ପୃଷ୍ଠା:Bikalpa Biswa.pdf/୩୨୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଲୋକ ଲାଞ୍ଚ ଦେଇଥାନ୍ତି । ଭାରତରେ ଶତକଡା ୨୫ ଭାଗ ଲୋକ ଲାଞ୍ଚ ଦିଅନ୍ତି ଅତି ସାଧାରଣ କାମ କରାଇବାପାଇଁ । ଏବେ ଭାରତ ସମେତ ପୃଥିବୀର ୨୨ଟି ଅର୍ଥନୀତି ଦୃଷ୍ଟିରୁ ଆଗୁଆ ଓ ବଡ଼ ଦେଶଙ୍କରେ ଯେଉଁ ଅଧ୍ୟୟନ କରାଯାଇଛି ସେଥିରେ ସବୁଠାରୁ ଅଧିକ ଦୁର୍ନୀତିମୁକ୍ତ ଦେଶ ହେଲେ ବେଲ୍‌ଜିଅମ୍ ଓ କାନାଡ଼ା (ପ୍ରଥମ ଓ ଦ୍ୱିତୀୟ) । ଭାରତର ସ୍ଥାନ ୧୯ ରେ (ବ୍ରାଇବ୍ ପେୟର୍ ଇଣ୍ଡେକ୍ସ) । ଏହି ସଂସ୍ଥାର ୨୦୦୯ ମସିହା ରିପୋର୍ଟ ଅନୁସାରେ ବିଦେଶରେ ବ୍ୟବସାୟ କରୁଥିବା ଭାରତୀୟଙ୍କ ମଧ୍ୟରୁ ଅନେକ ବ୍ୟବସାୟୀ ସେ ଦେଶର ତଳ ସ୍ତରୀୟ କର୍ମଚାରୀମାନଙ୍କୁ ଲାଞ୍ଚ ଦେଇ କାମ ହାସଲ କରନ୍ତି । ଏହାଛଡ଼ା, ଗତ ପନ୍ଦର ବର୍ଷ ଭିତରେ ପୃଥିବୀର ବିଭିନ୍ନ ଦେଶରେ ଥିବା ୩୦୦ଟି ବେସରକାରୀ କମ୍ପାନି ଖାଉଟିମାନଙ୍କୁ ଠକିଛନ୍ତି ପନ୍ଦର ଲକ୍ଷ କୋଟି ଟଙ୍କା ।

ଏହି ସୂଚକାଙ୍କରେ ଲାଞ୍ଚ ବା ଘୁସ୍‌ଖୋରିକୁ ତିନି ଭାଗରେ ବିଭକ୍ତ କରାଯାଇଛି (୧) ରାଜନୈତିକ ଦଳ ଓ ଦଳର ଉଚ୍ଚସ୍ତରୀୟ ନେତୃବୃନ୍ଦ, (୨) ତଳସ୍ତରୀୟ କର୍ମଚାରୀ ଓ (୩) ପାରିବାରିକ ସମ୍ପର୍କଦ୍ୱାରା ନିଷ୍ପତ୍ତିକୁ ପ୍ରଭାବିତ କରୁଥିବା ଲୋକେ । ଦୁର୍ନୀତି ଏକ ଦୋହରି ରାସ୍ତା । ଜଣେ ଲାଞ୍ଚ ନିଅନ୍ତି ଓ ଜଣେ ଲାଞ୍ଚ ଦିଅନ୍ତି । ଉଭୟଙ୍କଦ୍ୱାରା ଦୁର୍ନୀତିର ଚେର ମଜଭୁତ ହୁଏ । ଏହାର ପ୍ରତିକାରପାଇଁ ବିଭିନ୍ନ ସ୍ତରରେ ବିଚାର ଆଲୋଚନା ଚାଲିଛି । ପାଠ୍ୟକ୍ରମରେ ନୀତି ଓ ମୂଲ୍ୟବୋଧ ଶିକ୍ଷାକୁ ଯୋଡ଼ା ଗଲାଣି । କିଛି ବର୍ଷ ତଳେ ଉତ୍ତର ପ୍ରଦେଶର ଆଇଏଏସ୍ ଅଫିସରମାନେ ନିଜ ବିରାଦରିରେ ସବୁଠୁ ଦୁର୍ନୀତିଗ୍ରସ୍ତ ଅଫିସର୍ କିଏ - ତାଙ୍କୁ ସିକ୍ରେଟ୍ ବାଲଟ୍‌ଦ୍ୱାରା ବାଛୁଥିଲେ । ଏହି ଦୃଷ୍ଟାନ୍ତ ସବୁ ସରକାରୀ ଓ ବେସରକାରୀ ସଂସ୍ଥା ଅନୁସରଣ କରି ନିଜ ବିଭାଗ ବା ସଂସ୍ଥାର ଦୁର୍ନୀତି ପରାୟଣ କର୍ମଚାରୀଙ୍କୁ ଚିହ୍ନଟ କରିପାରିବେ ।

ପ୍ରତ୍ୟେକ ବିଭାଗର ଲୋକେ ଜାଣନ୍ତି ସେ ବିଭାଗରେ କିଏ କିଏ ପଇସା ଖାଉଛନ୍ତି, ଲାଞ୍ଚ ନେଉଛନ୍ତି । ସୂଚନା ଅଧିକାର ପ୍ରୟୋଗଦ୍ୱାରା ମଧ୍ୟ ଅନେକ କ୍ଷେତ୍ରରେ ଦୁର୍ନୀତିର ପର୍ଦାଫାସ ହେଲାଣି । ଆମ ରାଜ୍ୟର ଗଣମାଧ୍ୟମ ମଧ୍ୟ ସାହସ ଓ ସକ୍ରିୟତା ଦେଖେଇଲେଣି । ଚୋରଙ୍କୁ ଧରିବାପାଇଁ ପ୍ରଧାନମନ୍ତ୍ରୀ ସାରା ଦେଶରେ ୭୩ ଟି ଫାଷ୍ଟଟ୍ରାକ୍ ସିବିଆଇ କୋର୍ଟ ସ୍ଥାପନପାଇଁ ଘୋଷଣା କରିଛନ୍ତି । ପ୍ରାଶାସନିକ ସଂସ୍କାର କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେଲେ ଦୁର୍ନୀତି ପ୍ରବଣତା ଆହୁରି ଦୁର୍ବଳ ହେବ । ସଚ୍ଚୋଟ ସ୍ୱେଚ୍ଛାସେବୀ ସଂସ୍ଥାମାନେ ସାଧାରଣ ନାଗରିକମାନଙ୍କୁ ଏ ବିଷୟରେ ଅଧିକ ସଚେତନ କଲେ ଏହାର ପ୍ରଭାବ ସରକାରଙ୍କ ଉପରେ ପଡ଼ିବ । ଜଗତ୍‌କରଣ ଓ ମୁକ୍ତ ଅର୍ଥନୀତି ଏକ ଦୁଇ

ବିକଳ୍ପ ବିଶ୍ୱ ୩୨୩