ପୃଷ୍ଠା:Bikalpa Biswa.pdf/୩୧୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେହିପରି ଶିକ୍ଷା ସମ୍ପର୍କରେ ହିନ୍ଦ୍ ସ୍ୱରାଜରେ ଏକ ସ୍ପଷ୍ଟ ଚିତ୍ର ରଖିଯାଇଛନ୍ତି ବାପୁ । ଶିକ୍ଷା କେବଳ ଅକ୍ଷର ଜ୍ଞାନ, ପଠନ, ଲିଖନ, ଗଣିତ, ଜ୍ୟାମିତି, ବିଜ୍ଞାନ ନୁହେଁ । ବରଂ ଯେ କୈଶୋର ଓ ଯୁବାବସ୍ଥାରେ ଏପରି ଶିକ୍ଷା ଓ ତାଲିମ ପାଇଛନ୍ତି ଯାହାଫଳରେ ତାଙ୍କର ଶରୀର ଇଚ୍ଛା ଓ ଆତ୍ମଶକ୍ତିର ସଦା ଆଜ୍ଞାବହ, ମୌଳିକ ସତ୍ୟ ଓ ମୂଲ୍ୟବୋଧଗୁଡ଼ିକର ଜ୍ଞାନ ଓ ଆଚରଣରେ ଯେ ଦକ୍ଷ, ଯାହାଙ୍କର ଉଗ୍ର ଇନ୍ଦ୍ରିୟ ବାସନାଗୁଡ଼ିକ ନିଜ ଆୟତ୍ତ ଓ ଯେ କୋମଳ ବିବେକ ଶକ୍ତିଦ୍ୱାରା ସେଗୁଡ଼ିକ ବଶ କରି ରଖିପାରନ୍ତି, ଯେ ନୀଚତାକୁ ଘୃଣା ଓ ଅନ୍ୟକୁ ଆପଣା ପରି ସମ୍ମାନ ଦିଅନ୍ତି, ସେ ହିଁ ପ୍ରକୃତରେ ଶିକ୍ଷିତ ।

ହିନ୍ଦୁ ଧର୍ମକୁ ମଧ୍ୟ ବାପୁ ଏକ ଉଦାର ସର୍ବଧର୍ମ ସମଭାବାପନ୍ନ ଧର୍ମ ଭାବରେ ବୁଝିଥିଲେ । ହିନ୍ଦୁ ଓ ମୁସଲମାନଙ୍କୁ ଭାରତ ମାତାର ଦୁଇ ଆଖି ବୋଲି କହୁଥିଲେ । ଏକ ଶ୍ରେଣୀହୀନ ସମାଜ ହିଁ ଭାରତର ଆଦର୍ଶ ବୋଲି ବାରମ୍ବାର କହୁଥିଲେ । ଜାତିପ୍ରଥା ଓ ଅସ୍ପୃଶ୍ୟତା ବିରୋଧରେ ସଂଗ୍ରାମ କରି କରି ଥକି ନଥିଲେ । ଶେଷରେ ସେ କହିଥିଲେ, ଭାରତରେ କେବଳ ଗୋଟିଏ ଜାତିର ଆବଶ୍ୟକତା ଅଛି ଓ ସେଇ ଜାତିଟିର ସୁନ୍ଦର ନାଁଟି ହେଲା ଭାଙ୍ଗି (ବା ଦଳିତ) । ଏଇମାନେ ଦିନେ ଆମ ସମାଜ , ସଂସ୍କୃତି ଓ ବିଚାରରେ ଯେଉଁ ମଳି ଓ ମଳ ଅଛି ତାକୁ ସଫା କରି ସୁସ୍ଥ ଭାରତ ଗଢ଼ିବେ ।

୧୯୧୭ ମସିହାରେ ଗାନ୍ଧୀଜୀ ‘ସ୍ୱରାଜ’ ଗଣଦାବୀ ପତ୍ରରେ ଦସ୍ତଖତ ଦେବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ । ସମର୍ଥକ ମଧ୍ୟରେ ଥିଲେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ବିନାୟକ ଦାମୋଦର ସାଭରକର, ମୌଲାନା ଆଜାଦ ଓ ରାମ ମନୋହର ଲୋହିଆ । ଦୁଇ ବର୍ଷ ପରେ ‘ସ୍ୱରାଜ’ ବିଚାର ପ୍ରଚାରପାଇଁ ଗଢ଼ା ହେଲା ନବଜୀବନ ଟ୍ରଷ୍ଟ । ତା ପରେ ପରେ ଗାନ୍ଧୀଜୀ ପ୍ରତିଷ୍ଠା କଲେ ଅଖିଳ ଭାରତୀୟ ଗ୍ରାମ୍ୟ ଶିଳ୍ପ ସଂସ୍ଥା, ହରିଜନ ସେବକ ସଂଘ, ଲେପ୍ରୋସି ଫାଉଣ୍ଡେସନ, ଖଦୀ ଆନ୍ଦୋଳନ ସ୍ୱରାଜ ସମର୍ଥନରେ । ଏହାର ସିମ୍ବଲ ବା ପ୍ରତୀକ ଥିଲା ଚରଖା । ୧୯୨୦ ମସିହାରେ ଭାରତୀୟ ଜାତୀୟ କଂଗ୍ରେସ ସଭ୍ୟମାନେ ‘ସ୍ୱରାଜ’ ବିଚାରକୁ ସମର୍ଥନ କରିଥିଲେ । କିନ୍ତୁ ପରବର୍ତ୍ତୀ କାଳରେ ପଣ୍ଡିତ ନେହେରୁ ‘ସ୍ୱରାଜ’ ବିଚାରଧାରାକୁ ‘ସମ୍ପୂର୍ଣ୍ଣ ଅବାସ୍ତବ’ କହି ରାଜନୀତିକ ସ୍ୱରାଜକୁ ପ୍ରାଧାନ୍ୟ ଦେଇଥିଲେ ।

ଗାନ୍ଧୀଜୀଙ୍କ ହତ୍ୟା ପରେ ଆଚାର୍ଯ୍ୟ ବିନୋବା ଭାବେ ଜାତୀୟ ସ୍ତରରେ ‘ସର୍ବ ସେବା ସଂଘ’ ଓ ଆଞ୍ଚଳିକ ସ୍ତରରେ ‘ସର୍ବୋଦୟ ମଣ୍ଡଳ’ମାନ ପ୍ରତିଷ୍ଠା କରି ଗାନ୍ଧୀଙ୍କ ସ୍ୱପ୍ନର ଭାରତ ଓ ‘ହିନ୍ଦ୍ ସ୍ୱରାଜ’ ବିଚାରଧାରାକୁ ପ୍ରଥମେ ‘ଭୂଦାନ ଆନ୍ଦୋଳନ’ ମାଧ୍ୟମରେ କାର୍ଯ୍ୟକାରୀ କରିଥିଲେ ଓ ପରେ ଜୟପ୍ରକାଶଙ୍କ ପ୍ରେରଣାରେ ଏହା ‘ସମ୍ପୂର୍ଣ୍ଣ

୩୧୮ ବିକଳ୍ପ ବିଶ୍ୱ