ପୃଷ୍ଠା:Bikalpa Biswa.pdf/୩୨୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଧାରୁଆ ଖଣ୍ଡା । ଏହାକୁ ନ ଜଗିଲେ ଦୁର୍ନୀତି ଆହୁରି ବଢ଼ିଯିବ । ପଡ଼ୋଶୀ ଚାଇନା ଏବେ ଏହି ପରିସ୍ଥିତି ଦେଇ ଗତି କରୁଛି । ଜର୍ଜ ବର୍ଣ୍ଣାଡ୍ ଶ’ ଥରେ କହିଥିଲେ, କ୍ଷମତା ବ୍ୟକ୍ତିକୁ ଦୁର୍ନୀତିଗ୍ରସ୍ତ କରେ ନାହିଁ, ବରଂ ଯେତେବେଳେ ଅଯୋଗ୍ୟ ଓ ନିର୍ବୋଧ ଲୋକଙ୍କୁ କ୍ଷମତା ମିଳେ, ସେମାନେ କ୍ଷମତାକୁ ଦୁର୍ନୀତିଗ୍ରସ୍ତ କରି ଦିଅନ୍ତି । ଦୁର୍ନୀତି ଏକ ବିକାଶ ବିନାଶକାରୀ ଶକ୍ତି । ଏହାଦ୍ୱାରା ସୁସ୍ଥ ପ୍ରତିଯୋଗିତା ନଷ୍ଟ ଭ୍ରଷ୍ଟ ହୋଇଯାଏ । ଅର୍ଥନୈତିକ ଉନ୍ନତି ବାଧାପ୍ରାପ୍ତ ହୁଏ, ଦ୍ରବ୍ୟ ଓ ସେବାର ଗୁଣବତ୍ତା କମିଯାଏ । ବ୍ୟକ୍ତି ଓ ସମାଜର ନୈତିକ ବଳ ଭାଙ୍ଗିଯାଏ, ପ୍ରକଳ୍ପମାନଙ୍କର ଖର୍ଚ୍ଚ ବହୁଗୁଣ ବଢ଼ିଯାଏ,ପରସ୍ପର ପ୍ରତି ବିଶ୍ୱାସ ତୁଟିଯାଏ, ବ୍ୟବସାୟ ବୁଡ଼ିଯାଏ ଓ ବିଦେଶରେ ନିଜ ଦେଶର ମାନ ସମ୍ମାନ ହାନି ହୁଏ, ସାଧୁ ଲୋକମାନେ ହତୋତ୍ସାହ ହୋଇପଡ଼ନ୍ତି । ତେଣୁ ସାଧୁ ସଚ୍ଚୋଟ ଲୋକଙ୍କୁ ସୁରକ୍ଷା, ସ୍ୱୀକୃତି ଓ ସମ୍ମାନ ମିଳିଲେ ଅନ୍ୟମାନେ ସେପରି ହେବାକୁ ଉତ୍ସାହିତ ହେବେ । ପରିତ୍ରାଣାୟ ସାଧୂନାଂ, ବିନାଶାୟ ଚ ଦୁଷ୍କୃତାମ୍ । ଅସାଧୁ, ଦୁଷ୍କୃତ, ଦୁର୍ନୀତିଖୋରଙ୍କୁ ଉପଯୁକ୍ତ ଦଣ୍ଡ ମିଳିଲେ ଓ ନୈତିକ ଶାସନ ବ୍ୟବସ୍ଥାର ପୁନରୁତ୍ଥାନ ହେଲେ ଦୁର୍ନୀତି ମନକୁ ମନ କମିଯିବ । ସାଧାରଣ ଲୋକେ ଶୋଷଣର ଶିକାର ହେବେ ନାହିଁ । ଦେଶର ମର୍ଯ୍ୟାଦା ବଢ଼ିବ, ଛବି ଉଜ୍ଜ୍ୱଳ ହେବ । ଏଥିପାଇଁ ଦେଶର ପ୍ରତ୍ୟେକ ନାଗରିକଙ୍କର ସ୍ୱତନ୍ତ୍ର ଦାୟିତ୍ୱ ରହିଛି ।

୧୭ ସେପ୍ଟେମ୍ବର, ୨୦୦୯

୩୨୪ ବିକଳ୍ପ ବିଶ୍ୱ