ପୃଷ୍ଠା:Bikalpa Biswa.pdf/୩୪୬

ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମାଟି ତଳେ ରହୁଥିବା ବାସିଲସ୍ ଥୁରିଞ୍ଜିଏନ୍ସିସ୍ ନାମକ ଏକ ବୀଜାଣୁର ସଂକ୍ଷିପ୍ତ ନାମ ହେଲା ବିଟି । ଏହା ଏକ ପରିବର୍ତ୍ତିତ ଡି.ଏନ୍.ଏ ଜ୍ଞାନକୌଶଳ । ଏହାଦ୍ୱାରା ଏକ ପ୍ରଜାତିର ଉଦ୍ଭିଦରୁ ଜିନ୍ ସଂଗ୍ରହ କରି ଅନ୍ୟ ଏକ ଉଦ୍ଭିଦରେ ପ୍ରବେଶ କରାଇ ଜିନ୍ ଫସଲର ସହନଶୀଳତା ଓ ରୋଗପୋକ କ୍ଷମତା ବୃଦ୍ଧି କରାଯାଇଥାଏ । ଭାରତରେ ଜିନ୍ ପରିବର୍ତ୍ତିତ ଫସଲ ହିସାବରେ ଏବେ କେତେବର୍ଷ ହେଲା କେବଳ ବିଟି କପା ବ୍ୟାବସାୟୀକ ଭିତ୍ତିରେ ଚାଷ କରାଯାଉଛି ଏବଂ ଆଉ ଏଗାରଟି ଫସଲ ଉପରେ ଜିନ୍ ପରିବର୍ତ୍ତନ ପ୍ରକ୍ରିୟାର ପରୀକ୍ଷା ନିରୀକ୍ଷା ଚାଲିଛି । ଯେହେତୁ କପା ଖାଦ୍ୟଦ୍ରବ୍ୟ ନୁହେଁ ଏବଂ ମକା ଏବଂ ସୋୟା ପ୍ରକ୍ରିୟାକରଣ ପରେ ବ୍ୟବହାର ହେଉଛି, ଏବେ ସମସ୍ତଙ୍କ ଦୃଷ୍ଟି ବାଇଗଣ ଉପରେ ।

ଯେଉଁମାନେ ବିଟି ବାଇଗଣ ସପକ୍ଷରେ ଯୁକ୍ତି କରନ୍ତି, ସେମାନଙ୍କ ମତ ହେଲା ବାଇଗଣ ଚାଷରେ ଯେତିକି ଖର୍ଚ୍ଚ, ତାର ଶତକଡ଼ା ଷାଠିଏ ଭାଗ କୀଟନାଶକ ଔଷଧପାଇଁ ବ୍ୟୟ ହୋଇଥାଏ । କ୍ଷୁଦ୍ର ଓ ନାମମାତ୍ର ଚାଷୀମାନେ ଫସଲରେ ୨୫ରୁ ୫୦ ଥର ପର୍ଯ୍ୟନ୍ତ କୀଟନାଶକ ଔଷଧ ପ୍ରୟୋଗକରି ଖର୍ଚ୍ଚାନ୍ତ ହୋଇଥାନ୍ତି ଏବଂ ଖାଦ୍ୟ ମାଧ୍ୟମରେ ଏ ବିଷ ମଣିଷ ହେରେ ପ୍ରବେଶ କରିଥାଏ । ବିଟି ବାଇଗଣରେ କୀଟନାଶକ ବିଷ ଶତକଡ଼ା ଅଶୀଭାଗ କମ୍ ହୋଇଥାଏ ଓ ଉତ୍ପାଦନ ବଢ଼ିଥାଏ । ଅନ୍ୟ ପକ୍ଷରେ ଅନେକ ବିଶେଷଜ୍ଞ ଯୁକ୍ତି କରନ୍ତି ଯେ ଏ ପ୍ରକ୍ରିୟା ମଣିଷ ସ୍ୱାସ୍ଥ୍ୟ ପ୍ରତି ବିପଜ୍ଜନକ ଓ ଜୈବବିବିଧତାକୁ ବିପନ୍ନ କରିଥାଏ, ତେଣୁ ଏ ସମ୍ପର୍କରେ ଅଧିକ ଗବେଷଣା ଆବଶ୍ୟକ ।

ବିଶେଷଜ୍ଞମାନଙ୍କ ଆଶଙ୍କାକୁ ପ୍ରମାଣିତ କରି ଏବେ ବିଶ୍ୱର ସର୍ବବୃହତ୍ ବାୟୋଟେକ୍ କୃଷି କମ୍ପାନି ‘ମନ୍‌ସାଣ୍ଟୋ’ ମାନିଲେଣି ଯେ ଗୁଜୁରାଟ ରାଜ୍ୟର ବିଟି କପା ନିଜର ରୋଗପୋକ ପ୍ରତିଷେଧକ ଶକ୍ତି କ୍ରମେ କ୍ରମେ ହରାଉଛି । ଏହା ପୂର୍ବରୁ ଜର୍ମାନି ଓ ଅନେକ ୟୁରୋପୀୟ ଦେଶମାନଙ୍କରେ ବିଟି ବାଜରା ଉପରେ ରୋକ୍ ଲଗାଯାଇଛି । ଚାଷୀ ସଂଗଠନମାନଙ୍କର ଆଶଙ୍କା ଯେ ବିଟି ଫସଲ ମଞ୍ଜିରୁ ବିହନ ହେବା କ୍ଷମତା ବ୍ୟୟବହୁଳ ଥିବାରୁ ଆନ୍ତର୍ଜାତିକ ବିିଟି ବିହନ ବେପାରୀମାନେ ଚାଷୀଙ୍କୁ ଅଧିକ ନିର୍ଭରଶୀଳ କରାଇ ଶୋଷଣ କରିବେ । ଖାଉଟିମାନଙ୍କପାଇଁ ମଧ୍ୟ ବିପଦ କମ୍ ନୁହେଁ । କାରଣ ଭାରତକୁ ଆମଦାନୀ ଖାଦ୍ୟରେ ବିଟି ଲେଭଲ୍ ନ ଥାଏ । ଏହାକୁ ତନଖି କରିବାକୁ ଆମର ଉନ୍ନତମାନର ପରୀକ୍ଷାଗାର ନାହିଁ ଏବଂ ପରୀକ୍ଷା ନିରୀକ୍ଷା ପ୍ରକ୍ରିୟା ମଧ୍ୟ ଅତ୍ୟନ୍ତ ବ୍ୟୟବହୁଳ । ଗରିବ ଚାଷୀମାନଙ୍କୁ ଅଧିକ ଅମଳ ଓ ଆୟବୃଦ୍ଧିର ଲୋଭ ଦେଖେଇ ଭାରତୀୟ କୃଷି ବଜାର ଓ ବେପାରକୁ କବ୍‌ଜା କରାଯିବାର ଆଶଙ୍କା ମଧ୍ୟ

୩୪୬ ବିକଳ୍ପ ବିଶ୍ୱ