ପୃଷ୍ଠା:Bikalpa Biswa.pdf/୩୨୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଶକ୍ତିଶାଳୀ ଅର୍ଥନୀତି ନିୟନ୍ତ୍ରଣ ସଂସ୍ଥା ।

ଏହି ପରିପ୍ରେକ୍ଷୀରେ ୧୯୩୭ ମସିହାର ଏକ ଛୋଟ ଘଟଣା ଥିଲା ବେଶ୍ ଗୁରୁତ୍ୱପୂର୍ଣ ଓ ଚେତନା ଉଦ୍ଦୀପକ ଓ ତେଣୁ ଏଠାରେ ଉଲ୍ଲେଖଯୋଗ୍ୟ । ସେତେବେଳେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ହୋଇ ସାରିଥାଏ ଓ ଦେଶର ବିଭିନ୍ନ ପ୍ରଦେଶରେ ନୂଆକରି ସ୍ୱାୟତ୍ତ ଶାସନପାଇଁ ପ୍ରତିନିଧିମୂଳକ ସରକାରଗୁଡ଼ିକ ଗଢ଼ାହୋଇଥାଏ । ପ୍ରକୃତ ସ୍ୱାଧୀନତାର ଦଶ ବର୍ଷ ପୂର୍ବରୁ ଇଂରେଜ ସରକାର କଳାମୁଣ୍ଡିଆ ଦେଶୀ ଭାରତୀୟଙ୍କ ଶାସନ କ୍ଷମତା ପରଖୁଥାନ୍ତି । ମହାତ୍ମା ଗାନ୍ଧୀଙ୍କ ପରାମର୍ଶ କ୍ରମେ କଂଗ୍ରେସ କାର୍ଯ୍ୟକାରୀ କମିଟି ଦେଶର ଯୋଜନାବଦ୍ଧ ବିକାଶପାଇଁ ଏକ ଖସଡ଼ା ପ୍ରସ୍ତୁତ କରିବା ଉଦ୍ଦେଶ୍ୟରେ ଅର୍ଥନୈତିକ ଶ୍ରୀ କେ.ଟି ଶାହାଙ୍କୁ ପ୍ଲାନିଙ୍ଗ୍ କମିଟିର ଚେୟାରମ୍ୟାନ୍ ନିଯୁକ୍ତ କରିଥାନ୍ତି । ପଣ୍ଡିତ ନେହେରୁ ଥାଆନ୍ତି ପ୍ଲାନିଙ୍ଗ୍‌ର ପ୍ରଧାନ ପ୍ରବକ୍ତା । ଏ ବିଷୟରେ ଲୋକଙ୍କୁ ସଚେତନ କରାଉଥାଆନ୍ତି ।

ସେ ବର୍ଷ ନିର୍ବାଚନ ପ୍ରଚାରପାଇଁ ନେହେରୁ ମାଡ୍ରାସ ଆସିଥାନ୍ତି । ସେତେବେଳେ ମାନ୍ଦ୍ରାଜ ଥିଲା ଏକ ଦୋଭାଷୀ ପ୍ରଦେଶ । ଏବକାର ତାମିଲନାଡ଼ିର ତାମିଲ ଭାଷାଭାଷୀ ଲୋକ ଓ ଆନ୍ଧ୍ର ପ୍ରଦେଶର ତେଲୁଗୁ ଭାଷୀ; ଉଭୟଙ୍କ ରାଜ୍ୟ ଥିଲା ମାନ୍ଦ୍ରାଜ । ଓଡ଼ିଶାର କୋରାପୁଟ ଓ ଗଞ୍ଜାମ ଜିଲା ମଧ୍ୟ ସେତେବେଳେ ମାନ୍ଦ୍ରାଜ ପ୍ରଦେଶର ଅଂଶ ଥିଲେ । ଏଇ ସଭାରେ ଜବାହରଲାଲ ହିନ୍ଦୀରେ ଭାଷଣ ଦେଉଥାନ୍ତି । ସେତେବେଳର ପ୍ରଦେଶ କଂଗ୍ରେସ ସଭାପତି ଡ. ସତ୍ୟମୂର୍ତ୍ତି ଓ ଶ୍ରମିକ ନେତା ଓ ପରେ ରାଷ୍ଟ୍ରପତି ଶ୍ରୀ ଭି.ଭି. ଗିରି ନେହେରୁଙ୍କ ହିନ୍ଦୀ ଭାଷଣକୁ ଯଥାକ୍ରମେ ତାମିଲ ଓ ତେଲୁଗୁରେ ଅନୁବାଦ କରି ଲୋକଙ୍କୁ ବୁଝାଉଥାନ୍ତି । ଭାଷଣରେ ନେହେରୁ ଦୁଇ ଘଣ୍ଟା କାଳ ଯୋଜନାବଦ୍ଧ ବିକାଶରେ ଜନସାଧାରଣଙ୍କ ଭୂମିକା ସମ୍ପର୍କରେ ବିଶେଷ ଜୋର୍ ଦେଉଥାନ୍ତି । ଏବଂ ଭାରତ ସ୍ୱାଧୀନ ହେଲେ ସାଧାରଣ ଲୋକେ ଏହି ଯୋଜନା ପ୍ରସ୍ତୁତିରେ ସକ୍ରିୟ ସହଯୋଗ କରିବେ ବୋଲି କହୁଥାନ୍ତି । ତାଙ୍କ ପ୍ରତିଶ୍ରୁତି ଥିଲା, ଏଥର ଯୋଜନା ହେବ ଲୋକଙ୍କ‌ଦ୍ୱାରା ଓ ଲୋକଙ୍କପାଇଁ । ଅନୁବାଦ କରି କହୁଥିଲା ବେଳେ ଦୀର୍ଘକାୟ ଭି.ଭି. ଗିରିଙ୍କ ବଜ୍ର ମୁଷ୍ଟି ଆଘାତରେ ମାଇକ୍‌ଟି ଖରାପ ହୋଇଯିବାରୁ ସଭା କିଛି ସମୟ ଚାଲି ସରିଗଲା । ନେହେରୁଙ୍କ ଭାଷଣ ଓ ଦେଶର ଉଜ୍ଜ୍ୱଳ ଭବିଷ୍ୟତ କଥା ଶୁଣି ମନଖୁସିରେ ଭୋଟରମାନେ ଘରକୁ ଫେରିଗଲେ ।

କିନ୍ତୁ ସତ୍ୟମୂର୍ତ୍ତିଙ୍କ ମୁଖମଣ୍ଡଳରେ ପ୍ରସନ୍ନତା ନ ଥାଏ । ରହିବା ସ୍ଥାନକୁ ଫେରି ଆସିବା ପରେ ସତ୍ୟମୂର୍ତ୍ତି ଖୁବ୍ ବ୍ୟସ୍ତ, ବିବ୍ରତ ଭାବ ଓ ଭାଷାରେ ନେହେରୁଙ୍କୁ କହିଲେ

୩୨୬ ବିକଳ୍ପ ବିଶ୍ୱ