ପୃଷ୍ଠା:Bikalpa Biswa.pdf/୩୩୮

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ପିଠା ତିଆରି କରନ୍ତି ତା ନାଁ ହେଲା ‘ବନ୍‌ଚୁଙ୍ଗ୍’ । ଏ ଅଞ୍ଚଳରେ ଏକ କିମ୍ବଦନ୍ତୀ ଅଛି ଯେ ତିନି ହଜାର ବର୍ଷ ପୂର୍ବେ ହୁଙ୍ଗ୍ ରାଜବଂଶର ୬ଷ୍ଠ ରାଜା ଜଣେ ଚାଷୀଙ୍କ ଘର ତିଆରି ପିଠା ‘ବନ୍‌ଚୁଙ୍ଗ୍’ ଖାଇ ଏତେ ଖୁସି ହୋଇଗଲେ ଯେ ଏହାର ମୂଲ୍ୟ ସ୍ୱରୂପ ସମ୍ପୃକ୍ତ ଚାଷୀଙ୍କୁ ସମଗ୍ର ରାଜ୍ୟ ଓ ନିଜ ରାଜଗାଦି ଦେଇେଦେଲେ । ଏଠାରେ ଆଉ ଏକ ଲୋକପ୍ରିୟ ପ୍ରବାଦ ହେଲା - ‘ସ୍ୱାଭାବିକ ସମୟରେ ବିଦ୍ୱାନ ଓ ପଣ୍ଡିତଙ୍କ ସ୍ଥାନ ଆଗ ଧାଡ଼ିରେ ଓ ଚାଷୀ ପଛରେ, କିନ୍ତୁ ଦୁର୍ଭିକ୍ଷ ବେଳେ ଚାଷୀଙ୍କ ସ୍ଥାନ ଆଗରେ ଓ ପଣ୍ଡିତମାନେ ତାଙ୍କ ପଛରେ ।’

ପଡ଼ୋଶୀ କାମ୍ବୋଡ଼ିଆରେ ରାଇସ୍ - ବନାନା କେକ୍ (ଚାଉଳ କଦଳୀ ବଟା ପିଠଉର ପିଠା) ବିନା ବିବାହ ଉତ୍ସବ ଅସମ୍ପୂର୍ଣ୍ଣ । ସେମିତି ଶ୍ରୀଲଙ୍କାରେ କ୍ଷୀର ଭାତର ସ୍ଥାନ । ଓଡ଼ିଶାରେ ଆଗେ ଭୋଜିର ନାମ ଥିଲା କ୍ଷୀରି-ପିଠା । ଇଜିପ୍ଟରେ ଆଲେକ୍‌ଜାଣ୍ଡ୍ରିଆ ରୋସ୍ତୋରାଁମାନଙ୍କରେ ସବୁଦିନ ସନ୍ଧ୍ୟାରେ ‘ରୁଜ୍ଜ ମୁଆମ୍ମର ବି ଟୟୁର୍’ ଖାଇବାପାଇଁ ପ୍ରବଳ ଭିଡ଼ ହୁଏ । ଏହିପରି ଚାଉଳକୁ ନେଇ ପୃଥିବୀରେ ୮ ହଜାର ପ୍ରକାର ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ ହୋଇଥାଏ । ଆମେରିକାରେ ଅନେକ ବାପା, ମା ପିଲାର ନାଁ ବା ସାଙ୍ଗିଆ ରଖିଥାନ୍ତି ରାଇସ୍ ବା ଚାଉଳ । ଯେପରିକି ଜଣ୍ଡୋଲିଜା ରାଇସ୍ (ପୂର୍ବତନ ବିଦେଶ ମନ୍ତ୍ରୀ), ଉଇଲିୟମ୍ ମାର୍ଶ ରାଇସ୍ । ଉଇଲିୟମ୍ ରାଇସ୍‌ଙ୍କ ନାଁରେ ପୃଥିବୀରେ ପ୍ରଥମ ବିଶ୍ୱବିଦ୍ୟାଳୟର ନାଁ ରାଇସ୍ ୟୁନିଭରସିଟି ୧୯୧୨ ମସିହାରେ ପ୍ରତିଷ୍ଠିତ । ଏପରି ଚାଉଳ ସାରା ପୃଥିବୀରେ ସମ୍ମାନିତ ।

ଏବେ ବ୍ୟଙ୍ଗରେ କିଛି :- ଡାଲି ଚାଉଳଙ୍କ ଯୁଗ ଯୁଗ ସମ୍ପର୍କ ଏବେ ବିପଦଗ୍ରସ୍ତ । ଜଣେ ପୁଷ୍ଟିସାର ରାଣୀ ତ ଅନ୍ୟ ଜଣକ ଶ୍ୱେତସାରର ଖଣି । ତେବେ କିଏ ବଡ଼, କିଏ ଛୋଟ ଏ ନେଇ ଉଭୟଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଏବେ ଗରମାଗରମ । ନିର୍ବାଚନ ଇସ୍ତାହାର ପଢ଼ି ମନ ଖୁସିରେ ଡାଲି ଚାଉଳକୁ କହିଲା ତୋ ।ଦାମ୍ କମି କମି ହେଲାଣି କିଲୋକୁ ଟଙ୍କା ଯୋଡିଏ, ମୋ ଦାମ୍ ବଢ଼ି ହେଲାଣି ଶହେ କୋଡ଼ିଏ । ତୋ ମହତ୍, ଇଜ୍ଜତ ଏବେ ଦି ଟଙ୍କାରେ ଦାଣ୍ଡରେ ହାଟରେ ଗଡ଼ ଗଡ଼ଡ଼ୋଉଛି । ମାଟି ଗୋଡି ଦାମ୍ ବି ତୋଠୁ ଅଧିକା । ପୁଣି ତୁ ଏବେ ଯାଇ ରହିଥିବୁ ଦାରିଦ୍ର୍ୟ ସୀମାରେଖା ତଳେ, ମୁଁ ଉଠି ପହଞ୍ଚିଲିଣି ଦାରିଦ୍ର୍ୟ ସୀମା ଡିଆଁ ସିଡ଼ି ଉପରେ । ଗ୍ଲୋବାଲ ୱାର୍ମିଂରେ ଏଥର ତୋ କୁଳ ବୁଡ଼ିଯିବ । ଆଉ ଅଧିକ ଅପମାନ ସହି ନ ପାରି ଚାଉଳ ଜବାବ ଦେଲା - ମନେରଖ ଆଗ ଚାଉଳ ପଛେ ଡାଲି । ମୁଁ ଏବେ ହେବି ଗରିବଙ୍କ ପେଟର ଦାନା, ତୁ ହେବୁ ଧନୀଙ୍କ ଦାମିକା ଖାନା । ଏବଂ ତତେ ଆଉ ଲୋକେ କିଣିବେନି, ନାଁ ବି ଧରିବେନି ।

୩୩୮ ବିକଳ୍ପ ବିଶ୍ୱ