ପୃଷ୍ଠା:Bikalpa Biswa.pdf/୩୨୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରାତିରୁ ଉଠି ଯିବାପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ, କାଳେ ଲାଇଟ ନ ଆସିବ ଭାବି ନିତ୍ୟକର୍ମପାଇଁ ଆବଶ୍ୟକ ସବୁ ଜିନିଷ କାଢ଼ି ଯଥା ସ୍ଥାନରେ ରଖି ଦେଇଥିଲେ ଯେପରିକି ଅନ୍ଧାରରେ ମଧ୍ୟ ନିତ୍ୟକର୍ମ ସାରିଦେଇ ପାରିବେ । ଏଥର ସତ୍ୟମୂର୍ତ୍ତି ବୁଝିଗଲେ ଭୋଟ ରାଜନୀତି ଅପେକ୍ଷା ଯୋଜନା କାହିଁକି ଗୁରୁତ୍ୱପୂର୍ଣ୍ଣ ।

ତେଣୁ ଦେଶ ବିକାଶପାଇଁ ଯେପରି ଯୋଜନା ଆବଶ୍ୟକ, ବ୍ୟକ୍ତିଗତ ଜୀବନରେ ମଧ୍ୟ ସେହିପରି ଯୋଜନା ଓ ଦୂରଦୃଷ୍ଟିର ଆବଶ୍ୟକତା ରହିଛି । ଅନେକ ସମୟରେ ଆମେ ଭଲ ଭାବରେ ନ ଭାବି, ନ ଚିନ୍ତି ଓ ବିଶ୍ଳେଷଣ ନ କରି ଲୋକଙ୍କୁ ତାଙ୍କର ପ୍ରକୃତ ଆବଶ୍ୟକତା ବିଷୟରେ ନ ପଚାରି ଯୋଜନାମାନ ତିଆରି କରୁ । ତେଣୁ ଯେଉଁମାନଙ୍କପାଇଁ ଯୋଜନା ଉଦ୍ଧିଷ୍ଟ, ସେମାନେ ଉପକୃତ ନ ହୋଇ ଅନ୍ୟମାନେ ଯୋଜନା ଗଛର ଫଳ ତୋଳି ନିଅନ୍ତି । ଦେଶରେ ଗ୍ରାମ ଗୋଷ୍ଠୀ ଉନ୍ନୟନ ଯୋଜନାର ପ୍ରଥମ ଦିଗର୍ଶକ ସ୍ୱର୍ଗତ ଏସ୍. କେ. ଦେ ଏ ସମ୍ପର୍କରେ ବିସ୍ତୃତ ଆଲୋଚନା କରି ଲେଖିଥିଲେ, ଯେପର୍ଯ୍ୟନ୍ତ ଲୋକେ ଯୋଜନା ତିଆରି କରିବା ପରିବର୍ତ୍ତେ ଲୋକଙ୍କ ଉପରେ ଯୋଜନା ଲଦି ଦିଆଯାଉଥିବ ଓ ସେମାନଙ୍କର ପ୍ରକୃତ ଆବଶ୍ୟକତାକୁ ଶାସକ ଓ ତଥାକଥିତ ବିଶେଷଜ୍ଞମାନେ ନିର୍ଦ୍ଧାରଣ କରୁଥିବେ, ସେ ପର୍ଯ୍ୟନ୍ତ କୌଣସି ଯୋଜନା ସମ୍ପୂର୍ଣ୍ଣ ସଫଳ ହୋଇପାରିବ ନାହିଁ । ଆମେ ଚନ୍ଦ୍ରଯାନ ଓ ସୁପର କମ୍ପ୍ୟୁଟର ତିଆରିରେ ସଫଳ ହେଲେ ବି ଗରିବୀ ହଟାଇବାରେ ବିଫଳ ହେଉଛୁ ମୁଖ୍ୟତଃ ଏହି କାରଣରୁ ।

କାରଣ ଲୋକଙ୍କର କେଉଁ ସୁବିଧାଟି ଆଗେ ଦରକାର ତାହା ଯୋଜନା ପ୍ରଣୟନକାରୀଙ୍କ ଅପେକ୍ଷା ଲୋକେ ବେଶି ଜାଣନ୍ତି । ଆମେ ଗାଁ ଗାଁରେ ପାନୀୟ ଜଳ ଯୋଗାଣପାଇଁ କୂଅ ଖୋଳୁଛୁ, ସବ୍‌ସିଡି ଦେଉଛୁ, କିନ୍ତୁ ଲୋକେ ସେ କୂଅ ପାଣି ନ ପିଇ ବହୁ ଦୂରରେ ଥିବା ନ‌ଦୀ, ପୋଖରୀ, ବନ୍ଧରୁ ମୁଣ୍ଡରେ ପାଣି ବୋହି ଆଣି ବ୍ୟବହାର କରୁଛନ୍ତି । ପାଇଖାନା ପକାଉଛୁ, ଲୋକେ ତାକୁ ଧୋବା ତୁଠ ପଥର ଭଳି ବ୍ୟବହାର କରୁଛନ୍ତି । ଦେଶର ବିଜ୍ଞ ଲୋକମାନେ ଏ ବିଷୟରେ ଅଧିକ ଚିନ୍ତା ଓ ବିଚାର କରିବା ଆବଶ୍ୟକ । ପୋକ ଯେପରି ଗଛ ଭିତର କାଟି ପୋଲା କରିିଦିଏ ଓ ଫଳ ସ୍ୱରୂପ ଶେଷରେ ଗଛଟି ଭାଙ୍ଗି ପଡ଼େ, ସେହିପରି ଆମର ସମାଜକୁ ବହୁ ପୋକ କାଟି ପୋଲା କରିବାରେ ବ୍ୟସ୍ତ । ଏଭଳି ଅବସ୍ଥାରୁ ରକ୍ଷା ପାଇବାକୁ ହେଲେ ପ୍ରଚଳିତ ମୂଲ୍ୟବୋଧର ଆଶୁ ପରିବର୍ତ୍ତନପାଇଁ ସୁଚିନ୍ତିତ ପଦକ୍ଷେପ ନେବାକୁ ହେବ । ଊନବିଂଶ ଶତାବ୍ଦୀରେ ତିଆରି ହୋଇଥିବା ସଂସ୍ଥା, ଶାସନ ଓ ଆଇନ୍ କାନୁନ୍‌ଦ୍ୱାରା ଏକବିଂଶ ଶତାବ୍ଦୀର ଯୋଜନା କାର୍ଯ୍ୟକାରୀ ହୋଇ ପାରିବ ନାହିଁ । ଗାନ୍ଧୀଜୀ ଯେତେବେଳେ ସ୍ୱାଧୀନତା

୩୨୮ ବିକଳ୍ପ ବିଶ୍ୱ