ପୃଷ୍ଠା:Bikalpa Biswa.pdf/୩୪୫

ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଆଶା, ଆଶଙ୍କା ଭିତରେ ପରିବାରାଣୀ ବାଇଗଣ

ଓଡ଼ିଶାର ଗ୍ରାମାଞ୍ଚଳରେ ସ୍ୱାମୀଙ୍କ କୋପୃଷ୍ଟିରେ ପଡ଼ିଥିବା ସ୍ତ୍ରୀଙ୍କ ଦୁଃଖ ଲାଘବ କରିବାପାଇଁ ସଖୀ, ସହଚରୀମାନେ ପରିହାସରେ କହନ୍ତି: “ବାଇଗଣ ପୋକ ପୋକ ନୁହେଁ- ସ୍ୱାମୀଙ୍କର କୋପ କୋପ ନୁହେଁ ।” ଏପରି କ୍ଷଣିକ କୋପ ସହିନେଲେ ଦାମ୍ପତ୍ୟ ଜୀବନ ଜଟିଳ ହୁଏ ନାହିଁ । ଏହା ସ୍ୱାମୀ ଓ ସ୍ତ୍ରୀ- ଉଭୟଙ୍କ ପାଇଁ ପ୍ରଯୁଜ୍ୟ । ଯେମିତି କ୍ଷଣକୋପୀଙ୍କ କୋପକୁ ଗୁରୁତ୍ୱ ଦିଆଯାଏ ନାହିଁ, ସେହିପରି ବାଇଗଣ ଭିତରେ ଥିବା ପୋକକୁ କାଢ଼ିକରି ଗୃହିଣୀମାନେ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରନ୍ତି । ପୁଣି ପରିବେଶବିତ୍‌ମାନେ କହନ୍ତି ଛନଛନିଆ ବାଇଗଣ ଅପେକ୍ଷା ପୋକରା ବାଇଗଣ ସ୍ୱାସ୍ଥ୍ୟକର, କାରଣ ଏଥିରେ ପୋକମରା ବିଷ ଔଷଧ ପଡ଼ିନଥାଏ ।

କିନ୍ତୁ ଏବେ ବାଇଗଣ ଗଛର କାଣ୍ଡବିନ୍ଧା ପୋକ ଭାରତ ପ୍ରଧାନମନ୍ତ୍ରୀଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି । ଦେଶର ବିଭିନ୍ନ ଅଞ୍ଚଳରେ ପରିବେଶବିତ୍‌ମାନେ ଜିନ୍ ସ୍ତରରେ ପରିବର୍ତ୍ତନ ଘଟାଇ ବାଇଗଣ ଗଛର କାଣ୍ଡବିନ୍ଧା ପୋକ ପ୍ରତିରୋଧକ କ୍ଷମତା ଓ ଉତ୍ପାଦନ ଶକ୍ତି ବଢ଼ାଇବା ବିପକ୍ଷରେ ସ୍ୱର ଉତ୍ତୋଳନ କରିଛନ୍ତି । ଏ ବିଷୟ ନେଇ ଦେଶର ପରିବେଶ ମନ୍ତ୍ରୀ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଓ କୃଷିମନ୍ତ୍ରୀଙ୍କ ମଧ୍ୟରେ ବିବାଦ ଉପୁଜିଥିବାରୁ ପ୍ରଧାନମନ୍ତ୍ରୀ ଏବେ ସାମୟିକ ଭାବରେ ବିଟି ବାଇଗଣ ପ୍ରଚଳନ ନିଷ୍ପତ୍ତି ସ୍ଥଗିତ ରଖିଛନ୍ତି । କୃଷିମନ୍ତ୍ରୀଙ୍କ ମତ ଯେ ଦେଶର ଖାଦ୍ୟାଭାବ ରୋକିବାପାଇଁ ଦ୍ୱିତୀୟ ସବୁଜ ବିପ୍ଳବର ଆବଶ୍ୟକତା ରହିଛି ଓ ସେହି ପ୍ରକ୍ରିୟାରେ ବିଟି ବାଇଗଣ ଭଳି ବିଭିନ୍ନ ଶସ୍ୟ ଓ ପନିପରିବାର ଜିନ୍ ପରିବର୍ତ୍ତନ ଜରୁରୀ ।

ବିକଳ୍ପ ବିଶ୍ୱ ୩୪୫