ପୃଷ୍ଠା:Bikalpa Biswa.pdf/୩୪୦

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ବିଳାସ, ଅତିବ୍ୟୟ ଓ ବିବେକ

ବିଦେଶ ରାଜ୍ୟ ମନ୍ତ୍ରୀ ଶଶି ଥରୁର୍ ସରକାରଙ୍କ ମିତବ୍ୟୟିତା ନିଷ୍ପତ୍ତିକୁ ବ୍ୟଙ୍ଗ କରିବା ପରେ କିଛି ଦିନ ହେଲା ଇଂରାଜୀ ଭାଷାର ଦୁଇଟି ଶବ୍ଦ ‘ଇକନମି’ ଓ ‘ଅଷ୍ଟେରିଟି’ ବାରମ୍ବାର ଚର୍ଚ୍ଚାକୁ ଆସିଲେଣି । ଶବ୍ଦକୋଷରେ ଏହାର ଅର୍ଥ ହେଉଛି କଠୋରତା, କଷ୍ଟ ବା କ୍ଲେଶାୟକ, ଦୁଃସହ-ସରଳତା, ଆତ୍ମନିଗ୍ରହ, ଆତ୍ମସଂଯମ । ଦେଶର ଅର୍ଥବ୍ୟବସ୍ଥାକୁ ସୁଧାରିବାପାଇଁ ମିତବ୍ୟୟ ବା ସ୍ୱଳ୍ପ ଖର୍ଚ୍ଚ । ଅର୍ଥଶାସ୍ତ୍ରୀମାନେ ଏହାକୁ କହନ୍ତି ଖର୍ଚ୍ଚକାଟ, ବଦଖର୍ଚ୍ଚ, ବିନିର୍ବ୍ୟୟ, ଅତିବ୍ୟୟ ରୋକିବା ଓ ବିଚାରବନ୍ତ ଭାବରେ ସମ୍ପଦ ଓ ସମ୍ବଳ ପରିଚାଳନା କରିବା । ନେତା, ମନ୍ତ୍ରୀ, ବଡ଼ବାବୁ ଓ କମ୍ପାନିମାନେ ବିଚାରବନ୍ତ ଭାବରେ ଖର୍ଚ୍ଚ କଲେ ଅର୍ଥନୀତି ଓ ସାଧାରଣ ନାଗରିକଙ୍କ ଉପରେ ଏହାର ଭଲ ପ୍ରଭାବ ପଡ଼େ । ତେଣୁ ଏବେ ଜଣେ ମନ୍ତ୍ରୀ କମ୍ପାନିମାନଙ୍କୁ କହିଛନ୍ତି ଯେ ସେମାନେ ମଧ୍ୟ ଉଚ୍ଚପଦସ୍ଥ କର୍ମଚାରୀମାନଙ୍କୁ ରୁଚିବିହୀନ ଅସଭ୍ୟ ମୋଟା ଦରମା ନ ଦିଅନ୍ତୁ । ଏଭଳି କେତେକ କମ୍ପାନି ଜଣକୁ ମାସକୁ ଦରମା ଦିଅନ୍ତି ଦୁଇରୁ ତିନି କୋଟି ଟଙ୍କା । ସେହି ମନ୍ତ୍ରୀଙ୍କ ଭାଷାରେ ଏହା “ଭଲ୍‌ଗାର ସାଲାରି” । ବିଳାସପୂର୍ଣ୍ଣ, ବ୍ୟୟବହୁଳ ଜୀବନଶୈଳୀ ମଧ୍ୟ ସେହିପରି ଏକ ଅସଭ୍ୟତା । ଭାରତରେ କେତେକ କମ୍ପାନିମୁଖ୍ୟଙ୍କ ବାର୍ଷିକ ଦରମା ସାଧାରଣ ଭାରତୀୟଙ୍କ ମୁଣ୍ଡପିଛା ବାର୍ଷିକ ଆୟଠାରୁ ସାଢେବାର ହଜାର ଗୁଣ ଅଧିକ ।

ପୃଥିବୀର ବିଭିନ୍ନ ଧର୍ମରେ ସାଦା, ସରଳ ଜୀବନକୁ ଉଚ୍ଚ ସ୍ଥାନ ଦିଆଯାଇଛି । ଇସ୍‌ଲାମ୍‌ର ସୁଫୀ ସନ୍ଥ ଓ ହିନ୍ଦୁ ଧର୍ମର ସନ୍ନ୍ୟାସୀମାନେ ଏଥିପାଇଁ ପୃଥିବୀ ବିଖ୍ୟାତ । ତପସ୍ୟା ଓ ସାଧନା କାଳରେ ମୁନି, ଋଷିମାନେ ସବୁଠାରୁ ଅଳ୍ପାହାର କରିଥାନ୍ତି ବା ପାଣି ପବନ ଆହାର କରିଥାନ୍ତି । ବାଇବେଲ୍‌ରେ ସରଳ ଜୀବନର ଭୂରି ଭୂରି ପ୍ରଶଂସା କରାଯାଇଛି । ବୌଦ୍ଧ ଧର୍ମରେ ଭିକ୍ଷୁ, ଭିକ୍ଷୁଣୀମାନେ ଭିକ୍ଷା ଉପରେ ଓ ଶ୍ରମଣମାନେ ଶ୍ରମ ଉପରେ ନିର୍ଭର କରି ଚଳନ୍ତି । ଏମାନଙ୍କପାଇଁ ସମ୍ପତ୍ତି ସଞ୍ଚୟ ଓ ବିଳାସ ମନା । ଭଗବତ୍

୩୪୦ ବିକଳ୍ପ ବିଶ୍ୱ