ପୃଷ୍ଠା:Bikalpa Biswa.pdf/୩୧୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହିନ୍ଦ ସ୍ୱରାଜ ସେଇ ବିଚାର ଓ ଦର୍ଶନର ଏକ ଝରକା ଓ ପ୍ରତିଛବି । ଏଥିରେ ଗାନ୍ଧୀଜୀ ସେତେବେଳର ଦୁଇଟି ଲୋକପ୍ରିୟ ସିଦ୍ଧାନ୍ତ ବା ତତ୍ତ୍ୱକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି । ପ୍ରଥମଟି ହେଲା ମାକିଆଭେଲିଙ୍କ ‘ମାଇଟ୍ ଇଜ୍ ରାଇଟ’ ଥିଓରି ବା ଦୁର୍ବଳ ଉପରେ ବଳଶାଳୀଙ୍କ ପ୍ରଭୁତ୍ୱ ନ୍ୟାୟ ସଂଗତ ବା ବଳ ଯାହାର ରାଜ୍ୟ ତାହାର ବିଚାରଧାରା । ଏବଂ ଦ୍ୱିତୀୟଟି ହେଲା ‘ସରଭାଇଭାଲ ଅଫ୍ ଦି ଫିଟେଷ୍ଟ’ ତତ୍ତ୍ୱ ଯାହାକୁ ପ୍ରସିଦ୍ଧ ଅର୍ଥନୈତିଜ୍ଞ ଆମ୍ ସ୍ମିଥ ସମର୍ଥନ କରୁଥିଲେ । ସେ କହୁଥିଲେ ସ୍ୱାର୍ଥ ନୀତି ହିଁ ସଫଳ ଅର୍ଥନୀତି ।

ତେଣୁ ‘ହିନ୍ଦ ସ୍ୱରାଜ’ରେ ତିନିଟି ବିଷୟ ବାରମ୍ବାର ଉପସ୍ଥାପନ କରାଯାଇଛି- (୧) ଉପନିବେଶଭିତ୍ତିକ ସାମ୍ରାଜ୍ୟବାଦ (୨) ଶିଳ୍ପଭିତ୍ତିକ ପୁଞ୍ଜିବାଦ ଓ (୩) ‘ହେତୁ’ ଭିତ୍ତିକ ଭୋଗବାଦ । ପ୍ରଥମ ବିଷୟଟିକୁ ବ୍ୟାଖ୍ୟା କରି ଗାନ୍ଧୀ କହୁଥିଲେ ଇଂରେଜ ଓ ତାଙ୍କ ପୂର୍ବରୁ ଓ ଅନ୍ୟ ବିଦେଶୀମାନେ ପ୍ରକୃତରେ ଭାରତକୁ ଅଧିକାର କରି ନଥିଲେ । ବରଂ ଆମେ ସେମାନଙ୍କୁ ଏ ଅଧିକାର ସମର୍ପଣ କରିଥିଲେ । ନିଜ ବଳରେ ସେମାନେ ଭାରତରେ ତିଷ୍ଠି ନଥିଲେ । ବାଣିଜ୍ୟ ବ୍ୟବସାୟପାଇଁ ଆସିଥିବା ବଣିକ ଆମକୁ କିଣିଲେ । ସେହିପରି ଉପନିବେଶବାଦର ମୂଳ ଶକ୍ତି ହେଲା ପୁଞ୍ଜି । ଶିଳ୍ପ ଶ୍ରମିକଙ୍କ ଶୋଷଣରୁ ସୃଷ୍ଟି ହେଲା ପୁଞ୍ଜି । କେବଳ ପ୍ରଣାଳୀ ଛଡ଼ା ଏ ବିଷୟରେ ଗାନ୍ଧୀ ଓ ମାର୍କସ୍ଙ୍କ ମଧ୍ୟରେ ମତ ପାର୍ଥକ୍ୟ ନଥିଲା । ଗାନ୍ଧୀଙ୍କ ସ୍ୱଦେଶୀ ଥିଲା ଏଇ ପୁଞ୍ଜି ଉପରେ ପ୍ରଥମ ପ୍ରହାର ।

ସେହିପରି ଭୋଗବାଦ ଉପରେ ହିନ୍ଦ୍ ସ୍ୱରାଜରେ ଗାନ୍ଧୀଜୀଙ୍କ ମତ ୧୯୦୯ ରେ ଯାହା ଥିଲା ୧୯୪୮ ରେ ବି ସେୟା ଥିଲା । ସେ କହୁଥିଲେ ପ୍ରକୃତ ସଭ୍ୟତାର ବ୍ୟାବହାରିକ ଲକ୍ଷଣ ହେଉଛି, ତାହା ନିଜ କର୍ତ୍ତବ୍ୟ ପାଳନ ଦିଗରେ ବାଟ ଦେଖାଏ । କର୍ତ୍ତବ୍ୟ ପାଳନର ଅର୍ଥନୈତିକ ଆଚରଣ କରିବା ଏବଂ ନୈତିକତା ପାଳନର ଅର୍ଥ ହେଉଛି ନିଜ ମନ ଓ ଇନ୍ଦ୍ରିୟ ପ୍ରେରିତ ଭୋଗଲାଳସାଗୁଡିକୁ ନିଜ ଆୟତ୍ତରେ ରଖିବା । ନହେଲେ ଭୋଗବାଦୀ ସଂସ୍କୃତି ଆମ ସଭ୍ୟତାର ସର୍ବନାଶ ଘଟାଇବ । ଏହା ଅଧିକ ଚୋର, ଡକାୟତ ସୃଷ୍ଟି କରିବ, ପାପାଚାରୀଙ୍କ ସଂଖ୍ୟା ବଢ଼ିବ, ଧନୀମାନେ ଗରିବଙ୍କୁ ଲୁଣ୍ଠନ କରିବେ । ହାତ, ଗୋଡ଼କୁ ଖଟେଇ କାମ କରିବା ଭଳି ସ୍ୱାସ୍ଥ୍ୟକର ଅଭ୍ୟାସ ବନ୍ଦ ହୋଇଯିବ । ସହରୀକରଣ ଓ ଭୋଗବାଦଯୋଗୁଁ ରୋମାନ୍, ଗ୍ରୀସୀୟ ଓ ମିଶରୀୟ ସଭ୍ୟତା ଲୋପ ପାଇଯାଇଛି । କଳକାରଖାନା ଓ ଯାନ୍ତ୍ରିକ ସଂସ୍କୃତି ୟୁରୋପ, ଆମେରିକାର ସଭ୍ୟତାକୁ ଦୁର୍ବଳ କରିଦେଲାଣି । ତେଣୁ ଆମ ପୂର୍ବ ପୁରୁଷମାନେ ବଡ଼ ବଡ଼ ଯନ୍ତ୍ର ଓ କଳକାରଖାନା ଜଞ୍ଜାଳରୁ ଦୂରରେ ରହୁଥିଲେ । ଅରଟ, ଲଙ୍ଗଳ, କୋଡ଼ି,

୩୧୬ ବିକଳ୍ପ ବିଶ୍ୱ