ପୃଷ୍ଠା:Bikalpa Biswa.pdf/୩୪୧

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଗୀତାରେ ବିଳାସହୀନ ସାତ୍ତ୍ୱିକ ଆହାର ବିହାର‌ଦ୍ୱାରା ଈଶ୍ୱରପ୍ରାପ୍ତି ସହଜ ହୁଏ ବୋଲି କୁହାଯାଇଛି । ଏବେ କେରଳର ଆର୍ଚ୍‌ଡିଓସିଜ୍ ଖ୍ରୀଷ୍ଟୟାନ୍ ଧର୍ମଯାଜକମାନଙ୍କୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ ସେମାନେ ଖାଦ୍ୟ, ବସ୍ତ୍ର ଓ ଯାତ୍ରାରେ ମିତବ୍ୟୟୀ ହୁଅନ୍ତୁ । ଗୁରୁ ନାନକ କହିଥିଲେ, ଈଶ୍ୱରଙ୍କପାଇଁ ଉଦ୍‌ବିଗ୍ନତା ହେଉଛି ଏକ କୁମ୍ଭାର ଭାଟି, ମିତବ୍ୟୟୀତା ଓ ଆତ୍ମସଂଯମ ତା’ର ନିଆଁ ଏବଂ ପ୍ରେମ ହେଉଛି ତରଳାଇବାପାଇଁ ବ୍ୟବହୃତ ପାତ୍ର ।

ମୋଗଲ ଶାସନ କାଳରେ ବାଦଶାହା ଔରଙ୍ଗଜେବ ଅତ୍ୟନ୍ତ କଠୋର ଓ ସରଳ ଜୀବନ ଯାପନ କରୁଥିଲେ । ଏପରିକି ନିଜର ପୋଷାକ ଚିରି ଗଲେ ନିଜେ ସିଲାଇ ଓ ରଫୁ କରି ପିନ୍ଧୁଥିଲେ । ରାଜା ରାମଚନ୍ଦ୍ର ରାଜ୍ୟ ସୁଖ ତ୍ୟାଗ କରି ବଣ ଜଙ୍ଗଲରେ ସନ୍ନ୍ୟାସୀ ଭଳି ରହିଲେ ଚଉଦ ବର୍ଷ । ଲକ୍ଷ୍ମଣ ଅଖିଆ, ଅପିଆ ରହୁଥିଲେ । ବୁଦ୍ଧ ରାଜପଦ, ବିଳାସ ବ୍ୟସନ ତ୍ୟାଗ କରି ଚାଲି ଯାଇଥିଲେ ନିର୍ବାଣ ସନ୍ଧାନରେ । ରାଜା ବିଶ୍ୱାମିତ୍ର ରାଜ୍ୟସୁଖ ଛାଡ଼ି ତପସ୍ୟାପାଇଁ ଚାଲିଗଲେ ଓ ଆଉ ଲେଉଟିଲେ ନାହିଁ । ଜନକ ରାଜା ହୋଇ ମଧ୍ୟ ଋଷିଙ୍କ ଭଳି ସରଳ ଜୀବନ ଯାପନ କରୁଥିଲେ । ଚାଣକ୍ୟ ଏକା ଥିଲେ ତତ୍କାଳୀନ ଭାରତର ପ୍ରଧାନମନ୍ତ୍ରୀ, କିନ୍ତୁ ଅତ୍ୟନ୍ତ ନିରାଡ଼ମ୍ବର ଭାବରେ ରହୁଥିଲେ, ତଳେ ମଶିଣା ପକାଇ ଶୋଉଥିଲେ, କୁଶ ଆସନରେ ବସୁଥିଲେ । ଦରମା ନେଉ ନଥିଲେ ଏବଂ ଶେଷରେ ପ୍ରଧାନମନ୍ତ୍ରୀ ପଦ ତ୍ୟାଗ କରି ଚାଲି ଯାଇଥିଲେ । ମହାଦେବ ଥିଲେ ଶ୍ମଶାନବାସୀ, ତାଙ୍କର ଘରଦ୍ୱାର ନଥିଲା, ସରୀସୃପ ଓ ପଶୁମାନଙ୍କ ଗହଣରେ ରହୁଥିଲେ ଏହି ପଶୁପତିନାଥ ।

ନିଜର ମିତବ୍ୟୟିତାଯୋଗୁଁ ଗାନ୍ଧୀ ବିଶ୍ୱବିଖ୍ୟାତ । ତାଙ୍କର ଚାଲି ଚଳଣି, ଖାଦ୍ୟ, ବସ୍ତ୍ର, ବାସ - ସରଳତାରେ ପରିପୂର୍ଣ୍ଣ । ଯାତ୍ରା କରୁଥିଲେ ତୃତୀୟ ଶ୍ରେଣୀ ସାଧାରଣ ରେଳ ବଗିରେ । ତାଙ୍କ ପାଖକୁ ଯେଉଁ ଚିଠି ଆସୁଥିଲା, ସେଥିରେ ଥିବା ଖାଲି ସ୍ଥାନରେ ଉତ୍ତର ଲେଖି ପଠାଇ ଦେଉଥିଲେ । ସେ ସଦାବେଳେ କହୁଥିଲେ. ପୃଥିବୀ ଓ ପ୍ରକୃତିକୁ ରକ୍ଷା କରିବାକୁ ହେଲେ ଯେତିକି ଦରକାର, ତା’ଠାରୁ କମ୍ ବ୍ୟବହାର କର । ଏଥିରୁ ପ୍ରେରଣା ପାଇ ପଣ୍ଡିତ ଜବାହରଲାଲ ନେହେରୁ ନିଜ ଦ।ମୀ ପୋଷାକ ଛାଡ଼ି ଦେଇଥିଲେ । ଶହେ କୋଟି ଟଙ୍କାର ଆନନ୍ଦ ଭବନ ଦେଶକୁ ଦ।ନ କରି ବାସହୀନ ହୋଇଥିଲେ । ପ୍ରଧାନମନ୍ତ୍ରୀ ଥିଲା ବେଳେ ଶଶି ଥରୁର୍‌ଙ୍କ ‘ଗାଈ ଗୋରୁ ଶ୍ରେଣୀ’ (ବା କ୍ୟାଟଲ୍ କ୍ଲାସ୍) ରେ ଯାତ୍ରା କରୁଥିଲେ । ବିଦେଶ ଗସ୍ତରେ ଗଲାବେଳେ ପଞ୍ଚତାରକା ହୋଟେଲ୍‌ରେ ନ ରହି ସେ ଦେଶରେ ଥିବା ଭାରତୀୟ ଦୂତାବାସରେ ରହୁଥିଲେ ।

ବିକଳ୍ପ ବିଶ୍ୱ ୩୪୧