ପୃଷ୍ଠା:Bikalpa Biswa.pdf/୩୩୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେହି ଧାନ୍ୟର ଜନ୍ମସ୍ଥାନ ହେଉଛି ଏସିଆ ଓ ଆଫ୍ରିକା ମହାଦେଶ । ଅନେକଙ୍କର ବିଶ୍ୱାସ ଧାନର ପ୍ରକୃତ ଜନ୍ମ ସ୍ଥାନ ପୂର୍ବ ଭାରତର ପଶ୍ଚିମ ଓଡ଼ିଶା । ଏଠାରେ ଧାନ ଅମଳ ସମୟରେ ନୂଆଖାଇ ସବୁଠାରୁ ବଡ଼ ପର୍ବ । ଧାନ ଉତ୍ପାଦନରେ ପ୍ରଧାନ ଦଶଟି ଦେଶ ହେଲେ ଚାଇନା, ଭାରତ, ଇଣ୍ଡୋନେସିଆ, ଥାଇଲାଣ୍ଡ, ବର୍ମା, ଜାପାନ, ବାଂଲାଦେଶ, ବ୍ରାଜିଲ୍, ଫିଲିପାଇନ୍ସ ଓ ଭିଏତ୍‌ନାମ । ଚାଉଳ ବା ଜିନ୍ସ ଓରିକାର ବିଶେଷତ୍ୱ ହେଲା ଏହା ଆର୍ଦ୍ର, ଶୁଖିଲା, ଶୀତ ଓ ଗ୍ରୀଷ୍ମଋତୁ, ଲୁଣି, କ୍ଷାର ମାଟି ଓ ଏପରିକି ମରୁଭୂମିରେ ମଧ୍ୟ ଉତ୍ପାଦିତ ହୋଇପାରେ । ଏସିଆରେ ଦୁଇ ଶହ କୋଟି ଲୋକଙ୍କର ୬୦ ରୁ ୭୦ ଭାଗ କାଲୋରି ଆବଶ୍ୟକତା ପୂରଣ କରିଥାଏ ଚାଉଳ । ଚାଉଳ ଉପôାନ, ବଣ୍ଟନ, ପ୍ରକି୍ରୟାକରଣ ଓ ବ୍ୟବସାୟ ୧୨୦ କୋଟି ଲୋକଙ୍କର ଜୀବିକା । କେବଳ ଭାରତରେ ବର୍ଷକୁ ପ୍ରାୟ ୧୦ କୋଟି ଟନ୍ ଚାଉଳ ଉତ୍ପାଦନ ହୁଏ । ଶ୍ରୀ ପଦ୍ଧତି ଅନୁସରଣ କଲେ ଏହି ପରିମାଣ ୧୫ ରୁ ୨୦ କୋଟି ଟନ୍‌କୁ ବଢ଼ିବାର ସମ୍ଭାବନା ଅଛି ।

କିନ୍ତୁ ଚାଉଳର ମୂଲ୍ୟ ଦି’ଟଙ୍କା ହେବା ଫଳରେ ଅନେକ ଚାଷୀ ହତୋତ୍ସାହ ହୋଇ ପଡ଼ିଛନ୍ତି । କେତେକ ଚାଷୀ ଭାବୁଛନ୍ତି, ଖରା ବର୍ଷାରେ ପଙ୍କ କଦୁଅ ଚକଟି ଚାଷବାସ ଅପେକ୍ଷା ଚାଉଳ କିଣି ଖାଇବା ଶସ୍ତା ପଡ଼ିବ । ଓଡ଼ିଶାରେ ଚାଷୀମାନେ ଏବେ ଋଣ ଶୁଝି ନପାରି ଆତ୍ମହତ୍ୟା କଲେଣି । ଏହାପରେ ଚାଷୀମାନେ ବହୁଦେଶୀୟ କମ୍ପାନିମାନଙ୍କୁ ଚାଷ ଜମି ବିକିବା ଆରମ୍ଭ କରିବେ । ପଡ଼ୋଶୀ ଶ୍ରୀଲଙ୍କାରେ ବର୍ଷରେ ଦୁଇଟି ମୌସୁମୀ ଋତୁ ଥିବା ସତ୍ତ୍ୱେ ଅନେକ ଚାଷୀ ଚାଷ ଛାଡ଼ି ଦେଲେଣି । କାରଣ ଏଠାରେ ଉତ୍ପାଦନ ଅପେକ୍ଷା କିଣି ଖାଇବା ଲୋକଙ୍କୁ ଶସ୍ତା ପଡ଼େ । ଏବେ ଫିଲିପାଇନ୍ସର ଏକ ସ୍କୁଲରେ ପଢୁଥିବା ୩୪ ଜଣ ଚାଷୀକୁଳର ପିଲାଙ୍କୁ ପଚାରିବାରେ ମାତ୍ର ୪ ଜଣ ଉତ୍ତର ଦେଇ କହିଲେ ଯେ ସେମାନେ କୃଷିଭିତ୍ତିକ ଜୀବିକା ପସନ୍ଦ କରିବେ । ଭାରତରେ ବି ଏହି ଅବସ୍ଥା । ଓଡ଼ିଶାରେ ୨୧ ଲକ୍ଷ ପରିବାର କୃଷି ଶ୍ରମ ଉପରେ ନିର୍ଭର କରି ଚଳନ୍ତି । କିନ୍ତୁ ଏବେ ଗ୍ରାମାଞ୍ଚଳରେ କୃଷି ଶ୍ରମିକ ଦୁର୍ଭିକ୍ଷ । ମିଲ୍ ମାଲିକମାନେ ଦି’ଟଙ୍କିଆ ଚାଉଳକୁ ଗରିବଙ୍କଠାରୁ ଆଠ ଟଙ୍କାରେ କିଣି ସରକାରଙ୍କୁ ୧୨ ଟଙ୍କାରେ ବିକି ବ୍ୟବସାୟ କଲେଣି । ଚାଉଳ ରାଜନୀତିର ଅନ୍ତ ନାହିଁ ।

ଗତ ପାଞ୍ଚ ହଜାର ବର୍ଷ ଧରି ଏସିଆ ଲୋକଙ୍କୁ ବାନ୍ଧି ରଖିଥିଲା ଚାଉଳ । ଗଙ୍ଗା, ବ୍ରହ୍ମପୁତ୍ର, କ୍ରିଷ୍ଣା, କାବେରୀ, ନର୍ମଦା, ମହାନ‌ଦୀ, ହୋୟାଙ୍ଗ୍‌ହୋ, ମେକଙ୍ଗ୍ ଅଞ୍ଚଳରେ ଗଢ଼ି ଉଠିଥିଲା କୃଷି ଭିତ୍ତିକ ସଭ୍ୟତା । ଜନ୍ମ ମୃତ୍ୟୁ ହାର ଉପରେ କୃଷି ଓ ଚାଉଳର ପ୍ରଭାବଦ୍ୱାରା ଆବଶ୍ୟକୀୟ ଜନସଂଖ୍ୟା ବୃଦ୍ଧି ଘଟିଥିଲା । ଧାନ ଓ କୃଷି ଗାଁ ଲୋକଙ୍କୁ ଏକାଠି ରଖିଥିଲା ।

୩୩୬ ବିକଳ୍ପ ବିଶ୍ୱ