ପୃଷ୍ଠା:Bikalpa Biswa.pdf/୩୩୨

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସବୁଠାରୁ ଅଧିକ ଆଳୁ ଖାଆନ୍ତି ୟୁରୋପୀୟମାନେ - ମୁଣ୍ଡପିଛା ବର୍ଷକୁ ଏକ କ୍ୱିଣ୍ଟାଲ୍ । ପୃଥିବୀରେ ମୁଣ୍ଡପିଛା ହାରାହାରି ବାର୍ଷିକ ଆଳୁ ଭୋଜନ ୨୨ କେଜି । ବାର୍ଷିକ ଆଳୁ ବ୍ୟବସାୟର ମୂଲ୍ୟ ୪୦ ହଜାର କୋଟି । ପ୍ରାୟ ୫ କୋଟି ଲୋକ ଆଳୁ ଆମଦାନୀ ରପ୍ତାନି, କ୍ରୟ ବିକ୍ରୟରେ ନିଯୁକ୍ତ । ପ୍ରାୟ ସେତିକି ଲୋକ ଭାରତର ଗ୍ରାମାଞ୍ଚଳ, ଛୋଟ ବଡ଼ ସହର, ରେଲ୍‌ୱେ ଷ୍ଟେସନ, ବସଷ୍ଟାଣ୍ଡରେ ବୁଲି ପଟାଟୋ ଚିପ୍‌ସ, ଆଳୁଚପ୍, ଆଳୁ ଟିକିଆ, ଗୁପ୍‌ଚୁପ୍ ଓ ଠେଲାଗାଡ଼ିରେ ଆଳୁଦମ୍ ବିକି ଚଳନ୍ତି । ଫ୍ରେଞ୍ଚ ଫ୍ରାଏ ଓ ଅଙ୍କଲ ଚିପ୍‌ସ ଆମେରିକା ଓ ୟୁରୋପ୍‌ରେ ପ୍ରଧାନ ଜଳଖିଆ । ଭୁବନେଶ୍ୱର, କଟକରେ ବରା ଆଳୁଦମ୍, ମ୍ୟାକଡୋନାଲ୍ଡ ଭଳି ଏକ ଲୋକପ୍ରିୟ, ଲାଭଜନକ ବ୍ୟବସାୟ ଭାବେ ବହୁ ବେକାର ଯୁବକଙ୍କୁ ଥଇଥାନ କରିଛି । ଆଳୁ ସିଝା, ଆଳୁ ପୋଡ଼ା, ଆଳୁ ଭଜା, ଭର୍ତ୍ତା ବିନା ଓଡ଼ିଆଣୀଙ୍କ ରୋଷେଇ ଅସମ୍ପୂର୍ଣ୍ଣ । ଆଳୁ ସବୁ ବ୍ୟଞ୍ଜନରେ ସହଜରେ ମିଶିପାରେ, ତେଣୁ ଯେଉଁ ଲୋକ ସମସ୍ତଙ୍କ ସହ ସହଜରେ ମିଳିମିଶି ପାରନ୍ତି, ତାଙ୍କୁ କହନ୍ତି ଆଳୁ ପରିବା ।

କୋଉଠୁ କେମିତି ଆସିଲା ଏହି ସର୍ବଜନପ୍ରିୟ ଆଳୁ ? ଆନ୍ତର୍ଜାତିକ ଆଳୁ ଗବେଷଣା କେନ୍ଦ୍ରଙ୍କ ଅନୁସାରେ ପ୍ରାୟ ୮ ହଜାର ବର୍ଷ ପୂର୍ବେ ଦକ୍ଷିଣ ଆମେରିକାର ପେରୁ ଓ ଆଖପାଖ ଅଞ୍ଚଳରେ ଆଳୁ ଖାଦ୍ୟପଦାର୍ଥ ଭାବରେ ଆବିଷ୍କୃତ ହୋଇଥିଲା । କିନ୍ତୁ ବହୁ କାଳ ପରେ ଷୋଡ଼ଶ ଶତାବ୍ଦୀରେ ଆଳୁ ଆସିଲା ୟୁରୋପର ସ୍ପେନ୍ ଦେଶକୁ । ପରେ ପରେ ଇଂଲଣ୍ଡ ଓ ଅନ୍ୟ ୟୁରୋପୀୟ ଦେଶରେ ପହଞ୍ଚିଲା ଆଳୁ । ଆଳୁଚାଷ ଆରମ୍ଭ ହେବାଦ୍ୱାରା ପଶ୍ଚିମ ୟୁରୋପର ଖାଦ୍ୟବଣ୍ଟନ ବ୍ୟବସ୍ଥାରେ ଅନିଶ୍ଚିତତା ଦୂର ହେଲା ଓ ପ୍ରଥମେ ଶିଳ୍ପ ବିପ୍ଳବପାଇଁ ପଥ ପରିଷ୍କୃତ ହୋଇଗଲା । ଏବଂ ଆୟାରଲ୍ୟାଣ୍ଡର ଲୋକେ ଆଳୁକୁ ମୁଖ୍ୟ ଖାଦ୍ୟ କରି ଏହା ଉପରେ ନିର୍ଭରଶୀଳ ହୋଇପଡ଼ିଲେ । ଫଳରେ ଥରେ ରୋଗ ପୋକ ଲାଗି ଆଳୁ ଫସଲ କ୍ରମାଗତ ଭାବେ ଉଜୁଡ଼ି ଯିବାରୁ ୧୮୪୫ ରୁ ୧୮୫୧ ମସିହା ଭିତରେ ଦଶ ଲକ୍ଷ ଲୋକ ଦୁର୍ଭିକ୍ଷରେ ମରିଗଲେ । ତେଣୁ ଆଳୁ ଫସଲର ସୁରକ୍ଷାପାଇଁ ଗବେଷଣାଲବ୍ଧ ଜ୍ଞାନ ଓ କୌଶଳକୁ ଚାଷୀଙ୍କ ପାଖରେ ପହଞ୍ଚାଇବା ଆନ୍ତର୍ଜାତିକ ଆଳୁବର୍ଷର ଆଉ ଏକ ଲକ୍ଷ୍ୟ ।

ପର୍ତ୍ତୁଗୀଜମାନେ ପ୍ରଥମେ ଆଳୁ ଆଣିଥିଲେ ଭାରତକୁ । ପେରୁରୁ ପଶ୍ଚିମ ଭାରତରେ ପହଞ୍ଚିବାକୁ ପରିବା ରାଜାଙ୍କୁ ଲାଗିଥିଲା ସାତ ହଜାର ଆଠଶହ ବର୍ଷ । କିନ୍ତୁ ଶହେ ବର୍ଷରେ ଏହା ସାରା ଭାରତ ବ୍ୟାପିଗଲା । ଆଗ୍ରା ଓ କାନପୁର ଅଞ୍ଚଳରେ ସବୁଠୁ ବେଶୀ

୩୩୨ ବିକଳ୍ପ ବିଶ୍ୱ