ପୃଷ୍ଠା:Bikalpa Biswa.pdf/୩୩୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଲିଜ୍‌ରେ ନେଇ ଚାଷ ଆରମ୍ଭ କଲାଣି । ଚାଷୀପାଇଁ ଚାଷ ମହଙ୍ଗା ହେଲେ ଏପରି କଣ୍ଟ୍ରାକ୍ଟ ଫାର୍ମିଂ ସଂସ୍କୃତି ବ୍ୟାପିବ । ଚାଷୀମାନେ ବହୁଦେଶୀୟ କମ୍ପାନିମାନଙ୍କୁ ଅଧିକ ପଇସା ପାଇଁ ଜମି ବିକିବେ । ଉତ୍ପାଦନ ନ ବଢ଼ିଲେ ଅଳ୍ପ ମୂଲ୍ୟରେ ବା ମାଗଣାରେ ବାଣ୍ଟିବାକୁ ବି ଚାଉଳ ମିଳିବ ନାହିଁ । ପୃଥିବୀର ଅଧେ ଲୋକଙ୍କ ମୁଖ୍ୟ ଖାଦ୍ୟ ଚାଉଳ । ତେଣୁ ମିଳିତ ରାଷ୍ଟ୍ରସଂଘ ୨୦୦୪ ମସିହାକୁ ଆନ୍ତର୍ଜାତିକ ଚାଉଳବର୍ଷ ଭାବରେ ଘୋଷଣା କରିଥିଲେ ।

ଉଦ୍ଭିଦ ପ୍ରଜନନ ବିଦ୍ୟା ଓ ଆନୁବଂଶିକ ବିଜ୍ଞାନ ବିଶାରଦ ନରମାନ ବରଲଗ୍ ଓ ଏମ୍ଏସ୍ ସ୍ୱାମୀନାଥନ୍ ଚାଉଳ ଉତ୍ପାଦନ ବୃଦ୍ଧିଲାଗି ଯେଉଁ ବିହନ ପ୍ରୟୋଗ କରିଥିଲେ ତା ନାଁ ଥିଲା “ଇଣ୍ଟରନାଶନାଲ୍ ରାଇଶ୍ -୮” । ଅଧିକ ଉତ୍ପାଦନ କ୍ଷମତା ଥିବାରୁ ଏହାକୁ ସେତେବେଳେ କୁହାଯାଉଥିଲା “ମିରାକଲ୍ ରାଇଶ୍” । ଏହା ଫଳରେ ଭାରତ ଦୁର୍ଭିକ୍ଷରୁ ରକ୍ଷା ପାଇଥିଲା । ସେହିପରି ଉନ୍ନତ ବିହନ‌ଦ୍ୱାରା ଉତ୍ପାଦନ ବଢ଼ାଇବାପାଇଁ ପ୍ରଥମେ ପଞ୍ଜାବକୁ ପରୀକ୍ଷାର ପ୍ରୟୋଗଶାଳା ରୂପେ ବ୍ୟବହାର କରାଗଲା । ଏହି ସମୟ ଥିଲା ଭାରତରେ ସବୁଜ ବିପ୍ଳବର ପ୍ରଥମ ପର୍ଯ୍ୟାୟ । ଏବେ ସେହି ପରମ୍ପରାର ବାହକ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର, କଟକ ଦ୍ୱାରା “ଆଘାନିବୋରା” ନାମକ ଏକ ନୂଆ ଚାଉଳ ପ୍ରସ୍ତୁତ କରାଯାଇଛି, ଯାହାକୁ ନ ରାନ୍ଧି କେବଳ ଗରମ ପାଣିରେ ବତୁରାଇ ଖାଇ ହେବ । ଏହା ପ୍ରକୃତରେ ଆସାମରେ ଚାଷ ହେଉଥିବା “କୋମଳ ଚାଉଳ”ର ଏକ ରୂପାନ୍ତର । ଏହାକୁ ଓଡ଼ିଶା, ବଙ୍ଗଳା, ଆନ୍ଧ୍ର, ତାମିଲନାଡ଼ୁ ଓ କେରଳ ଭଳି ତଟବର୍ତ୍ତୀ ରାଜ୍ୟମାନଙ୍କରେ ଚାଷ କରି ହେବ ।

ଧାନ ଚାଉଳ ଆମ ସଂସ୍କୃତି, ସଭ୍ୟତା, ଜୀବନଯାପନ ପ୍ରଣାଳୀ ସହ ଓତପ୍ରୋତ ଭାବେ ଜଡ଼ିତ । ବୈିଦିକ ଯୁଗରୁ ଧାନକୁ ମା’ ଓ ମହାଲକ୍ଷ୍ମୀଙ୍କ ସ୍ଥାନ ଦିଆଯାଇଛି । କୃଷିଭିତ୍ତିକ ସମାଜର ମୂଳଦୁଆ ହେଉଛି ଧାନ । ଆମର ପୂଜା, ପାର୍ବଣ ଧାନ ଚାଉଳ ବିନା ଅସମ୍ପୂର୍ଣ୍ଣ । ହିନ୍ଦୁମାନଙ୍କ ବିବାହ, ବ୍ରତ, ପୂଜାପାଠରେ ଧାନର ପ୍ରଥମ ସ୍ଥାନ । ନୂଆ ବୋହୂଟିଏ ଘରେ ପ୍ରବେଶ ପୂର୍ବରୁ ପ୍ରଥମେ କଳସ ଚାଉଳକୁ ସ୍ପର୍ଶ କରନ୍ତି । ଦୂବ, ଓ ବରକୋଳି ପତ୍ର, ଚାଉଳଦ୍ୱାରା ଆଶୀର୍ବାଦ କରାଯାଏ । ଅନ୍ନ‌ଦାନ‌କୁ ମହାଦାନ ବୋଲି କୁହାଯାଏ । ପାର୍ଥିବ ଶରୀରକୁ ଅନ୍ନମୟ ଶରୀର ବୋଲି କୁହାଯାଏ । ବିଭିନ୍ନ ଧର୍ମରେ ଧାନ୍ୟର ପ୍ରାଧାନ୍ୟ ରହିଛି । ଭାରତକୁ କବି ବର୍ଣ୍ଣନା କରିଛନ୍ତି ଧନ, ଧାନ୍ୟେ ପୁଷ୍ପେ ଭରା । ସୁଜଳା, ସୁଫଳା, ଶସ୍ୟଶ୍ୟାମଳା ।

ବିକଳ୍ପ ବିଶ୍ୱ ୩୩୫