ପୃଷ୍ଠା:Bikalpa Biswa.pdf/୩୧୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

କୁଣ୍ଠାବୋଧ କରନ୍ତି । ର‍୍ୟାଗିଂକୁ ‘ଜଷ୍ଟିଫାଏ’ କରିବାକୁ ଚେଷ୍ଟା କରନ୍ତି, ଭ୍ରମଧାରଣା ସୃଷ୍ଟି କରନ୍ତି । କହନ୍ତି ଏପରି କଲେ କୁଆଡେ ବନ୍ଧୁତା ବଢ଼େ ।

ବିଦେଶରୁ ଆମଦାନୀ ଏଇ ଅସଭ୍ୟ ଅପସଂସ୍କୃତିର ଇତିହାସ ମଧ୍ୟ ବିଚିତ୍ର । ଖ୍ରୀଷ୍ଟପୂର୍ବ ୭ମ ଶତାବ୍ଦୀରେ ଗ୍ରୀକ୍ ରାଜ୍ୟରେ ଅନୁଷ୍ଠିତ ଖେଳକୁ ପ୍ରତିଯୋଗିତାରେ ଅଂଶଗ୍ରହଣପାଇଁ ଆସୁଥିବା ଖେଳାଳିମାନଙ୍କ ସହିଷ୍ଣୁତା ପରୀକ୍ଷାପାଇଁ ନାନା ପ୍ରକାର କଠିନ ଓ କ୍ଲେଶପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରାଯାଉଥିଲା । ଏହି ପ୍ରଣାଳୀକୁ ପରବର୍ତ୍ତୀ କାଳରେ ମିଲିଟାରି ଟ୍ରେନିଂରେ ପ୍ରୟୋଗ କରାଗଲା । ଏହା ପରେ ୟୁରୋପରେ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରେ ଏହା ବ୍ୟାପିଲା ଓ ହିଂସାତ୍ମକ ରୂପ ନେଲା । ପ୍ରଥମ ବିଶ୍ୱମହାଯୁଦ୍ଧ ବେଳେ ଅନେକ ଯୁବକ ପାଠପଢ଼ା ଛାଡ଼ି ଦେଶ ରକ୍ଷାପାଇଁ ଲଢ଼ୁଥିଲେ । ବିଶ୍ୱଯୁଦ୍ଧ ପରେ ଏମାନଙ୍କ ମଧ୍ୟରୁ ଅନେକ କଲେଜ ଓ ବିଶ୍ୱବିଦ୍ୟାଳୟରେ ପଢ଼ିବାକୁ ଆସିଲେ ଓ ପୁରୁଣା ଅଭ୍ୟାସକୁ କ୍ୟାମ୍ପସ୍‌ରେ ନବାଗତ ବିଦ୍ୟାର୍ଥୀଙ୍କ ଉପରେ ପ୍ରୟୋଗ କଲେ । ଅଷ୍ଟାଦଶ ଓ ଊନ୍ନବିଂଶ ଶତାବ୍ଦୀରେ ୟୁରୋପ ଓ ଆମେରିକାର ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରେ ଛାତ୍ରମାନେ ଆଲ୍‌ଫା, ବିଟା, ଡେଲ୍‌ଟା ଇତ୍ୟାଦି ଗ୍ରୀସୀୟ ନାମରେ କ୍ଲବ୍ ଗଢ଼ି ର‍୍ୟାଗିଂ ଆରମ୍ଭ କଲେ । ର‍୍ୟାଗିଂର ଆମେରିକାନ୍ ନାମ ‘ହେଜିଂ’ ବା ହଇରାଣ, ହରକତ କରିବା ।

୧୮୧୭ ମସିହାରେ କର୍ଣ୍ଣେଲ୍ ବିଶ୍ୱବିଦ୍ୟାଳୟରେ ପ୍ରଥମଥରପାଇଁ ଜଣେ ନବାଗତ ଛାତ୍ର ର‍୍ୟାଗିଂ ବା ହେଜିଂର ଶିକାର ହୋଇ ପ୍ରାଣତ୍ୟାଗ କରିଥିଲେ । ତାଙ୍କୁ ର‍୍ୟାଗରମାନେ ଏକ ବିରାଟ ଗର୍ତ୍ତକୁ ପେଲି ଦେଇଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ର‍୍ୟାଗିଂ ଆହୁରି ଭୟଙ୍କର ହେଲା । ଭାରତରେ ର‍୍ୟାଗିଂ ପହଞ୍ଚିଲା ବିଂଶ ଶତାବ୍ଦୀରେ - ଇଂରାଜୀ ମାଧ୍ୟମରେ ଶିକ୍ଷା ଦେଉଥିବା ଅନୁଷ୍ଠାନ ମାଧ୍ୟମରେ । ୧୯୭୦ ଦଶକରେ ଦକ୍ଷିଣ ଭାରତର ଇଞ୍ଜିନିୟରିଂ, ମେଡିକାଲ ଓ ବୈଷୟିକ ଶିକ୍ଷାନୁଷ୍ଠାନମାନଙ୍କରେ ର‍୍ୟାଗିଂ ଆରମ୍ଭ ହୋଇ ଦେଶର ସବୁ ଅଞ୍ଚଳକୁ କ୍ରମେ ବ୍ୟାପିଗଲା । ଏଥିରେ ବିବ୍ରତ ହୋଇ ସର୍ବପ୍ରଥମେ ତାମିଲନାଡ଼ୁ ରାଜ୍ୟ ସରକାର ଏହା ବିରୋଧରେ ୧୯୯୭ ମସିହାରେ ଆଇନ ପ୍ରଣୟନ କଲେ । ୨୦୦୧ ମସିହାରେ ଏହାକୁ ରାଷ୍ଟ୍ରୀୟ ସ୍ତରରେ ବ୍ୟାନ୍ ବା ନିଷିଦ୍ଧ କରାଗଲା । ଇଞ୍ଜିନିୟରିଂ ଛାତ୍ର ଅମନ୍ କଚୃଙ୍କ ମୃତ୍ୟୁ ପରେ ଏବେ ହିମାଚଳ ସରକାର ର‍୍ୟାଗିଂ ବିରୋଧରେ ନୂଆ ଆଇନ୍ ପ୍ରଣୟନ କରିଛନ୍ତି । ଓଡ଼ିଶା ସରକାର ଓ ଶିକ୍ଷାନୁଷ୍ଠାନମାନମାନେ କେବେ ଚେଇଁବେ ?

ପୃଥିବୀରେ ର‍୍ୟାଗିଂଦ୍ୱାରା ସବୁଠାରୁ ଅଧିକ ଉତ୍ପୀଡ଼ିତ ଦେଶ ଶ୍ରୀଲଙ୍କା । ଯେଉଁ

୩୧୨ ବିକଳ୍ପ ବିଶ୍ୱ