ପୃଷ୍ଠା:Bikalpa Biswa.pdf/୩୪୪

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ହେଲେ - ନାକ ପାଖର ନିଃଶ୍ୱାସ, ଆଖି ପାଖରେ ଆଲୋକ, କାନ ପାଖରେ ଶ୍ରବଣ ଶକ୍ତି ଓ ପାଦ ତଳର ଭୂଇଁ, ଘାସ ଓ ଫୁଲ, କର୍ତ୍ତବ୍ୟପାଇଁ ହାତ ଓ ଚାଲିବାପାଇଁ ନିଜ ସାମ୍ନାରେ ଦିଶୁଥିବା ସଠିକ୍ ରାସ୍ତା । ପ୍ରତ୍ୟେକ ଦିନର କର୍ମ ଓ ତା’ବଳରେ ଖାଦ୍ୟ ଜୀବନର ସବୁଠୁ ସୁଆଦିଆ ଅନୁଭୂତି ।

ଛତ୍ରପତି ଶିବାଜୀଙ୍କର ଦୀକ୍ଷା ଗୁୁରୁ ସମର୍ଥ ରାମଦାସ ଭକ୍ଷା କରି ଚଳୁଥିଲେ । ଏକଥା ଶିବାଜୀଙ୍କ କାନରେ ପଡ଼ିବାରୁ ଗୁରୁଙ୍କ ପାଖକୁ ଯାଇ ନିଜର ସମଗ୍ର ରାଜ୍ୟ ଗୁରୁଙ୍କୁ ଦକ୍ଷିଣା ସ୍ୱରୂପ ଦେବାପାଇଁ ଯାଚିଥିଲେ । ଗୁରୁ ରାମଦାସ ଶିବାଜୀଙ୍କୁ କହିଥିଲେ, “ଏବେ ତମ ରାଜ୍ୟ ମୋର ହେଲା ଓ ତୁମେ ମୋ ତରଫରୁ ରାଜ୍ୟ ଶାସନ କର । ଗରିବ ଓ ଶୋଷିତ ବର୍ଗର ସେବାକର ।” ଶିବାଜୀ ପଚାରିଲେ, “ରାଜ୍ୟ ଆପଣଙ୍କର ହେଲା ବୋଲି ଲୋକେ କେମିତି ଜାଣିବେ?” ରାମଦାସ ନିଜ ଗେରୁଆ ଚାଦରଟି ଶିବାଜୀଙ୍କ ହାତକୁ ବଢ଼ାଇ ଦେଇ କହିଲେ, “ଏହି ଚାଦରଟିକୁ କାଟିକାଟି ଛୋଟଛୋଟ ପତାକା କରି ତମ ସାମ୍ରାଜ୍ୟରେ ବିଭିନ୍ନ ସ୍ଥାନରେ ଉଡ଼ାଇଦିଅ । ପ୍ରଜାମାନେ ଜାଣିବେ ଯେ ଏହା ମୋ ରାଜ୍ୟ, ତୁମର ନୁହେଁ ।” ଏହି କଥା କହି ବସ୍ତ୍ରହୀନ ରାମଦାସ କେବଳ ନିଜ କୌପୀନଟି ପିନ୍ଧି ଶିବାଜୀଙ୍କ ରାଜ୍ୟ ଛାଡ଼ି ଚାଲି ଯାଇଥିଲେ ।

ଏପରି ଉକ୍ତି, ଉଦାହରଣ ଅନେକ । କାମନା ବାସନା କଥା ବୁଦ୍ଧ ଷାଠିଏ ବର୍ଷ ଓ ତାଙ୍କ ଶିଷ୍ୟମାନେ ଅଢ଼େଇ ହଜାର ବର୍ଷ ଧରି ପ୍ରଚାର କରି ଆସୁଛନ୍ତି । ଉପଦେଶ, ପ୍ରବଚନ, ସଭାସମିତିରେ ଭାଷଣ ହେଉଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେଉଛନ୍ତି । କିନ୍ତୁ ଦେଶରେ ଭୋଗବାଦୀ ସଂସ୍କୃତି ବଢ଼ି ଚାଲିଛି । ଉଚ୍ଚାରଣ ଓ ଆଚରଣ ମଧ୍ୟରେ ଦୂରତା କମୁନାହିଁ । ଏହା ହିଁ ଆଜିର ସମସ୍ୟା ଓ ଆହ୍ୱାନ । ସମାଧାନ ବି ଆମରି ହାତ ପାଖରେ । ଏଥିପାଇଁ ପ୍ରତି ନାଗରିକ ନିଜ ବିବେକକୁ ଜାଗ୍ରତ କରି ରଖିବା ଦରକାର । କାରଣ ପୃଥିବୀରେ ସବୁଠାରୁ କୋମଳ ତକିଆ ହେଲା ନିଜର ସଫାସୁତରା ବିବେକ ।

୧୨ ନଭେମ୍ବର, ୨୦୦୯

୩୪୪ ବିକଳ୍ପ ବିଶ୍ୱ