ପୃଷ୍ଠା:Bikalpa Biswa.pdf/୩୨୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

- ‘ପଣ୍ଡିତ୍‌ଜୀ, ଆପଣ ତ ନିର୍ବାଚନ ସଭାରେ, ନିର୍ବାଚନ ଓ ଭୋଟ ଉପରେ ପଦୁଟିଏ କହିଲେ ନାହିଁ, ଲୋକେ ଭୋଟ୍ କାହାକୁ ଦେବେ ସେକଥା ବି ଉଚ୍ଚାରଣ କଲେ ନାହିଁ, କଂଗ୍ରେସ ପାର୍ଟି କଥା କହିଲେ ନାହିଁ, ଦି’ଘଣ୍ଟା କାଳ ଖାଲି ବିକାଶପାଇଁ ପ୍ଲାନିଙ୍ଗ୍‌ର ଆବଶ୍ୟକତା କହି ଆଉ ସବୁ ଭୁଲିଗଲେ । ଆମ ଦଳକୁ କିଏ ଭୋଟ ଦେବ?’ ଅଳ୍ପ ହସି ଜବାହାରଲାଲ୍ କହିଲେ, ‘ଆରେ ସତେ ତ, ମୁଁ ଯୋଜନା ଆଉ ବିକାଶ କଥା କହୁ କହୁ ଭୋଟ କଥା ପୂରାପୂରି ଭୁଲିଗଲି । ଆଚ୍ଛା ହେଉ, କାଲି ସକାଳ ସଭାରେ ଖାଲି ନିର୍ବାଚନ କଥା କହିବା ଓ ଭୋଟ ମାଗିବା ।’ ସତ୍ୟମୂର୍ତ୍ତି ସେଇ ଆଶାରେ ନିଜ ଘରକୁ ଫେରିଗଲେ । ନେହେରୁ ରାତିଟି କଟାଇଲେ ଗେଷ୍ଟ ହାଉସରେ ।

ତା’ପରିନ ସକାଳ ଦଶଟା ବେଳେ ଆଉ ଏକ ନିର୍ବାଚନ ସଭା ଥାଏ । ମାନ୍ଦ୍ରାଜ ଠାରୁ ଦୂର ଏକ ଗାଁରେ । ଖୁବ୍ ସକାଳୁ ବାହାରିବାକୁ ପଡ଼ିବ । ରାତି ଚାରିଟାରୁ ଉଠିବାକୁ ହେବ । ଦୁର୍ଭାଗ୍ୟ କ୍ରମେ ସେଦିନ ରାତିରେ ମାଡ୍ରାସ ସହରର ବିଦ୍ୟୁତ ସରବରାହ ଓ ପାଣି ଯୋଗାଣ ବ୍ୟବସ୍ଥା ବନ୍ଦ ହୋଇଗଲା । ନିଜ ଘରକୁ ବିଜୁଳି ପାଣି ନ ଆସିବାରୁ ସତ୍ୟମୂର୍ତ୍ତି ନିତ୍ୟକର୍ମ ସାରି ପାରୁନଥାନ୍ତି । ଏଣେ ସକାଳୁ ନେହେରୁଙ୍କୁ ନେଇ ନିର୍ବାଚନ ସଭାକୁ ଯିବାକୁ ପଡ଼ିବ । ଚାରି ଘଣ୍ଟାର ରାସ୍ତା । ନେହେରୁ ସମୟାନୁବର୍ତ୍ତୀ ଲୋକ, ଠିକ୍ ସମୟରେ ନ ପହଞ୍ଚିଲେ ରାଗି ଯାଆନ୍ତି । ତେଣୁ କାଳେ ନେହେରୁ ବିଗିଡ଼ି ଯିବେ ଭାବି ଅଘଷା, ଅଗାଧୁଆ ନେହେରୁ ରହୁଥିବା ଗେଷ୍ଟ ହାଉସ୍‌କୁ ଗାଡ଼ି ଧରି ଉଡ଼ିଲେ । କାରଣ ପାଣି, ଲାଇଟ୍ ବିନା ନେହେରୁ ବି ତାଙ୍କ ଭଳି ହଇରାଣ ହେଉଥିବେ । ତେଣେ ଡେରିରେ ପହଞ୍ଚିଲେ ବୋଲି ବିରକ୍ତ ହେବେ ।

କିନ୍ତୁ ଗେଷ୍ଟ ହାଉସ୍ ଗେଟ ପାଖରେ ପହଞ୍ଚି ଦେଖିଲେ ପଣ୍ଡିତଜୀ ସବୁ ନିତ୍ୟକର୍ମ ସାରି ପୋଷାକ ପତ୍ର ପିନ୍ଧି ତାଙ୍କ ଅପେକ୍ଷାରେ ବାରଣ୍ଡା ଚୌକିରେ ବସିଛନ୍ତି । ସତ୍ୟମୂର୍ତ୍ତି ଏହା ଦେଖି ଅବାକ୍ ହୋଇଗଲେ । ପାଖକୁ ଯାଇ ପଚାରିଲେ, ‘ପଣ୍ଡିତଜୀ, ସାରା ସହରରେ ଆଲୁଅ, ପାଣି ବନ୍ଦ, ଆପଣ କେମିତି ଏତେ ଶୀଘ୍ର ନିତ୍ୟକର୍ମ ସାରି ପ୍ରସ୍ତୁତ ହୋଇଗଲେ ? ମୋର ତ ସେଇ କାରଣରୁ ବିଳମ୍ବ ହୋଇଗଲା । ତେଣୁ ଅଘଷା, ଅଗାଧୁଆ ଆସିଛି ।’ ପୂର୍ବ ଭଳି ମୁରୁକି ହସି ଜବାହରଲାଲ୍ କହିଲେ- ‘ମୂର୍ତ୍ତିଜୀ, ଦିସ୍ ଇଜ୍ ପ୍ଲାନିଙ୍ଗ ଆଣ୍ଡ ପ୍ଲାନିଙ୍ଗ ଓନ୍‌ଲି, ଅବ୍ ଚଲୋ ଚୁନାବ୍ ସଭା କେ ଲିଏ ଜଲ୍‌ଦି, ରାସ୍ତେମେ ବତାଏଙ୍ଗେ ।’ ସହରମାନଙ୍କରେ ବିଜୁଳି, ପାଣି ସରବରାହର ଅସ୍ଥିରତା ଓ ଅନିୟମିତତା ସମ୍ପର୍କରେ ନେହେରୁ ଆଗରୁ ସଚେତନ ଥିଲେ । ତେଣୁ ଶୋଇବା ଆଗରୁ ସେ ପରଦିନ ସକାଳପାଇଁ ଆବଶ୍ୟକ ପାଣି ସଂଗ୍ରହ କରି ରଖି ଦେଇଥିଲେ । ପୁଣି

ବିକଳ୍ପ ବିଶ୍ୱ ୩୨୭