ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବର୍ଗଙ୍କୁ ବାଟ ଛାଡ଼ୁନଥିଲେ । ମାଲେସିଆରେ ଚାଇନିଜ୍ ଓ ଶ୍ରୀଲଙ୍କାରେ ତାମିଲ୍‌ମାନେ ଥିଲେ ଏଭଳି ଏକ ‘କ୍ରିମିଲେୟର’ । ଏହି ‘ସର’କୁ କାଢିନେଲା ପରେ ପୁଣି ସେଇ କ୍ଷୀରରେ ନୂଆ ସର ପଡ଼ିଗଲାଣି । ବିଭିନ୍ମ ଜାତିର ବିଜ୍ଞ ଲୋକେ ଏହି ବିଷୟରେ ନୀରବ ରହୁଛନ୍ତି, ନିଜ ସଂଜ୍ଞାରୁ ଉପରକୁ ଉଠି ଦେଶ ଓ ସମାଜର ସମୂହ ସ୍ୱାର୍ଥ ଦେଖି ପାରୁନାହାନ୍ତି । ଆମ ଦୃଷ୍ଟି, ଜାତିର ପରଳ ଓ ଧର୍ମର ମୋତିଆବିନ୍ଦୁ ଦ୍ୱାରା ଏବେ ଆକ୍ରାନ୍ତ ।

୧୯୮୦ ମସିହାରେ ଓଡ଼ିଶାରେ ଏକ ଜାତିମୁକ୍ତ ସମାଜ ଗଠନପାଇଁ ଆନ୍ଦୋଳନ ଆରମ୍ଭ ହୋଇଥିଲା । ସେତିକିବେଳେ ମୁଁ ଓ କେତେକ ସମଭାବାପନ୍ନ ବନ୍ଧୁ ନିଜ ନାମରୁ ଜାତିସୂଚକ ଲାଞ୍ଜଟି କାଟି ଦେଇଥିଲୁ । ଏହି ପ୍ରକ୍ରିୟାକୁ ଦୃଢ କରିବାପାଇଁ ନାଁ ଲେଖା ବେଳେ କୌଣସି ଛାତ୍ର ଛାତ୍ରୀଙ୍କର ଜାତିସୂଚକ ସରନେମ୍ ବା ସାଙ୍ଗିଆ ନ ରଖିବାକୁ ସେତେବେଳର ମୁଖ୍ୟମନ୍ତ୍ରୀଙ୍କୁ ଏକ ସର୍କୁଲାରପାଇଁ ଆବେଦନ କରାଯାଇଥିଲା । ପରେ ଓଡ଼ିଶାରେ ଏହି ଆନ୍ଦୋଳନ ମଉଳିଗଲା । କିନ୍ତୁ ଏବେ ସୁଦୂର କେରଳରେ ସେହି ପ୍ରକ୍ରିୟାଟି ଆରମ୍ଭ ହୋଇଛି । ପାଠ୍ୟକ୍ରମରେ ଏହି ବିଚାରକୁ ସ୍ଥାନ ଦିଆଯାଇଛି । ଅଠାବନ ଶବ୍ଦବିଶିଷ୍ଟ ଏହି ପାଠ୍ୟବସ୍ତୁର ନାଁ ହେଲା; ‘ଜାତିମୁକ୍ତ ଜୀବନ’ । ବିଷୟଟି ଏପରି : ଆଡମିଶନ୍‌ପାଇଁ ବାପା ଅନୱାର ସରିଫ୍ ଓ ମା ଲକ୍ଷ୍ମୀଦେବୀ ପୁଅ ‘ଜୀବନ’କୁ ନେଇ ସ୍କୁଲ ଆସିଛନ୍ତି । ପ୍ରଧାନ ଶିକ୍ଷକ ବାପା, ମାଙ୍କୁ ପଚାରିଲେ ଆଡ୍‌ମିଶନ୍ ରେଜିଷ୍ଟରରେ ‘ଜୀବନ’ର ଧର୍ମ କ’ଣ ଲେଖିବି ? ଉଭୟ ଜବାବ ଦେଲେ କୌଣସି ଧର୍ମ ନୁହେଁ । ପ୍ରଧାନଶିକ୍ଷକ ଚିନ୍ତିତ ଓ ଗମ୍ଭୀର ହୋଇ ପଚାରିଲେ, ପିଲାଟି ଯେତେବେଳେ ବଡ଼ ହୋଇଯିବ ଓ ଧର୍ମର ଆବଶ୍ୟକତା ଅନୁଭବ କରିବ ? ଅନୱାର ସରିଫ୍ ଓ ଲକ୍ଷ୍ମୀଦେବୀ ସେମିତି ଗମ୍ଭୀର ସ୍ୱରରେ ଉତ୍ତର ଦେଇ କହିଲେ, ସେତେବେଳେ ଜୀବନ ନିଜ ଇଚ୍ଛାନୁସାରେ ନିଜପାଇଁ ଧର୍ମ ବାଛି ପାରିବ । ତା’ର କର୍ମ ହେବ ତା’ର ଜାତି ଏବଂ ଯେତେବେଳେ କର୍ମ ପରିବର୍ତ୍ତନ ହେବ, ଜାତି ବଦଳିଯିବ ଆପେ ଆପେ ଓ କ୍ରମେ ଲୋପ ପାଇଯିବ ।

ଏହି ପ୍ରକ୍ରିୟାରେ ସର୍ଭିସ୍ ଓ ପ୍ରଫେସନାଲ୍ ମହାସଙ୍ଘ ହୋଇଯିବେ ନୂଆ ନୂଆ ମହାଜାତି । ଭାରତରେ ଏବେ ଉଚ୍ଚ ଶିକ୍ଷାପ୍ରାପ୍ତ ପ୍ରାୟ ଦଶଭାଗ ଲୋକେ ଅନ୍ୟ ଜାତି ଓ ଅନ୍ୟ ଧର୍ମରେ ବିବାହ କଲେଣି । ତେଣୁ ଆଶା କରାଯାଉଛି ଏକବିଂଶ ଶତାବ୍ଦୀର ଶେଷଭାଗ ସୁଦ୍ଧା ଭାରତରୁ ଜାତିପ୍ରଥା ମନକୁ ମନ ଲୋପ ପାଇଯିବ ଓ ବିଭିନ୍ନ ଧର୍ମାବଲମ୍ବୀଙ୍କ ମଧ୍ୟରେ ଦୂରତା କମିଯିବ । ଦେଶ ବିକଶିତ ହୋଇଗଲେ ଓ ସବୁ ବର୍ଗ ଶିକ୍ଷିତ ଓ ସ୍ୱଚ୍ଛଳ ହୋଇଗଲେ ଜାତି କୈନ୍ଦ୍ରିକ ସଂରକ୍ଷଣପାଇଁ ରାଜନୀତିକ ଆନ୍ଦୋଳନ,

୫୪ ବିକଳ୍ପ ବିଶ୍ୱ