ପୃଷ୍ଠା:Bikalpa Biswa.pdf/୩୧୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ର‍୍ୟାଗିଂ  : ରୋଗ, ରୂପ, ଋତୁ ଓ ପ୍ରତିକାର

ତିନିବର୍ଷ ତଳେ (ଅକ୍ଟୋବର-୨୦୦୬), ତିନି ସପ୍ତାହ ଧରି ର‍୍ୟାଗିଂଜନିତ ନିର୍ଯ୍ୟାତନା ସହି ନ ପାରି ଓଡ଼ିଶାର ବିଜୟ କୁମାର ମହାରଥୀଙ୍କ ମୃତ୍ୟୁ ସାରା ରାଜ୍ୟରେ ଚହଳ ପକାଇଥିଲା । ଏବେ, ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ପାଟିଲ ରାଜ୍ୟପାଳମାନଙ୍କୁ ପତ୍ର ଲେଖି ଶିକ୍ଷାନୁଷ୍ଠାନମାନଙ୍କରେ ବ୍ୟାପୁଥିବା ର‍୍ୟାଗିଂ ରୋଗକୁ ରୋକିବାପାଇଁ ଦୃଢ଼ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ଶିକ୍ଷା ଜଗତରୁ ଏହି କଳଙ୍କକୁ ମୂଳୋତ୍ପାଟନ କରିବାପାଇଁ ରାଜ୍ୟପାଳମାନେ ନିଜର ଜ୍ଞାନ, ଅଭିଜ୍ଞତା ଓ କ୍ଷମତା ପ୍ରୟୋଗ କରନ୍ତୁ ଓ ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କର ଏ ସମ୍ପର୍କୀୟ ନିର୍ଦ୍ଦେଶ କଡ଼ାକଡ଼ି ଲାଗୁପାଇଁ ଆବଶ୍ୟକ ସ୍ଥଳେ ରାଜ୍ୟରେ ନୂଆ ଆଇନ୍ ପ୍ରଣୟନ କରାଯାଉ ଏବଂ ଶିକ୍ଷାନୁଷ୍ଠାନ, ଶିକ୍ଷକ, ଅଭିଭାବକ ଓ ସ୍ୱେଚ୍ଛାସେବୀ ସଂସ୍ଥାମାନଙ୍କୁ ଏହି ପ୍ରକ୍ରିୟାରେ ସାମିଲ କରାଯାଉ ବୋଲି ରାଷ୍ଟ୍ରପତି କହିଛନ୍ତି । ପ୍ରକାଶଥାଉକି, ଏବର୍ଷ (ଜୁଲାଇ ୨୦୦୮-ଜୁନ୍ ୨୦୦୯) ବାରଜଣ ବିଦ୍ୟାର୍ଥୀ ର‍୍ୟାଗିଂ ଯୋଗୁଁ ପ୍ରାଣ ହରାଇଲେଣି ଓ ୫ ଜଣ ଆତ୍ମହତ୍ୟା କଲେଣି । ବର୍ଷ ଶେଷକୁ ଏ ସଂଖ୍ୟା ଆହୁରି ବଢ଼ି ଯାଇଥିବ । ଆଡ୍‌ମିଶନ୍ ପରେ ପରେ ଏହା ଏକ ଦୈନନ୍ଦିନ ଘଟଣା ।

୨୦୦୧ ମସିହାରେ ର‍୍ୟାଗିଂ ବିରୋଧରେ ସୁପ୍ରିମ୍‌କୋର୍ଟଙ୍କ ରାୟ ପରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଶିକ୍ଷାନୁଷ୍ଠାନମାନଙ୍କୁ ସତର୍କ କରିବା ସହ ସାରା ଦେଶପାଇଁ ଏକ ଚବିଶ ଘଣ୍ଟିଆ “ହେଲ୍‌ପ ଲାଇନ୍ (ଟୋଲ୍ ଫ୍ରି ନମ୍ବର ୧୮୦୦୧୮୦୫୫୨୨)” ପ୍ରବର୍ତ୍ତନ କରିଛନ୍ତି । ର‍୍ୟାଗିଂର ଶିକାର ହୋଇଥିବା ଯେ କୌଣସି ଛାତ୍ର-ଛାତ୍ରୀ ଏହାର ସହାୟତା ନେଇପାରିବେ । ଏହାସତ୍ତ୍ୱେ ର‍୍ୟାଗିଂ ନ

୩୧୦ ବିକଳ୍ପ ବିଶ୍ୱ