ପୃଷ୍ଠା:Bikalpa Biswa.pdf/୩୧୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ହିନ୍ଦ୍ ସ୍ୱରାଜ : ସ୍ୱାଧୀନତାର ନୂଆ ସଂଜ୍ଞା

ଶହେ ବର୍ଷ ତଳର କଥା । ମୋହନ ଦାସ କରମଚାନ୍ଦ ଗାନ୍ଧୀ ଜଳପଥରେ ଫେରୁଥାନ୍ତି ଲଣ୍ଡନରୁ ଦକ୍ଷିଣ ଆଫ୍ରିକା । ଜଳ ଜାହଜଟିର ନାଁ ‘କିଲ୍ଡୋନମ୍ କାଶଲ’ । ୧୯୦୯ ମସିହା ନଭେମ୍ବର ୧୩ ତାରିଖ । କାହା ସହ କଥା ହେବାକୁ ସମୟ ନଥାଏ । ଲେଖୁଥାନ୍ତି ପୃଷ୍ଠା ପରେ ପୃଷ୍ଠା । ଡାହାଣ ହାତ ଥକିଗଲେ ବାମ ହାତରେ ଲେଖୁଥାନ୍ତି, ଦୁଇ ହାତ ଥକିଗଲେ ଦୁଇମିନିଟ୍ ଆଖି ବୁଜି ବସିଲା ପରେ ପୁଣି ଲେଖିବା ଆରମ୍ଭ କରି ଦେଉଥାନ୍ତି । ସହଯାତ୍ରୀମାନେ ତାଙ୍କର ଏପରି ଆଚରଣ ଦେଖି ଭାବୁଥାନ୍ତି ଲୋକଟି ବୋଧେ କୌଣସି ଅସ୍ୱାଭାବିକ ଖିଆଲି ଅବସ୍ଥାରେ ଅଛି । ଏହିପରି ଅବସ୍ଥା ରହିଲା ଦଶ ଦିନ- ନଭେମ୍ଭର ୧୩ ରୁ ୨୨ ପର୍ଯ୍ୟନ୍ତ । ଦକ୍ଷିଣ ଆଫ୍ରିକାରୁ ଗାନ୍ଧିଜୀ ଏହାର ଏକ କପି ଭାରତ ପଠାଇ ଥିଲେ । ୧୯୧୦ ମସିହା ମାର୍ଚ୍ଚ ୧୦ ତାରିଖରେ ଏହି ହାତ ଲେଖା ପାଣ୍ଡୁଲିପିଟିକୁ ପୁଲିସ୍ ଜବତ କରିନେଲେ ବମ୍ବେ ବନ୍ଦରଠାରେ ଓ ତାକୁ ମାଡ୍ରାସ ହାଇକୋର୍ଟରେ ପେସ୍ କଲେ । ବିଚାରପତି ଗୁଜୁରାତି ଜାଣି ନଥିବାରୁ ଜଣେ ଅନୁବାଦକ ନିଯୁକ୍ତ ହେଲେ । ଖବର ପାଇ ବିଚାରପତିଙ୍କୁ ସାହାଯ୍ୟ କରିବା ପାଇଁ ମୋହନ ଦାସ ତରତରରେ ପାଣ୍ଡୁଲିପିଟିକୁ ଇଂରାଜୀ ଭାଷାରେ ଲେଖି ପଠାଇ ଦେଲେ । ସେଇବର୍ଷ ଦେଶଦ୍ରୋହ ପ୍ରଚାର ଅଭିଯୋଗରେ ଏହାକୁ ନିଷିଦ୍ଧ କରାଗଲା । ଏହି ଦ୍ୱିଭାଷୀ ପୁସ୍ତକଟିର ନାଁ ‘ହିନ୍ଦ୍ ସ୍ୱରାଜ’ । ୨୦୦୯ ମସିହାରେ ପୁସ୍ତକଟିର ବୟସ ୧୦୦ ବର୍ଷ ପୂରିଲା ।

କ’ଣ ଅଛି ଏ ପୁସ୍ତକରେ ଯାହାର ଶତବାର୍ଷିକୀ ପାଳନ ହେଲା ପୃଥିବୀର ବିଭିନ୍ନ ଅଞ୍ଚଳରେ ? କାରଣ ୧୯୦୯ ରୁ ୨୦୦୯ ମଧ୍ୟରେ ସାରା ପୃଥିବୀରେ ଦୃତ ପରିବର୍ତ୍ତନ ଘଟିଯାଇଛି, କିନ୍ତୁ ଗାନ୍ଧିଜୀଙ୍କ ବିଚାର ଓ ଦର୍ଶନ ଏବେ ବି ଅମ୍ଳାନ ରହିଛି ।

ବିକଳ୍ପ ବିଶ୍ୱ ୩୧୫