ପୃଷ୍ଠା:Bikalpa Biswa.pdf/୩୪୩

ଏହି ପୃଷ୍ଠାଟି ବୈଧ ହୋଇସାରିଛି

କେବଳ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଛାଡି ସମସ୍ତ ଏମ୍‌ପି. ଓ ମନ୍ତ୍ରୀ ନିଜ ନିଜ ମାଗଣା ସରକାରୀ ବଙ୍ଗଳା ଛାଡି ଦିଅନ୍ତୁ, ୨) ପରିବାର ଓ ବନ୍ଧୁବାନ୍ଧବଙ୍କପାଇଁ ସରକାରୀ ଗାଡ଼ି ବ୍ୟବହାର ନ କରନ୍ତୁ, ୩) ଟେଲିଫୋନ୍ ଓ ବିଜୁଳି ବିଲ୍ ନିଜ ପକେଟ୍‌ରୁ ପଇଠ କରନ୍ତୁ, ୪) ମନଇଚ୍ଛା ସରକାରୀ ବାସଗୃହକୁ ମରାମତି ନ କରନ୍ତୁ, ୫) ନିଜ ନିଜ କାର୍ଯ୍ୟାଳୟକୁ ସଜାଇବାପାଇଁ ଅଯଥା ଖର୍ଚ୍ଚ ନ କରନ୍ତୁ, ୬) ଯେତେଦୂର ସମ୍ଭବ ଦେଶପାଇଁ ଅଦରକାରୀ ବିଦେଶ ଯାତ୍ରା ବନ୍ଦ କରନ୍ତୁ, ୭) ସରକାରୀ ଖର୍ଚ୍ଚରେ ପାର୍ଟି, ଭୋଜି ବନ୍ଦ କରନ୍ତୁ, ୮) ମାଗଣା ରେଳଯାତ୍ରା ଓ ବିମାନଯାତ୍ରା ବନ୍ଦ ହେଉ, ୯) ନିଜ ମନ୍ତ୍ରଣାଳୟ ସହ ସମ୍ପୃକ୍ତ ସରକାରୀ ବା ବେସରକାରୀ ଉଦ୍ୟୋଗଠାରୁ କୌଣସି ସୁବିଧା, ଉପହାର ଇତ୍ୟାଦି ନ ନିଅନ୍ତୁ, ୧୦) ଦଳ କାମପାଇଁ ସରକାରୀ ଯାତ୍ରା, ଗାଡ଼ି ଇତ୍ୟାଦି ବ୍ୟବହାର ନ କରନ୍ତୁ, ୧୧) ନିଜ ନାମରେ ପ୍ରତିମୂର୍ତ୍ତି, ସ୍ମାରକ ନିର୍ମାଣ କରିବାର ଦୁର୍ବଳତାରୁ ଦୂରେଇ ରହନ୍ତୁ ଏବଂ କ୍ଷମତାକୁ ବ୍ୟବସାୟ ଓ ଲାଭପାଇଁ ପ୍ରୟୋଗ ନ କରନ୍ତୁ ।

ଗ୍ଲୋବାଲ ୱାର୍ମିଙ୍ଗ୍ ବା ଉତ୍ତପ୍ତ ପୃଥିବୀକୁ ସବୁଜ, ଶୀତଳ କରିବାପାଇଁ ସରଳ ଜୀବନ ପ୍ରଣାଳୀ ଉପରେ ଏବେ ଜୋର୍ ଦିଆଯାଉଛି । ଏଥିପାଇଁ ଦୈନନ୍ଦିନ ଆବଶ୍ୟକତାକୁ ସୀମିତ ରଖିବାକୁ ହେବ । ନ‌ଦୀମାନେ ସମୁଦ୍ରକୁ ଯେତିକି ଜଳଦାନ କରନ୍ତି, ସମୁଦ୍ର ତା’ର ହଜାରେ ଗୁଣ ଫେରାଇ ଦିଏ । ବୃକ୍ଷଲତା ମାଟିରୁ ଯେତିକି ସାର ନିଅନ୍ତି, ତା’ର ଲକ୍ଷେଗୁଣ ପତ୍ର, ଫୁଲ, ଫଳ ଆକାରରେ ଫେରାଇ ଦିଅନ୍ତି, ଚଢ଼େଇମାନେ ଯେତିକି ଫଳ ଖାଆନ୍ତି, ତା’ଠାରୁ ବହୁ ଗୁଣ ମଞ୍ଜି ଫେରାଇ ପୃଥିବୀରେ ଜଙ୍ଗଲ ସୃଷ୍ଟିରେ ସାହାଯ୍ୟ କରନ୍ତି । କେବଳ ମଣିଷ କ୍ରମେ ଏଇ ବିଚାରଟି ଭୁଲି ଯାଉଛି । ମହାତ୍ମାଗାନ୍ଧୀ କହୁଥିଲେ - ‘ଲିଭ୍ ସିମ୍ପ୍ଲି ସୋ ଦାଟ୍ ଅଦର୍ସ ମେ ସିମ୍ପ୍ଲି ଲିଭ୍’ - ସରଳ ଜୀବନ ଯାପନ କର, ଯେପରିକି ଅନ୍ୟମାନଙ୍କପାଇଁ ଜୀବନ ଯାପନ ସରଳ ହେବ । ସେକ୍ସପିଅର୍ସଙ୍କ ଭାଷାରେ - ଯେ ଆବଶ୍ୟକତାଠାରୁ କମ୍ ପାଇ ବି ଖୁସି, ସେ ହିଁ ପ୍ରକୃତରେ ଧନୀ । ପରିବର୍ତ୍ତିତ ପରିସ୍ଥିତିରେ ସବୁଲୋକଙ୍କଠାରୁ ମୁନି, ଋଷୀ ବା ଗାନ୍ଧୀଙ୍କ ଭଳି କଠୋର ସରଳତା ଆଶା କରିବା ଅବାସ୍ତବ, କିନ୍ତୁ ଏହା ପଛରେ ଥିବା ବିଚାର ଦର୍ଶନକୁ ଭୁଲିଗଲେ ଜୀବନ ଅଧିକ ଜଟିଳ ଓ ଦୁର୍ବିସହ ହୋଇଯିବ ।

ପ୍ରଖ୍ୟାତ ଚିତ୍ରକର ଲିଓନାଡେ଼ା ଦା ଭିନ୍‌ସିଙ୍କ ଭାଷାରେ ସରଳତା ହେଉଛି ଏକ ମାର୍ଜିତ, ଉନ୍ନତ ଋଚିର ଭାବ ଓ ଆଚରଣ । କନ୍‌ଫୁସିଅସ୍ କହୁଥିଲେ ଜୀବନ ପ୍ରକୃତରେ ସରଳ ଏବଂ ମଣିଷ ଜାଣିଶୁଣି ତା’କୁ ଜଟିଳ କରି ପକାଏ । ଏ ବିଷୟରେ ଆର୍.ଏଲ୍. ଷ୍ଟିଭେନ୍‌ସନ୍‌ଙ୍କ ଉକ୍ତି ସତ୍ୟ ଓ ବାସ୍ତବତାର ଖୁବ୍ ନିକଟ । ସେ କହୁଥିଲେ ଜୀବନର ସବୁଠାରୁ ଅମୂଲ୍ୟ ଆବଶ୍ୟକତାଗୁଡିକ ମଣିଷର ସବୁଠୁ ନିକଟରେ ଥାଆନ୍ତି । ସେଗୁଡିକ

ବିକଳ୍ପ ବିଶ୍ୱ ୩୪୩