ପୃଷ୍ଠା:Bikalpa Biswa.pdf/୩୩୭

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଏସିଆରେ ଏହାର ନେତୃତ୍ୱ ନେଇଥିଲେ ତିନି ପ୍ରକାର ଧାନ :- (୧) ଇଣ୍ଡିକା (୨) ଜାପୋନିକା ଓ (୩) ଜାଭୋନିକା । ଭାରତ ଭଳି ଜାପାନ୍‌ରେ ଧାନର ଦ୍ୱିତୀୟ ନାମ ହେଲା ମା’ ଓ କୃଷକଙ୍କୁ କୁହାଯାଏ ଜାପାନୀ ସଂସ୍କୃତିର ଅଭିଭାବକ । ଓଡ଼ିଶାରେ ଯେମିତି ମାଣବସା ଗୁରୁବାରରେ ଧାନ ଅକ୍ଷତ ପୂଜା ହୁଏ ଓ ଘରର ବଡ଼ ବୋହୂଙ୍କୁ ଏ ଅଧିକାର ମିଳିଥାଏ, ସେମିତି ଦକ୍ଷିଣ ପୂର୍ବ ଏସିଆରେ ଚାଉଳକୁ ସମ୍ମାନିତ କରାଯାଏ । ବିଭିନ୍ନ ଚାଉଳର ରାନ୍ଧଣା, ବାସ୍ନା ଓ ସ୍ୱାଦ ବିଷୟରେ ଏ ଦେଶର କବି, ଲେଖକମାନେ ମୁଖର । ଏ ଅଞ୍ଚଳର ସମାଜକୁ କୁହାଯାଏ - ‘ଭାତ, ମାଛ ସମାଜ’ ବା ‘ରାଇସ୍ - ଫିସ୍ ସୋସାଇଟି’ । ଇଜିପ୍ଟର ନୀଳ ନ‌ଦୀ ଉପତ୍ୟକାରେ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ପାଇବାପାଇଁ କୃଷକମାନେ ଧାନକ୍ଷେତର ଛାଇରେ ଆଶ୍ରୟ ନିଅନ୍ତି । ପୂର୍ବ ଓ ଦକ୍ଷିଣ ଭାରତର ଚାଷୀମାନେ ନଡ଼ା ଛପର ଘରେ ରହିବାକୁ ପସନ୍ଦ କରନ୍ତି । ଏ ସହଜ ସବୁଜ ଘର ସବୁ ଶୀତ ଦିନେ ଉଷୁମ ଓ ଖରାଦିନେ ଥଣ୍ଡା ଓ ପ୍ରଦୂଷଣମୁକ୍ତ ।

ବିଭିନ୍ନ ଦେଶରେ ଚାଉଳକୁ ନେଇ ଆଚାର, ବିଚାର, ଚାଲିଚଳଣ ଭିନ୍ନ ଭିନ୍ନ । ପ୍ରାଚୀନ କାଳରେ ଚୀନ୍ ଦେଶର ଲୋକମାନେ ପରସ୍ପରକୁ ଭେଟିଲା ବେଳେ “ଆପଣ କେମିତି ଅଛନ୍ତି” ନ କହି କହନ୍ତି - “ଆପଣ ଆଜି ଭାତ ଖାଇଛନ୍ତି ?” ଫ୍ରାନ୍ସରେ ରୋଲ୍‌ଡ ରାଇସ୍ ଓ ତୁନା ମାଛ ଏକ ଲୋକପ୍ରିୟ ସୁଖାଦ୍ୟ । ଇଣ୍ଡୋନେସିଆରେ ରାଇସ୍ ପଲାଉ ଓ ଭାତ ମାଛ ସେମିତି ଲୋକପ୍ରିୟ । ଏ ଦେଶରେ ସାତ ହଜାର ପ୍ରକାର ଚାଉଳ ମିଳେ । ପ୍ରାତଃ ଭୋଜନପାଇଁ ସବୁଠାରୁ ସୁଖାଦ୍ୟର ନାଁ ‘ନାସି ଗୋରେଙ୍ଗ’ । ରାତ୍ରି ଭୋଜନରୁ ବଳି ପଡ଼ିଥିବା ଭାତଦ୍ୱାରା ଏହା ପ୍ରସ୍ତୁତ କରାଯାଏ । ଓଡ଼ିଶାରେ ଭାତ ବଳି ପଡ଼ିଲେ ପଖାଳ କରାଯାଏ ଓ ସକାଳେ ପଖାଳ, ପିଆଜ ଖାଇ ଚାଷୀମାନେ ବିଲକୁ ଯାଆନ୍ତି । “ପଖାଳ ଉତ୍କଳେ ସଂଜୀବନୀ ସୁଧା - ହରେ ଏକାବେଳେ ତୃଷା, କ୍ଲାନ୍ତି, କ୍ଷୁଧା” । ଥାଇଲାଣ୍ଡରେ ଜାସ୍ମିନ୍ ରାଇସ୍ ଓ ରେଡ୍‌କାର୍ଗୋ ରାଇସ୍ ଖାଇବାକୁ ଲୋକେ ପସନ୍ଦ କରନ୍ତି । ଭିଏତ୍‌ନାମରେ ଅଧିକ ବ୍ୟବହୃତ ଚାଉଳର ନାଁ ‘ଦୁରହୁରଙ୍ଗ ରାଇସ୍’ ଓ ‘ନାଗଥମ୍ ରାଇସ୍’ । ଭାରତ, ପାକିସ୍ଥାନରେ ଉତ୍ପନ୍ନ ଓ ଏବେ ସାରା ପୃଥିବୀରେ ବିଖ୍ୟାତ ଓ ମୂଲ୍ୟବାନ ଚାଉଳ ହେଉଛି ‘ବାସୁମତି’ ।

ଓଡ଼ିଶାରେ ପ୍ରାୟ ୪୦ ପ୍ରକାର ବାସନା ଚାଉଳ ମିଳେ । କିନ୍ତୁ ପଞ୍ଜାବ, ହରିଆନା ଭଳି ଚାଉଳ ନ ଖାଉଥିବା ରାଜ୍ୟମାନେ ଏବେ ଆମ ପରି ଚାଉଳଖିଆ ରାଜ୍ୟଙ୍କଠାରୁ ଅଧିକ ଚାଉଳ ଉତ୍ପାଦନ କରୁଛନ୍ତି । ଚାଉଳ ରପ୍ତାନିରେ ସବୁଠାରୁ ଆଗୁଆ ଦେଶ ହେଲା ଥାଇଲାଣ୍ଡ । ତା’ପଛକୁ ଭିଏତ୍‌ନାମ । ଏ ଦେଶର ମହିଳାମାନେ ଚାଉଳରୁ ଯେଉଁ ସୁଆଦିଆ

ବିକଳ୍ପ ବିଶ୍ୱ ୩୩୭