ପୃଷ୍ଠା:Bikalpa Biswa.pdf/୩୩୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଚାଉଳର ସୁଖ ଦୁଃଖ ସଂସାର

‘ଦୁଇ ଟଙ୍କିଆ ଚାଉଳ’ ଆନ୍ଧ୍ର ପ୍ରଦେଶରେ ସ୍ୱର୍ଗତଃ ଏନ୍‌ଟି ରାମାରାଓଙ୍କୁ ରାଜନୈତିକ ସଫଳତା ଦେବା ପରେ ‘ଚାଉଳ’ ଅନେକ ନିର୍ବାଚନରେ ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରି ଆସୁଛି । ଆମ ରାଜ୍ୟରେ ଶାସକ ଦଳ ‘ଦୁଇ ଟଙ୍କିଆ ଚାଉଳ’ ଯୋଗାଇ ନିର୍ବାଚନ ବୈତରଣୀକୁ ସଫଳତାର ସହିତ ପାରି ହେଲେ । ଏବେ କେନ୍ଦ୍ର ସରକାର ବି ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ତିନି ଟଙ୍କାରେ ଚାଉଳ ଦେବା କଥା ଘୋଷଣା କରିଛନ୍ତି । ନିର୍ବାଚନ ଆଗରୁ କିଏ କେତେ କମ୍‌ରେ ଭୋଟରଙ୍କୁ ଚାଉଳ ଯୋଗାଇ ଦେବ, ସେଥିପାଇଁ ଆରମ୍ଭ ହୋଇଛି ପ୍ରବଳ ପ୍ରତିଯୋଗିତା । ଓଡ଼ିଶା ଭଳି ଛତିଶଗଡ଼, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁରେ ନିର୍ବାଚନ ପୂର୍ବରୁ ବି ଭୋଟରଙ୍କୁ ଏପରି ଲାଞ୍ଚ ଯଚା ଯାଇଥିଲା ବିଭିନ୍ନ ଦଳ ତରଫରୁ । ଗୋଟିଏ ଦଳ ଚାଉଳ ସହ ମାଗଣା ଟିଭି ମଧ୍ୟ ଯାଚିଥିଲେ । ପାଗ ପରିବର୍ତ୍ତନର କୁ-ପ୍ରଭାବ ଓଡ଼ିଶାରେ ଚାଉଳ ଉତ୍ପାଦନକୁ ବିଶେଷ କ୍ଷତି କରିବ ବୋଲି କୃଷି ବିଶେଷଜ୍ଞମାନେ କହିଲେଣି । ତା’ସାଙ୍ଗକୁ ଏବେ ଚାଉଳକୁ ନେଇ ରାଜନୈତିକ ପାଗ ବି ବେଶ୍ ଉଷ୍ମ ।

ପୃଥିବୀରେ ସବୁଠୁ ବେଶି ଚାଉଳ ଖାଆନ୍ତି ଏସିଆର ଲୋକମାନେ । ତେଣୁ ଏ ମହାଦେଶରେ ଚାଉଳକୁ ନେଇ ରାଜନୀତି ପ୍ରବଳ । ଥାଇଲାଣ୍ଡର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଥାକ୍‌ସିନ୍ ଚାଉଳ ରାଜନୀତି କରି ତିନି ଥର ନିର୍ବାଚନ ଜିତିଥିଲେ । ଇଣ୍ଡୋନେସିଆର ଲୋକପ୍ରିୟ ରାଷ୍ଟ୍ରପତି ସୁକର୍ଣ୍ଣ ଚାଉଳ ରାଜନୀତିରେ ଛନ୍ଦି ହୋଇ ଗାଦି ଛାଡ଼ିଥିଲେ । କିନ୍ତୁ ଭାରତର ରାଜନେତାମାନେ ଚାଉଳକୁ ମୂଲ୍ୟହୀନ କରିବା ପ୍ରତିଯୋଗିତାରେ ବ୍ୟସ୍ତ ଥିବା ବେଳେ, ପଡୋଶୀ ଚୀନ୍ ନିଜ ଦେଶବାସୀଙ୍କ ଖାଦ୍ୟ ନିରାପତ୍ତାପାଇଁ ତାଞ୍ଜାନିଆ, ଲାଓସ୍, କାଜଖ୍‌ସ୍ଥାନ, ବ୍ରାଜିଲ୍ ଓ ଆଉ ଅନେକ ଦେଶରେ ଠିକାରେ ଜମି ନେଇ ଧାନଚାଷ ଆରମ୍ଭ କଲାଣି । ମରୁଭୂମିର ଦେଶ ସାଉିଆରବ ଏବେ ପାକିସ୍ତାନର ପାଞ୍ଚଲକ୍ଷ ଏକର ଜମି

୩୩୪ ବିକଳ୍ପ ବିଶ୍ୱ