ପୃଷ୍ଠା:Bikalpa Biswa.pdf/୩୩୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି
‘ଆଳୁ’ଙ୍କୁ ଆନ୍ତର୍ଜାତିକ ସ୍ୱୀକୃତି ଓ ସମ୍ମାନ

ପରିିବାଙ୍କ ରାଜା ଓ ରଙ୍କଙ୍କର ରଜା ପରିବା ‘ଆଳୁ’କୁ ଅନ୍ତର୍ଜାତୀୟ ସ୍ୱୀକୃତି ଓ ସମ୍ମାନ ମିଳିବାର ଏକ ବର୍ଷ ପୂରିଗଲାଣି । ବିଶ୍ୱ ଖାଦ୍ୟ ସଂସ୍ଥାଙ୍କ ପ୍ରସ୍ତାବକୁ ଗ୍ରହଣ କରି ମିଳିତ ଜାତିସଙ୍ଘ ଯେତେବେଳେ ୨୦୦୮ ମସିହାକୁ ‘ଆନ୍ତର୍ଜାତିକ ଆଳୁ ବର୍ଷ’ ଭାବେ ପାଳନ କରିବାକୁ ଘୋଷଣା କଲେ, ପ୍ରାୟ ମାସେ କାଳ ଇଣ୍ଟରନେଟ୍ରେ ଥଟ୍ଟା, ପରିହାସ ‘ଜୋକ୍’ର ସୁଅ ଛୁଟିଲା । ଜଣେ ଲେଖିଲେ ଶ୍ରୀମାନ୍ ଓ ଶ୍ରୀମତୀ ଆଳୁଙ୍କ ପ୍ରେମଜ କନ୍ୟା ‘ମିଷ୍ଟାଳୁ କୁମାରୀ’ଙ୍କୁ ଗାର୍ଲଫ୍ରେଣ୍ଡ କରିବାପାଇଁ ଲିମ୍ବ କୁମାର, କଲରା ନନ୍ଦନ ଓ ପୋଟଳ ପୁତ୍ରଙ୍କ ମଧ୍ୟରେ ପ୍ରବଳ ପ୍ରତିଯୋଗିତା ।

ଓଡ଼ିଶାରେ ପରୀକ୍ଷାରେ ଜିରୋ ବା ଶୂନ ପାଇଲେ କହନ୍ତି ଆଳୁ ପାଇଛି । ବାୟାମି ଥିଲେ କହନ୍ତି ଆଳୁଦୋଷ ଅଛି । ଏମିତି ଆଗରୁ ଆଳୁକୁ ‘କାଉଚ୍ ପଟାଟୋ’, ‘ମାଉସ୍ ପଟାଟୋ’, ‘ହଟ୍ ପଟାଟୋ’ ନାଁ ଦେଇ ଥଟ୍ଟା ପରିହାସ କରାଯାଉଥିଲା । ଏବେ ମିଲେନିୟମ୍ ଡେଭଲପ୍‌ମେଣ୍ଟ ଗୋଲ୍ ବା ଲକ୍ଷ୍ୟ ପୂରଣ ଆଳୁ ବିନା ଅସମ୍ଭବ ବୋଲି ବିଶେଷଜ୍ଞମାନେ କହିଛନ୍ତି । ଲୋକେ କ୍ଷୁଧା ଓ କୁପୋଷଣରୁ ମୁକ୍ତିପାଇଁ ଆଳୁର ଗୁରୁତ୍ୱକୁ ସ୍ୱୀକାର କରିବା ଆରମ୍ଭ କଲେଣି । ଗତ ବର୍ଷକ ଭିତରେ ପୃଥିବୀର ଦେଢ଼ଶହ ଦେଶରେ ଦୁଇଶହ ଆଳୁ କନ୍‌ଫରେନ୍ସ, ସେମିନାର, ସଭା ହୋଇସାରିଲାଣି । ଏପରି ଆଳୁ ଚର୍ଚ୍ଚା କେବେ ହୋଇନଥିଲା ।

ଧାନ, ଗହମ ଓ ମକା-ବାଜରା ପରେ ଆଳୁ ପୃଥିବୀର ଚତୁର୍ଥ ବୃହତ୍ତମ ଫସଲ । ପ୍ରତିବର୍ଷ ପୃଥିବୀରେ ୩୨ କୋଟି ଟନ୍ ଆଳୁ ଉତ୍ପାଦିତ ହୁଏ । ମାଟିତଳୁ ଏତେ ପରିମାଣର ପରିବା ଆଉ କୌଣସି ଫସଲରୁ ମିଳୁନଥିବାରୁ ଆଳୁର ଅନ୍ୟ ନାମ ହେଲା

୩୩୦ ବିକଳ୍ପ ବିଶ୍ୱ