ହାକିମମାନେ ସଚ୍ଚୋଟ ରହିଲେ ତଳିଆ କର୍ମଚାରୀମାନେ ଲାଞ୍ଚ ନେବାକୁ ଡରିବେ । ଏବଂ ଲାଞ୍ଚୁଆଙ୍କୁ ଧରି ତୁରନ୍ତ ଦଣ୍ଡ ଦିଆଗଲେ ଶାସନ ଓ ସମାଜ ଉପରେ ଭଲ ପ୍ରଭାବ ପଡିବ । ୧୯୮୮ ମସିହାରୁ ‘ପ୍ରିଭେନ୍‌ସନ୍ ଅଫ୍ କରପ୍‌ସନ୍ ଆକ୍ଟ’ ପାସ୍ ହୋଇ ଆଇନ୍ ହୋଇ ସାରିଲାଣି । କେନ୍ଦ୍ରରେ ଲୋକପାଳ ରାଜ୍ୟରେ ଲୋକାୟୁକ୍ତ ବ୍ୟବସ୍ଥା ଏପର୍ଯ୍ୟନ୍ତ ଠିକ୍ ଭାବରେ କାର୍ଯ୍ୟକାରୀ ହୋଇପାରି ନାହିଁ । ‘ଟ୍ରାନ୍ସପାରେନ୍‌‌ସୋ ଇଣ୍ଟରନ୍ୟାସନାଲ୍’ ର ‘କରପ୍‌ସନ୍ ଇଣ୍ଡେକସ୍‘ ଅନୁସାରେ ଭାରତ ସବୁଠାରୁ ଦୁର୍ନୀତିଗ୍ରସ୍ତ ଦେଶଙ୍କ ସାଙ୍ଗରେ ରହିଛି । ପିସି, ଗୋଡ଼ିଭୋଜି ଓ କୁତ୍ତା ଖାତା ସଂସ୍କୃତି ଅବ୍ୟାହତ ଅଛି । କୁତ୍ତାମାନଙ୍କ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି ଓ କୁତ୍ତା ଖାତାର କଳେବର ବଢ଼ିବାରେ ଲାଗିଛି ।

୩ ସେପ୍ଟେମ୍ବର, ୨୦୦୯

ବିକଳ୍ପ ବିଶ୍ୱ ୩୦୯