ପୃଷ୍ଠା:Bikalpa Biswa.pdf/୩୩୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଆଳୁ ଉତ୍ପାଦନ ହେଲା । ପେରୁରେ ପ୍ରାୟ ଆଠଶହ ପ୍ରକାର ଆଳୁ ଥିଲାବେଳେ ଭାରତରେ ଏହା ପ୍ରାୟ ଦୁଇ ଡଜନ୍ ଭେରାଇଟିରେ ସୀମିତ ହୋଇଗଲା । ପାହାଡ଼ି, ଚିପ୍‌ସୋନା, କୁଫ୍ରି ଇତ୍ୟାଦି ବିଭିନ୍ନ ପ୍ରକାର ଓ ସ୍ୱାଦର ଆଳୁ ଭାରତୀୟଙ୍କ ମନ ଓ ହୃଦୟ ଜୟ କଲେ । ଭାରତ ମାଟିରେ ଆଳୁର ରୂପ, ରଙ୍ଗ ବଳିଗଲା । ବେଳେ ବେଳେ ଚାଷୀମାନେ ଏତେ ଆଳୁ ଉତ୍ପାଦନ କଲେ ଯେ ଦ।ମ୍ କମିଯିବା ଫଳରେ ଚାଷୀମାନେ ସର୍ବସ୍ୱାନ୍ତ ହୋଇଗଲେ । ତଥାପି ‘ଭର୍ସାଟାଇଲ ଭେଜିଟେବଲ୍’ ଆଳୁର ଜୟଯାତ୍ରା ଅବ୍ୟାହତ ରହିଛି ।

ଜନସଂଖ୍ୟା ବିଶାରଦମାନଙ୍କ ଭବିଷ୍ୟବାଣୀ ଅନୁସାରେ ଆସନ୍ତା ୨୦ ବର୍ଷ ପର୍ଯ୍ୟନ୍ତ ପ୍ରତିବର୍ଷ ଦଶ କୋଟି ଲୋକସଂଖ୍ୟା ବଢ଼ିବ ଏବଂ ଏହି କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାର ଖାଦ୍ୟ ଆବଶ୍ୟକତା ପୂରଣ କରିବାପାଇଁ କେବଳ ଆଳୁର ହିଁ କ୍ଷମତା ରହିଛି । ତେଣୁ ଏହାକୁ ‘ଫୁଡ୍ ଅଫ୍ ଦି ଫ୍ୟୁଚର’ ବା ଆସନ୍ତାକାଲିର ଖାଦ୍ୟଭଣ୍ଡାର ବୋଲି କୁହାଯାଉଛି । ଏକ ବିଶ୍ୱ ‘ପଟାଟୋ ପରିବାର’ ଗଠନ କରି ଆଳୁ ସମ୍ପର୍କୀୟ ସବୁ ବୈଜ୍ଞାନିକ ତଥ୍ୟ ଯୋଗାଇ ଦେବାପାଇଁ ପ୍ରତ୍ୟେକ ଦେଶରେ ‘ପଟାଟୋ ପାର୍କ’ ପ୍ରତିଷ୍ଠ କରାଯିବାର ଯୋଜନା ପ୍ରସ୍ତୁତ ହୋଇଛି ।

ଆଳୁ ପ୍ରେମୀ ଓ ବିଶାରଙ୍କ ମନ ଦୁଃଖ ଯେ କବି ଓ ଲେଖକମାନେ ଫୁଲ, ଫଳ ଓ ଖାଦ୍ୟର ବର୍ଣ୍ଣନାରେ ଆଳୁକୁ ସ୍ଥାନ ଦେଇ ନାହାନ୍ତି । ଡାଫୋଡିଲ, ଗୋଲାପ, ପଦ୍ମ, ଚମ୍ପା, କଇଁ, ଆପଲ୍, ଡାଳିମ୍ବ, ଧାନ, ଗହମ, ମକା ସୋରିଷ ବର୍ଣ୍ଣନାରେ ମୁଖର କବି ଆଳୁପାଇଁ ନୀରବ । ଶ୍ରୀମନ୍ଦିରରେ ଶ୍ରୀମାନ୍, ଶ୍ରୀମତୀ, କୁମାର ଓ କୁମାରୀ ଆଳୁ ଏବେ ବି ଅସ୍ପୃଶ୍ୟ ହୋଇ ରହିଛନ୍ତି । କାଳିଆ ଠାକୁରଙ୍କୁ ଲକ୍ଷ୍ମୀବଜାର ଆଳୁ ସ୍ୱାଦ ଚାଖିବାକୁ ଦିଆଯାଉ ନାହିଁ । ମହାପ୍ରସାଦ ଯୋଗ୍ୟତାପାଇଁ ଆଳୁ ସଫଳ ହୋଇନାହିଁ । ଡାକ୍ତରମାନେ ଆଳୁ ମୁଣ୍ଡରେ ମଧୁମେହ ଦୋଷ ବୋଳି ଦୂର୍ ଦୂର୍ ମାର୍ ମାର୍ କରୁଛନ୍ତି । ତଥାପି ଆଳୁ ଆଗେଇ ଚାଲିଛି । କାରଣ ଖାଦ୍ୟ ଭଣ୍ଡାରର ଆଳୁ ବିନା ଅନ୍ୟ ଗତି ନାହିଁ । ଆଳୁଙ୍କୁ ଆମର ଅଶେଷ ଧନ୍ୟବାଦ ।

୧୧ ଡିସେମ୍ବର, ୨୦୦୮

ବିକଳ୍ପ ବିଶ୍ୱ ୩୩୩