ପୃଷ୍ଠା:Bikalpa Biswa.pdf/୩୩୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି

‘ହିଡେନ୍ ଟ୍ରେଜର’ । ଗୋଟିଏ ଆଳୁରେ ଯେତିକି କ୍ୟାଲୋରୀ ଖାଦ୍ୟସାର, ପ୍ରୋଟିନ୍ ଓ ଭିଟାମିନ୍ ‘ସି’ ଥାଏ, ଅନ୍ୟ ପରିବାରେ ତାହା ନଥାଏ । ପ୍ରାକୃତିକ ଚିକିତ୍ସାରେ ଆଳୁକୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦିଆଯାଇଛି । ଏବେ ବାୟୋଟେକ୍‌ନୋଲୋଜି ବିଶାରଦମାନେ ଆଳୁକୁ ଔଷଧଯୁକ୍ତ ପରିବା ଭାବରେ ବ୍ୟବହାରପାଇଁ ଗବେଷଣା ଚଳାଇଛନ୍ତି । ଏହା ଫଳରେ ଆଳୁ ଉଭୟ ପରିବା ଭାବରେ କ୍ଷୁଧା ନିବାରଣ ଓ ଔଷଧ ଭାବରେ ରୋଗ ନିବାରଣପାଇଁ ବ୍ୟବହୃତ ହେବ । ୯୦ ରୁ ୧୪୦ ଦିନ ଭିତରେ ଅମଳ ହେଉଥିବାରୁ ଦୁର୍ଭିକ୍ଷ, ଦୁର୍ବିପାକ ସମୟରେ ଆଳୁ ଆଗ କାମରେ ଆସେ । ଆଳୁ ସହଜରେ ଖରାପ ହୁଏ ନାହିଁ, ବହୁତ ଦୂରକୁ କମ୍ ଖର୍ଚ୍ଚରେ ପଠାଇ ହୁଏ ।

କ୍ଷୁଧାମୁକ୍ତି ଆନ୍ଦୋଳନରେ ଆଳୁର ମୁଖ୍ୟ ଭୂମିକା ରହିଛି । କାରଣ ୧ ଏକର ଜମିରେ ଯେତିକି ଖାଦ୍ୟଶସ୍ୟ ଉତ୍ପାଦନ ହୁଏ, ତାଠାରୁ ଚାରିଗୁଣ ଆଳୁ ଉତ୍ପାଦନ ହୋଇଥାଏ । ଉଦାହରଣ ସ୍ୱରୂପ : ଯେଉଁ ଅଢେଇ ଏକର ଜମିରୁ ପ୍ରତ୍ୟହ ସାଢେ ବାର କେଜି ଧାନ ଓ ଅଠର କେଜି ଗହମ ଉତ୍ପାଦନ ହୁଏ, ସେତିକି ଜାଗାରୁ ୪୮ କେଜି ଆଳୁ ଉତ୍ପାଦନ ହୋଇଥାଏ । ଏହାଛଡା ଧାନ, ଗହମ, ବାଜରା, ମକା ପାଚିଲେ କଟା ହେଉଥିଲା ବେଳେ ଆଳୁକୁ ଅପରିପକ୍ୱ ଅବସ୍ଥାରେ ବି ଅମଳ କରାଯାଇପାରିବ । ପୁଣି ଭାରତରେ ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ଋତୁରେ ଆଳୁ ଚାଷ ହୋଇ ପାରୁଥିବାରୁ ବର୍ଷସାରା ଆଳୁ ଖାଇବାକୁ ମିଳେ । ତେଣୁ ଖାଦ୍ୟ ନିରାପତ୍ତାପାଇଁ ଏହା ଗୁରୁତ୍ୱପୂର୍ଣ୍ଣ । ଭାରତର ପାହାଡ଼ିଆ ଅଞ୍ଚଳରେ ଆଳୁ ଗ୍ରୀଷ୍ମ ଋତୁରେ, କର୍ଣ୍ଣାଟକ, ମହାରାଷ୍ଟ୍ର, ହିମାଚଳ, ଉତ୍ତରାଞ୍ଚଳ, ଜାମ୍ମୁକାଶ୍ମୀରରେ ବର୍ଷାଋତୁରେ, ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ ଓ ଓଡ଼ିଶାରେ ଶୀତଋୁତୁରେ ଆଳୁ ହୋଇଥାଏ ।

ପୃଥିବୀର ୧୫୧ଟି ଦେଶରେ ଆଳୁଚାଷ ହୋଇଥାଏ । ସମୁଦାୟ ଆଳୁ ଜମିର ପରିମାଣ ୫ କୋଟି ଏକର । ଏବଂ ସବୁଠୁ ବଡ଼ ଆଳୁଚାଷୀ ଦେଶ ହେଲା ଚାଇନା, ଯାହାର ବାର୍ଷିକ ଉତ୍ପାଦନ ୭ କୋଟି ୧୦ ଲକ୍ଷ ଟନ୍ । ତା’ପରେ ଅଛି ରୁଷିଆ ୬ କୋଟି ୨୦ ଲକ୍ଷ ଟନ୍ । ଭାରତର ସ୍ଥାନ ତୃତୀୟ, ଅଢେଇ କୋଟି ଟନ୍ । ଆମ ଦେଶରେ ଆଳୁଚାଷ ଜମି ପରିମାଣ ୩୫ ଲକ୍ଷ ଏକର । ଏଥିରୁ ୮୦ ଭାଗ ଗାଙ୍ଗେୟ ଉପତ୍ୟକାରେ । ପାଞ୍ଚ ବର୍ଷ ଭିତରେ ଆଳୁ ଉତ୍ପାଦନକୁ ଦୁଇ ଗୁଣ କରିବାପାଇଁ ଆମ କୃଷି ଓ ଖାଦ୍ୟ ମନ୍ତ୍ରଣାଳୟ ଲକ୍ଷ୍ୟ ରଖିଛନ୍ତି ।

ବିଭିନ୍ନ ଦେଶରେ କିଏ କେତେ ଆଳୁ ଭୋଜନ କରନ୍ତି ? ପୃଥିବୀରେ ଜଣ ପିଛା ସବୁଠାରୁ କମ୍ ଆଳୁ ଖାଆନ୍ତି ଭାରତୀୟମାନେ - ଜଣପିଛା ବର୍ଷକୁ ୧୫ କିଲୋ ।

ବିକଳ୍ପ ବିଶ୍ୱ ୩୩୧