ପୃଷ୍ଠା:Bikalpa Biswa.pdf/୩୨୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ନିର୍ବାଚନ, ଯୋଜନା ଓ ଚେତନା : କିଏ ଆଗ, କିଏ ପଛ ?

ସ୍ୱାଧୀନତାର ବହୁପୂର୍ବରୁ ଭାରତ ବିକାଶପାଇଁ ପୁଞ୍ଜିବାଦ ଓ ସାମ୍ୟବାଦ ମଡେଲ୍‌ରି କେଉଁଟି ଅନୁସରଣ କରିବ ସେ ବିଷୟରେ ପ୍ରାୟ କୋଡିଏ ବର୍ଷ ଧରି ଚର୍ଚ୍ଚା ପରେ ଦେଶ ବାଛିଥିଲା ମିଶ୍ର ଅର୍ଥନୀତି ଓ ଯୋଜନାବଦ୍ଧ ବିକାଶର ବାଟଟିକୁ । ଜବାହରଲାଲ୍ ନେହେରୁ ଲୋକଙ୍କୁ ଏ ବିଷୟରେ ସଚେତନ କରିବାଲାଗି ଯୁଆଡ଼େ ଯାଉଥିଲେ ପଞ୍ଚବାର୍ଷିକ ଯୋଜନା ବା ପ୍ଲାନିଙ୍ଗ୍ ବିଷୟରେ ପ୍ରଥମେ ଲୋକଙ୍କୁ ବୁଝାଉ ଥିଲେ । ସେତେବେଳେ ଯୋଜନାବଦ୍ଧ ବିକାଶର ଯେଉଁ ମଞ୍ଜି ପୋତାଯାଇଥିଲା, ଏବେ ସେ ଗଛ ହୋଇ ଫଳ ଧରିଲାଣି ।

ଉଦାହରଣ ସ୍ୱରୂପ, ପୃଥିବୀରେ ଯେଉଁ ଛ’ଟି ଦେଶ ମହାକାଶକୁ ଉପଗ୍ରହ ପଠାନ୍ତି ତା’ମଧ୍ୟରେ ଅଛି ଆମ ଦେଶ । ଚନ୍ଦ୍ରରେ ବି ଆମ ମହାକାଶ ଯାନ ପହଞ୍ଚି ସାରିଲାଣି । ସେହିପରି ପୃଥିବୀର ତିନିଟି ଦେଶ ହାତରେ ସୁପର୍ କମ୍ପ୍ୟୁଟର ଅଛି, ଭାରତ ସେଥିରୁ ଗୋଟିଏ ଦେଶ, ଅନ୍ୟ ଦୁଇଟି ଦେଶ ହେଲେ ଆମେରିକା ଓ ଜାପାନ୍ । ୧୯୮୭ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ସୁପର୍ କମ୍ପ୍ୟୁଟର ବିକ୍ରି କରିବାକୁ ମନା କରିଦେଲା ପରେ ଆମ ବୈଜ୍ଞାନିକମାନେ ତିଆରି କରି ଦେଖେଇ ଦେଲେ ‘ପରମ ପଦ୍ମ’ ସୁପର କମ୍ପ୍ୟୁଟର । ୧୯୬୮ ମସିହା ପର୍ଯ୍ୟନ୍ତ ଆମେ ପ୍ରତି ବର୍ଷ କୋଟିଏ ଟନ୍ ଖାଦ୍ୟ ଆମଦାନି କରୁଥିଲେ, ଏବେ ଆମ ଅମାରରେ ବଳକା ଖାଦ୍ୟ ପରିମାଣ ୭ କୋଟି ଟନ୍ । ଏବେ ଯେଉଁ କୋଡ଼ିଏଟି ଦେଶ ହାତରେ ପୃଥବୀର ୮୫ଭାଗ ସମ୍ପତ୍ତି, ସେମାନଙ୍କ ମଧ୍ୟରେ ଅଛି ଭାରତ । ପୃଥିବୀର ଦୁଇ ତୃତୀୟାଂଶ ଜନସଂଖ୍ୟା, ଅଶୀଭାଗ ବ୍ୟବସାୟ ବାଣିଜ୍ୟ ନିୟନ୍ତ୍ରଣ କରନ୍ତି ଏଇ କୋଡ଼ିଏଟି ଦେଶ ବା ଜି-ଟ୍ୱେଣ୍ଟି - ବିଶ୍ୱର ସବୁଠାରୁ

ବିକଳ୍ପ ବିଶ୍ୱ ୩୨୫