ଏହି ପୃଷ୍ଠାଟି ବୈଧ ହୋଇସାରିଛି

‘ଉଚ୍ଚଜାତି’ମାନେ ପଛୁଆ ଜାତିରେ ମିଶିବା ପାଇଁ ରାଜନୈତିକ ଦଳମାନଙ୍କ ପଛରେ ଲାଗିବାରୁ ଏବେ ‘ଉଚ୍ଚଜାତି’ଙ୍କ ଭୋଟ୍ ହାତେଇବାପାଇଁ ସଂରକ୍ଷଣ ସ୍ଲୋଗାନ୍ ଦିଆଗଲାଣି । ଏହି ପ୍ରକ୍ରିୟା ଜାରି ରହିଲେ ଦିନେ ସବୁ ଚାକିରି ବାକିରି ଦେଶର ୫ ହଜାରରୁ ଅଧିକ ଜାତି ଉପଜାତି ମଧ୍ୟରେ ବାଣ୍ଟି ଦେବାକୁ ପଡ଼ିବ । ସଂରକ୍ଷଣ ସପକ୍ଷ, ବିପକ୍ଷ ଆନ୍ଦୋଳନ ବନ୍ଦ ହୋଇ ବଣ୍ଟାବଣ୍ଟି ହିସାବ ଆରମ୍ଭ ହୋଇଯିବ । କାହା ଭାଗରେ କେତେ ଟୁକୁଡ଼ା ସେ ନେଇ ମରାମରି, କୋର୍ଟ କଚେରୀ ହେବ ।

ପୁରୀରେ ଯେତେବେଳେ ଗରିବ ବ୍ରାହ୍ମଣ ପିଲାମାନଙ୍କ ପାଠପଢାପାଇଁ ବ୍ରାହ୍ମଣ ସମିତି ହେଲା, ତାହା ଶୁଣି ଗୋପବନ୍ଧୁ ମର୍ମାହତ ହୋଇଥିଲେ । ବାବା ସାହେବ ଆମ୍ବେଦକର ଯେତେବେଳେ ଔରଙ୍ଗାବାଦରେ ଏକ ମହାବିଦ୍ୟାଳୟ (ପରେ ହେଲା ମରାଠାୱାଡା ବିଶ୍ୱବିଦ୍ୟାଳୟ) ସ୍ଥାପନ କଲେ ସେତେବେଳେ କେବଳ ଦଳିତ ବର୍ଗରୁ ଅଧ୍ୟାପକ ବାଛିବାପାଇଁ ତାଙ୍କ ଉପରେ ଚାପ ଦିଆଯାଇଥିଲା । ଏହାକୁ ପ୍ରତ୍ୟାଖ୍ୟାନ କରି ସେ କହିଥିଲେ, ମୋ କଲେଜପାଇଁ ଭଲ ଅଧ୍ୟାପକ ଦରକାର - ସେ ଯେଉଁ ଜାତିର ହୁଅନ୍ତୁ । ଅସ୍ପୃଶ୍ୟତା ଓ ଜାତିପ୍ରଥା ଲୋପ କରିବାପାଇଁ ଓ ଉଚ୍ଚବର୍ଗଙ୍କ ଅହଙ୍କାର ଭାଙ୍ଗିବା ପାଇଁ ମହାତ୍ମାଗାନ୍ଧୀ ସାବରମତୀ ଆଶ୍ରମରେ ଦୁଇ ଜଣ ଦଳିତଙ୍କୁ ରୋଷେଇ ଦାୟିତ୍ୱ ଦେଇଥିଲେ । ଜଗଜ୍ଜୀବନ ରାମଙ୍କୁ ନିଜର ମାନସପୁତ୍ର ବୋଲି କହିଥିଲେ, ଦଳିତ ବସ୍ତିରେ ରାତ୍ରି ଯାପନ କରୁଥିଲେ ଏବଂ ପୁନର୍ଜନ୍ମ ହେଲେ ଦଳିତ ହୋଇ ଜନ୍ମ ନେବାକୁ ଇଚ୍ଛା ପ୍ରକାଶ କରିଥିଲେ ।

ସମାଜକୁ ଜାତିବାଦର ବିଷ ସଂକ୍ରମଣ ଓ ଜାତିର ରାଜନୈତିକୀକରଣ ପୂର୍ବରୁ ବିଭିନ୍ନ ଜାତିର ପଛୁଆ ବର୍ଗର ଲୋକେ ଆଗୁଆ ହେବାକୁ ଚେଷ୍ଟା କରୁଥିଲେ । ପ୍ରସିଦ୍ଧ ସମାଜଶାସ୍ତ୍ରୀ ଏମ୍.ଏନ୍.ଶ୍ରୀନିବାସ ଏହି ପ୍ରକ୍ରିୟାକୁ କହୁଥିଲେ ‘ସଂସ୍କୃତୀକରଣ’ । ଏହି ପ୍ରକ୍ରିୟାରେ ରାଜପୁତମାନେ କ୍ଷତ୍ରିୟ ହୋଇଗଲେ । ହରିଆନା, ପଶ୍ଚିମ-ଉତ୍ତର ପ୍ରଦେଶ, ବିହାର, ଓଡ଼ିଶାର ଜାଠ, ପାଇକ, ଖଣ୍ଡାୟତ ଭଳି ଅନେକ ଗୋଷ୍ଠୀ କ୍ଷତ୍ରିୟ ଭାବରେ ସ୍ୱୀକୃତି ପାଇବାକୁ ଆନ୍ଦୋଳନ ଆରମ୍ଭ କରିଥିଲେ । କିନ୍ତୁ ଜାତି ଶିଡ଼ିର ପାହାଚ ଚଢ଼ି ଉପରକୁ ଉଠିବା ପ୍ରକ୍ରିୟା ବନ୍ଦ ହୋଇ ଏବେ ତଳକୁ ଏବଂ ସମ୍ଭବ ହେଲେ ସବାତଳକୁ ଓହ୍ଲାଇବା ଅଧିକ ଲାଭଦାୟକ ହେଲା । ଏବଂ ସବୁଠାରୁ ଦୁଃଖର କଥା, ଯେଉଁମାନେ ଏଥିରୁ ଫାଇଦା ନେଲେ, ସେମାନେ ତାଙ୍କ ତଳେ ଥିବା ଲୋକଙ୍କୁ ବାଟ ଛାଡ଼ିଲେ ନାହିଁ । ଥରେ ରେଳଗାଡିରେ ଚଢ଼ିଗଲା ପରେ ଅନ୍ୟମାନଙ୍କପାଇଁ ଦୁଆରଖୋଲା ରଖିବାକୁ ରାଜି ହେଲେ ନାହିଁ । ସୁପ୍ରିମ୍‌କୋର୍ଟ ତା ନାଁ ଦେଲେ ‘କ୍ରିମିଲେୟର’ ବା କ୍ଷୀର ଉପର ସର । ଏହା ପୂର୍ବରୁ ଉଚ୍ଚବର୍ଗର ଲୋକେ ବି ଏମିତି ‘କ୍ରିମିଲେୟର’ ହୋଇ ରହିଥିଲେ ତାଙ୍କ ତଳ

ବିକଳ୍ପ ବିଶ୍ୱ ୫୩