ପୃଷ୍ଠା:Bikalpa Biswa.pdf/୩୧୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

କୋଦାଳ ଭଳି ଛୋଟ ଛୋଟ ଯନ୍ତ୍ରଦ୍ୱାରା କାମ କରୁଥିଲେ ।

‘ହିନ୍ଦ ସ୍ୱରାଜ’ରେ ବାପୁ ସ୍ୱରାଜ, ସ୍ୱଦେଶୀ, ସ୍ୱତନ୍ତ୍ର, ସର୍ବୋଦୟ ଓ ସତ୍ୟ ଉପରେ ନିଜ ମତ ରଖିଛନ୍ତି । ତାଙ୍କ ମତରେ ସ୍ୱରାଜର ପ୍ରକୃତ ଅର୍ଥ ହେଉଛି ସର୍ବୋଦୟ । ‘ସ୍ୱରାଜ’ ଅର୍ଥାତ୍ ନିଜ ଉପରେ ‘ରାଜ’ ବା ନିୟନ୍ତ୍ରଣ ନ ରହିଲେ ସ୍ୱତନ୍ତ୍ରତା ଆସିବ ନାହିଁ । ଆତ୍ମ ପରୀକ୍ଷା, ଆତ୍ମ ଶୋଧନ ଓ ଆତ୍ମ ଦର୍ଶନ‌ଦ୍ୱାରା ହେବ ଆତ୍ମ ନିୟନ୍ତ୍ରଣ ଏବଂ ଆତ୍ମ ନିୟନ୍ତ୍ରିତ ବ୍ୟକ୍ତି ଓ ସମାଜପାଇଁ ସରକାରୀ ନିୟନ୍ତ୍ରଣର ଆବଶ୍ୟକତା ପଡ଼ିବ ନାହିଁ । ବାପୁ ସଦାବେଳେ ‘ମିନିମାଲିଷ୍ଟ’ ବା ସ୍ୱଳ୍ପତମ ଶାସନ ବ୍ୟବସ୍ଥା ସପକ୍ଷରେ ଯୁକ୍ତି କରୁଥିଲେ, କାରଣ ସରକାର ପ୍ରାୟତଃ କ୍ଷମତା ଓ ହିଂସାର ପ୍ରୟୋଗରେ ଆସ୍ଥା ରଖିଥାନ୍ତି । ଏବଂ ସଚ୍ଚା ସ୍ୱରାଜ କର୍ମୀ ସେଇମାନେ ଯେଉଁମାନେ ଆତ୍ମବଳରେ ବଳୀୟାନ୍ ଓ ପଶୁବଳ ପ୍ରୟୋଗକୁ ପ୍ରତ୍ୟାଖ୍ୟାନ କରୁଥିବେ ।

ସ୍ୱାଧୀନତା ଓ ‘ସ୍ୱ’ ରାଜପାଇଁ ଶକ୍ତି ଆବଶ୍ୟକ । କ’ଣ କଲେ ଏ ଶକ୍ତି ମିଳିବ, ଗାନ୍ଧୀ ତା’ର ୧୯ ଟି ଉଦାହରଣ ଦେଇଛନ୍ତି ହିନ୍ଦ ସ୍ୱରାଜରେ । ସେଗୁଡିକ ମଧ୍ୟରେ ଅଛି ସରକାରୀ ପେଷା ଛାଡିଦେବା, ଘରେ ଅରଟରେ ସୂତା କାଟିବା, ଓକିଲ ହୋଇଥିଲେ ବାଦୀ-ପ୍ରତିବାଦୀଙ୍କ କଳିରେ ନ ପଶିବା, ଡାକ୍ତର ହୋଇଥିଲେ ଶରୀର ସହ ଆତ୍ମାର ଆରୋଗ୍ୟପାଇଁ ଯତ୍ନ କରିବା, ଧନବାନ ହୋଇଥିଲେ ନିର୍ଭୟରେ ସତ୍ୟପଥରେ ଚାଲିବା ଓ ସ୍ୱଦେଶୀ ଦ୍ରବ୍ୟ ବ୍ୟବହାର କରିବା, ଇଂରେଜଙ୍କୁ ନିନ୍ଦା ନ କରି ନିଜକୁ ସଜାଡିବା, ବିଳାସ ବ୍ୟସନରୁ ଦୂରରେ ରହିବା, ପରାଧୀନତା ବନ୍ଧନରୁ ମୁକ୍ତିପାଇଁ ଦୁଃଖ, କଷ୍ଟ ସହିବାର ସାମର୍ଥ୍ୟ ଓ ଧୈର୍ଯ୍ୟ, କଥା କହିବା ଅପେକ୍ଷା କାର୍ଯ୍ୟରେ କରି ଦେଖାଇବା, ପରାଧୀନତାପାଇଁ ଶୋକ, ଅନୁତାପ ଓ ପ୍ରାୟଶ୍ଚିତ୍ତ; କାରଣ ଭାରତୀୟମାନେ ନିଜେ ନିଜର ସ୍ୱାଧୀନତା ଅନ୍ୟ ହାତରେ ଟେକି ଦେଇଛନ୍ତି । ଯେ ପର୍ଯ୍ୟନ୍ତ ଏହିପରି ୧୯ ଟି ଆଚରଣ ଅନୁସରଣ କରୁଥିବା ଜଣେ ବ୍ୟକ୍ତି ବି ଦେଶରେ ଥିବେ, ସେ ଦେ ଛାଡ଼ିଯିବାକୁ ମହା ପରାକ୍ରମୀ ଇଂରେଜ ସରକାର ବାଧ୍ୟ ହେବେ । ଆମେ ଯେଉଁ କାରଣରୁ ଆଜି ବିଦେଶୀ ଶାସନକୁ ବିରୋଧ କରୁଛେ, କାଲି ଦେଶୀମାନେ ଯଦି ସେପରି ଶାସନ ଚଳାଇବେ, ତେବେ ସେମାନଙ୍କୁ ମଧ୍ୟ ଏହି ଉପାୟରେ ହଟାଇବାକୁ ପଡ଼ିବ । ସରକାର ମା, ବାପା ମାନସିକତାକୁ ପରିତ୍ୟାଗ କରିବାକୁ ପଡ଼ିବ । ଏବଂ କହୁଥିଲେ, “ମୁଁ ଏମିତି ଲୋକମାନଙ୍କୁ ଖୋଜୁଚି ଯେଉଁମାନେ ହିଂସା ବା ଅର୍ଥବଳ ଅପେକ୍ଷା ନୈତିକ ଶକ୍ତି ଓ ବ୍ୟକ୍ତିଗତ ଉଦାହରଣଦ୍ୱାରା ସମାଜରେ ପରିବର୍ତ୍ତନ ଆଣିବାକୁ ଚାହାନ୍ତି ।”

ବିକଳ୍ପ ବିଶ୍ୱ ୩୧୭